Latest Odisha News

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନରେ ଫସିଥିବା ୫ ଶ୍ରମିକ ଭାରତ ଫେରୁଛନ୍ତି

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି । ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି । ଗବୋନରେ ଫସିଥିବା ୨୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଶ୍ରୀ ପଣ୍ଡା ଗତ୧୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଗବୋନ ଯାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିଲେ । ଏ ନେଇ ସେମାନେ ଏକ ଭିଡିଓ ବାର୍ତ୍ତାରେ ପରିବାର ଲୋକଙ୍କୁ ଜଣାଇଥିଲେ । ଉପାୟଶୂନ୍ୟ ହୋଇ ପରିବାର ଲୋକ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଅନୁରୋଧକ୍ରମେ ସେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରାଇଥିଲେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ । ଦୂତାବାସଙ୍କ ସୂଚନା ଅନୁସାରେ ଆଜି ୫ଜଣଙ୍କ ସମେତ କେନ୍ଦ୍ରାପଡାର ପଦ୍ମନାଭ ଲେଙ୍କା ଗବୋନରୁ ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି ।

Comments are closed.