ନୂଆଦିଲ୍ଲୀ: ଆସାମ ଗୌହାଟିର ବୋରା ସର୍ଭିସ ଅଞ୍ଚଳରେ ସୋମବାର ଦିନ ଗୁଳିକାଣ୍ଡ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ମହିଳାଙ୍କ ସମେତ ଅନେକ ଆହତ ହୋଇଛନ୍ତି।
ଗୌହାଟି ପୋଲିସ କମିଶନର ପାର୍ଥସାରଥୀ ମହାନ୍ତ କହିଛନ୍ତି, “ରାତି ପ୍ରାୟ ୯ଟା ସମୟରେ ଗୌହାଟିର ବୋରା ସର୍ଭିସ ଅଞ୍ଚଳର ହୋଟେଲ ବିଳାସ ଇନ୍ରେ ଏକ ଗୁଳିକାଣ୍ଡ ଘଟିଥିଲା। ଛଅ ଜଣଙ୍କୁ ଗୁଳି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ବ୍ୟକ୍ତି ଚିକିତ୍ସାଧୀନ ଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି।”
ଏକ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।
ଏପଟେ ମୃତକଙ୍କ ମଧ୍ୟରୁ ଚାରି ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ। ଆଉ ଅନ୍ୟ ଜଣେ ସେମାନଙ୍କ ଘରେ କାମ କରୁଥିଲେ। ତେବେ ପ୍ରାଥମିକ ତଦନ୍ତରୁ ହୋଟେଲ ଲିଜ୍ ସହିତ ଜଡିତ ଏକ ସମ୍ପତ୍ତି ବିବାଦରୁ ଏଭଳି ଘଟଣା ଘଟିଛି। ସେ କହିଛନ୍ତି ଯେ ହୋଟେଲ ମାଲିକ ଏବଂ ହୋଟେଲ ଲିଜ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଥିଲା। ଗିରଫ ଅଭିଯୁକ୍ତ ଘନକାନ୍ତ ଗୋଗୋଇ ହୋଟେଲ ଲିଜ୍ ନେଇଥିଲେ।

