Latest Odisha News

BREAKING NEWS

ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ହରିଣ ଓ ସମ୍ବର ଶିଙ୍ଗ ଜବତ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଚକମା ଦେଇ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଏଥି ସହିତ ତାଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ହରିଣ ଓ ସମ୍ବର ଶିଙ୍ଗ ଜବତ କରିଛି ବନବିଭାଗ ।

ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ପାଞ୍ଚ ଜଣ ଶିକାରୀ ଶିକାର କରିବା ପାଇଁ ପ୍ରବେଶ କରିଥିଲେ । ଏନେଇ ବନବିଭାଗକୁ ଖବର ମିଳିଥିଲା। କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଗଲା। ଏଥିରେ କେନ୍ଦୁମୁଣ୍ଡି, ଗୁଡୁଗୁଡିଆ, କରଞ୍ଜିଆ, ଦୁଧିଆଣୀ ରେଞ୍ଜର ବନ କର୍ମଚାରୀ, ଏସଟିପିଏଫ, ଜେଟିଏଫ ଏବଂ ସ୍ଥାନୀୟ ପୋଲିସ ସାମିଲ ହୋଇ ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ଅତର୍କିତ ଭାବେ ଚଢ଼ାଉ କରି ପାଞ୍ଚ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଗିରଫ ପାଞ୍ଚ ଜଣ ଶିକାରୀ ହେଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗ୍ରାମର ସାଲଖାନ ହେମ୍ବ୍ରମ, ଲାଲ ମୋହନ ହାଁସଦା, ବିରସିଂ ହେମ୍ବ୍ରମ, ମଧୁସୂଦନ ମୁର୍ମୁ ଓ ବଳରାମ ସୋରେନ ।ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ଦୁଇଟି ଧନୁ, ୨୩ଟି ତୀର, ଗୋଟିଏ କୁରାଢ଼ୀ, ଗୋଟିଏ ଟାଙ୍ଗିଆ, ଗୋଟିଏ କଟୁରୀ, ଦୁଇଟି ଛୁରି, ପ୍ଲାଷ୍ଟିକ ଜାଲ ଜବତ କରାଯାଇଛି । ଏଥି ସହିତ ସେମାନଙ୍କ ନିକଟରୁ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ସମ୍ବର ଶିଙ୍ଗ ମଧ୍ୟ ଜବତ କରିଛି ବନବିଭାଗ ।

 

Leave A Reply

Your email address will not be published.