Latest Odisha News

BREAKING NEWS

ବାଲେଶ୍ବରର ୫ ବ୍ଲକ ବନ୍ୟା ପ୍ରଭାବିତ: ଏସଆରସି

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସମସ୍ୟା ନେଇ ଏସଆରସିଙ୍କ ସୂଚନା । ବାଲେଶ୍ବରରେ ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ବି ଜଳସ୍ତର କମିବାରେ ଲାଗିଛି । ବାଲିଆପାଳ, ବସ୍ତା ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ବାଲେଶ୍ବର ଜିଲ୍ଲାରେ ୫ଟି ଅଞ୍ଚଳ ଯଥା ଭୋଗରାଇ, ବସ୍ତା, ଜଳେଶ୍ବର, ବାଲେଶ୍ବର ସଦର ଓ ରେମୁଣା ବ୍ଲକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

ସୂଚନା ଅନୁସାରେ, ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଫଳରେ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ସମେତ ୫ଟି ବ୍ଲକରେ ବନ୍ୟା ସ୍ଥିତି ଦେଖାଦେଇଛି । ୮୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

ସେପଟେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ପୂର୍ଣ୍ଣିମା ପରେ ଆଉ ଗୋଟିଏ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଶାସନ ତରଫରୁ ଲୋକଙ୍କୁ ସୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.