Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ଅନେକ ଡାକ୍ତରୀ ଛାତ୍ର ମୃତ

ଅହମ୍ମଦାବାଦ: ଅହମ୍ମଦାବାଦ ଏୟାରପୋର୍ଟରେ ଗୁରୁବାର ଦିନ ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନ ଉଡାଣ ଭରିବା ମାତ୍ରେ ହିଁ ଅହମ୍ମଦାବାଦର ଏକ ହଷ୍ଟେଲର ଡାଇନିଂ ଏରିଆରେ ଯାଇ  ଧକ୍କା ଦେଇଥିଲା। ଯାହାଫଳରେ ସେହି ସମୟରେ  ସେଠାରେ ଉପସ୍ଥିତ ଥିବା ୫ରୁ ଅଧିକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିମାନଟି ସରକାରୀ ବି.ଜେ. ମେଡିକାଲ କଲେଜ ହଷ୍ଟେଲର ଡାଇନିଂ ଏରିଆରେ ଖସିପଡ଼ିଥିବା ନେଇ ସୂଚନା ମିଳିଛି। ତେବେ ଏହାକୁ ନେଇ ଅନେକ ଭିଡିଓ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ବିମାନର ଏକ ଅଂଶ କୋଠା ଉପରେ ଫସି ରହିଥିବା ଦେଖାଯାଉଛି। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ପ୍ରାୟ ୩୦ ରୁ ୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଉଦ୍ଧାରକାରୀ ଦଳ କହିଛନ୍ତି। ଅନେକ ଲୋକ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି।

ଆହୁରି ମଧ୍ୟ ଗୁଜରାଟର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଧନଞ୍ଜୟ ଦ୍ୱିବେଦୀ କହିଛନ୍ତି ଯେଉଁ ସ୍ଥାନରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ସେହି  ଅଞ୍ଚଳରେ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଛାତ୍ର ହଷ୍ଟେଲ୍, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ଅନ୍ୟାନ୍ୟ ଆବାସିକ ଅଞ୍ଚଳ ମଧ୍ୟ ଅବସ୍ଥିତ ଅଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ସେଠାକାର ପ୍ରାୟ  ୫୦ରୁ ଅଧିକ ବାସିନ୍ଦା ଆହତ ହୋଇଛନ୍ତି ଓ ଆହତଙ୍କୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି।

ଦ୍ୱିବେଦୀ କହିଛନ୍ତି ଯେ ବିଜେ ମେଡିକାଲରେ ଡିଏନଏ ପରୀକ୍ଷା ବ୍ୟବସ୍ଥା କରାଯାଇଛି।ତେଣୁ ଯାତ୍ରୀଙ୍କ ପରିବାର ଏବଂ ନିକଟତମ ବ୍ୟକ୍ତି, ବିଶେଷକରି ସେମାନଙ୍କ ପିତାମାତା ଏବଂ ପିଲାମାନଙ୍କୁ ସେମାନଙ୍କର ନମୁନା ଦାଖଲ କରିବାକୁ ଅନୁରୋଧ କରାଯାଇଛି ଯାହା ଦ୍ୱାରା  ପୀଡିତମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇପାରିବ।ଯେକୌଣସି ସାହାଯ୍ୟ ପାଇଁ  ସିଭିଲ୍ ହସ୍ପିଟାଲ୍ ଅହମ୍ମଦାବାଦ ଦୁଇଟି ହେଲ୍ପଲାଇନ୍ ନମ୍ବର – ୬୩୫୭୩୭୩୮୩୧ ଏବଂ ୬୩୫୭୩୭୩୮୪୧ ଜାରି କରିଛି।

 

Comments are closed.