ଗଜପତି:ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍ ଉପକୃତ ହେଉଛନ୍ତି । ଗଜପତି ଜିଲାରେ ଏବେ ୨ହଜାରରୁ ଅଧିକ ହେକ୍ଟର ଜମିରେ ରବର ଚାଷ ହେଉଛି। ଚାଷୀ ହେକ୍ଟର ପିଛା ୨ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ଜିଲାର ଗୁମ୍ମା, ମୋହନା, କାଶୀନଗର, ଗୋଷାଣୀ ବ୍ଲକରେ ଚାଷୀ ରବର ଚାଷ କରୁଥିବା ବେଳେ ସେମାନଙ୍କ ରବରର ଚାହିଦା ବେଶ୍ ରହିଛି। ଜିଲା ରବର ବୋର୍ଡ ଏ ଦିଗରେ ଚାଷୀଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛି।
ଏହି ରବରକୁ କ୍ରୟ କରି ନେଉଛନ୍ତି କଲିକତାର ର୍ବିଲା ଟାୟର, କଳାହାଣ୍ଡିର ବଂଶଲ ଟାୟାର, ନ୍ୟାଶନାଲ ଟାୟର, ହାଇଦ୍ରାବାଦର ହିନ୍ଦୁସ୍ଥାନ ଟାୟାର ଭଳ କମ୍ପାନୀ ।
ତେବେ ରବର ଚାଷରେ ରବର ଗଛ ଲଗାଇବାର ୭ବର୍ଷ ପରେ ତାର ଗଛରୁ ସୂର୍ଯ୍ୟ ଉଦୟ ପୂର୍ବରୁ ରବର ଲ୍ୟୁକଇଡ଼ ବାହାର କରାଯାଏ। ପରେ ଏହାକୁ ଏକ ଓସାରିଆ ପାତ୍ରରେ ରଖାଯାଇଥାଏ। ମେସିନ ମାଧ୍ୟମରେ ପେସା ଯାଇ ରବର ଶିଟ୍ ବାହାର କରାଯାଏ। ଏହି ଶିଟକୁ ନେଇ ଧୂଆଁ ଘରେ ଶୁଖାଇ ପରେ ବାହାରେ ଶୁଖାଯାଇଥାଏ। ପରେ ଏହାକୁ ସଂଗ୍ରହ କରି ବିଭିନ୍ନ କମ୍ପାନୀକୁ ବିକ୍ରି କରାଯାଇଥାଏ।
ଗୋଟିଏ ଗଛକୁ ୭ ବର୍ଷ ଯତ୍ନ ନେଲେ ସେଥିରୁ ୩୫ ରୁ ୪୦ ବର୍ଷ ପର୍ଯ୍ୟନ୍ତ ରବର ଆଦାୟ ହୋଇଥାଏ। ଗଛଟି ଶୁଖିଯିବା ପରେ ଏହାକୁ ବିଭିନ୍ନ ଫର୍ଣ୍ଣିଚର କରିବାରେ ବ୍ୟବହାର କରାଯାଇଥାଏ।
ଗଜପତି ଜିଲାର ଅନ୍ୟ ଅଞ୍ଚଳର ଚାଷୀମାନେ ମଧ୍ୟ ରବର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ଗୁମ୍ମା, ରାୟଗଡ ଓ କାଶୀନଗର ବ୍ଲକରେ ଶହେ ଏକରରୁ ଊର୍ଦ୍ଧ୍ୱ ଜମିରେ ରବର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ରହିଛି ।