Latest Odisha News

ନୂଆବର୍ଷରେ ରେକର୍ଡ଼ : ଜଗା ଦର୍ଶନ କଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଯାଇଛି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷର ଆରମ୍ଭ କରିଛନ୍ତି ।  ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ୧୨ଟା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ, ପୋଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନ କରିଛନ୍ତି ।

ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ । ହେଲେ ସବୁଠୁ ବଡ଼କଥା ଏତେ ସଂଖ୍ୟକ ଭକ୍ତମାନଙ୍କର ସାମାନ୍ୟ ଅସୁବିଧା ହୋଇନାହିଁ । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଥିଲେ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed.