ବ୍ରହ୍ମପୁର:ଗଞ୍ଜାମ ଜିଲା ପ୍ରଶାସନରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଞ୍ଜୁର ପଦଠାରୁ ପ୍ରାୟ ୫୯ପ୍ରତିଶତ ପଦ ଫାଙ୍କା ପଡ଼ିଛି। ଯାହାଫଳରେ ଜମିଜମା ଏବଂ ରାଜସ୍ବ ସମ୍ପର୍କିତ କାର୍ଯ୍ୟରେ ଗୁରୁତର ବାଧା ପହଞ୍ଚିଛି। ଭୌଗୋଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଅନ୍ୟତମ ବୃହତ୍ତମ ଗଞ୍ଜାମ ଜିଲା ବାସିନ୍ଦା ନିର୍ଦିଷ୍ଟ ସମୟସୀମା ଭିତରେ ରାଜସ୍ବ କାର୍ଯ୍ୟର ସୁଫଳ ପାଇପାରୁ ନାହାନ୍ତି। ସରକାରୀ ବାବୁମାନେ ଅତିରିକ୍ତ କାର୍ଯ୍ୟ ଚାପରେ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲାରେ ଏଭଳି ସମସ୍ୟା ସୃଷ୍ଟି ହେବାକୁ ନେଇ ବର୍ତ୍ତମାନ ବିଭାଗୀୟ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲାରେ ୧୨ଟି ବିଭିନ୍ନ ବର୍ଗରେ ୭୫୨ଟି ପଦ ରହିଛି। କିନ୍ତୁ ସେଥିରୁ ମାତ୍ର ୩୦୬ଟି ପଦରେ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ବାକି ୪୪୬ ପଦ ଫାଙ୍କା ପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ତୃଣମୂଳସ୍ତରରେ ଜମିଜମା ସମ୍ପର୍କିତ ମାମଲାରେ ସର୍ବାଧିକ ଆବଶ୍ୟକ ଅମିନ ପଦରେ ସର୍ବାଧିକ ଖାଲି ରହିଛି। ଜିଲାରେ ମୋଟ ୨୭୩ ଜଣ ଅମିନ କାର୍ଯ୍ୟ କରିବା କଥା। ହେଲେ ତା ବଦଳରେ ଅଛନ୍ତି ମାତ୍ର ୧୫୬ଜଣ । ଅମିନ ପଦ ଖାଲି ରହିଥିବାରୁ ଜମି ମାପଚୁପ ଏବଂ ତଦଜନିତ କାର୍ଯ୍ୟରେ ବାଧା ଦେଖାଦେବାରେ ଲାଗିଛି। ଜଣେ ଅମିନ ଏକାଧିକ ଅଞ୍ଚଳ ଦାୟିତ୍ବରେ ମଧ୍ୟ ରହୁଛନ୍ତି। ସେହିଭଳି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦ ହେଲା ସହକାରୀ ରାଜସ୍ବ ନିରୀକ୍ଷକ। ଜିଲାରେ ୨୦୯ଟି ସହକାରୀ ରାଜସ୍ବ ନିରୀକ୍ଷକ ପଦ ରହିଛି। ସେଥିରେ ମାତ୍ର ୯୯ଜଣ କାର୍ଯ୍ୟ କରୁଥିବା ବେଳେ ୧୧୦ଟି ଖାଲି ପଡ଼ିଛି। ଘର ପୋଡ଼ି ହେଉ ଅବା ପ୍ରାକୃତିକ ଦୁର୍ବିପାକ ପରବର୍ତ୍ତୀ ସହାୟତା କିମ୍ବା ବନ୍ୟା, ମରୁଡ଼ି ଆଦି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ଦିଗରେ ସହକାରୀ ରାଜସ୍ବ ନିରୀକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ହେଲେ ଜିଲାରେ ମଞ୍ଜୁର ପଦର ଅଧାରୁ ଅଧିକ ଖାଲି ପଡ଼ିବା ପରେ କ୍ଷତିଗ୍ରସ୍ତ ଏବଂ ପୀଡ଼ିତ ଚିହ୍ନଟରେ ନାନା ସମସ୍ୟା ସୃଷ୍ଟି ହେଉଛି। ସେମାନେ ଉପଯୁକ୍ତ ସମୟରେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ତୃଣମୂଳସ୍ତରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଥିବା ଆଉ ଗୋଟିଏ ପଦ ହେଲା କନିଷ୍ଠ ରାଜସ୍ବ ସହାୟକ। ଜିଲାରେ ୩୪୪ଟି ମଞ୍ଜୁର ପଦ ଥିବା ବେଳେ କାର୍ଯ୍ୟରେ ଅଛନ୍ତି ୨୨୬ଜଣ। ଆହୁରୀ ୧୧୮ଟି ଖାଲି ପଡ଼ିଛି। କନିଷ୍ଠ ରାଜସ୍ବ ସହାୟକମାନେ ପଟ୍ଟା ବଣ୍ଟନ ଠାରୁ ଆରମ୍ଭ କରି ବିଭିନ୍ନ ଯାଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ରାଜସ୍ବ ନିରୀକ୍ଷକଙ୍କ ସହ କାର୍ଯ୍ୟ କରନ୍ତି। ସହାୟକଙ୍କ ଆବଶ୍ୟକତା ସର୍ବାଧିକ ରହୁଥିବା ବେଳେ ଅନେକ ସ୍ଥାନରେ ଏହି ପଦ ଫାଙ୍କା ପଡିଥିବାରୁ ପଟ୍ଟା ବଣ୍ଟନ କାର୍ଯ୍ୟରେ ସମସ୍ୟା ଉପୁଜିଛି।
ରାଜସ୍ବ ସୁପରଭାଇଜର ୩୫ଟି ପଦରୁ ୨ଟି ଖାଲି ରହିଥିବା ବେଳେ ରାଜସ୍ବ ନିରୀକ୍ଷକ ୨୪୩ରୁ ୨୭ଟି, ଡ୍ରାଇଭର ୫୯ରୁ ୩୯ ଏବଂ ଗ୍ରୁପ୍-ଡି’ରେ ୭୫୨ ପଦରୁ ୪୪୬ଟି ଖାଲି ରହିଛି। କେବଳ ତଳସ୍ତରରେ ନୁହଁ ବରଂ ବରିଷ୍ଠ ଅଧିକାରୀ ପଦ ମଧ୍ୟ ଫାଙ୍କା ପଡିଛି। ଜିଲାରେ ୩ଜଣ ଅତିରିକ୍ତ ଜିଲାପାଳ(ଏଡିଏମ) ପଦ ଥିବା ବେଳେ ଦୁଇଜଣ ଯଥା ଏଡିଏମ(ରାଜସ୍ବ) ଏବଂ ଏଡିଏମ(ସାଧାରଣ) ରହିଛନ୍ତି। ୩ଟି ଅତିରିକ୍ତ ଉପଜିଲାପାଳ ପଦ ରହିଥିବା ବେଳେ ଜଣେ ହେଲେ ନିଯୁକ୍ତ ହୋଇନାହାନ୍ତି। ଡେପୁଟି କଲେକ୍ଟର ୧୨ ପଦରୁ ୭ଟି, ସହକାରୀ ଜିଲାପାଳ ୧୬ରୁ ୭ଟି ଏବଂ ଅତିରିକ୍ତ ତହସିଲଦାର ୩୬ ପଦରୁ ୧୦ଟି ଫାଙ୍କା ପଡ଼ିଛି।
ଉଭୟ ମନୋନୟନ ପ୍ରକ୍ରିୟା ଓ ପଦୋନ୍ନତି ଭିତ୍ତିରେ ଖାଲି ପଡ଼ିଥିବା ପଦ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଭାଗ ତରଫରୁ କୁହାଯାଇଛି। ଅନ୍ୟ କେତେକ ପଦକୁ ପ୍ରତ୍ୟକ୍ଷ ମନୋନୟନ ଭିତ୍ତିରେ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କୁହାଯାଇଛି।
BREAKING NEWS
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
Comments are closed.