Latest Odisha News

BREAKING NEWS

ସବୁ ଅପେକ୍ଷାର ଅନ୍ତ: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ । ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା। ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ। ରାଜ୍ୟକୁ ନୂଆବର୍ଷର ଭେଟି। ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର । ଭୁବନେଶ୍ୱରରେ ୫ଜି ସେବାର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଫାଷ୍ଟ ଇଣ୍ଟରନେଟ୍ ପାଇବା ସହିତ ୟୁଜର ନେଟଓ୍ୱର୍କ ସମସ୍ୟାର ସମ୍ମୁଖୀନ ହେବେନି ୟୁଜର। ଆଙ୍ଗୁଳି ଟିପରେ ଚାଲିବ ପୃଥିବୀ। ବାଧାରହିତ ଇଣ୍ଟରନେଟ୍ ପାଇବେ ଓଡିଶାବାସୀ। ଡାଉନଲୋଡ୍ ରେ ହେବନି ଡେରି। ଓଡିଶା ପାଲଟିବ ଡିଜିଟାଲ ଲାଇଫର ଅଧିକାରୀ।

ଭୁବନେଶ୍ୱର, କଟକ ଓ ଅନ୍ୟ କେତେକ ସହରରେ ପ୍ରଥମେ ୫ ଜି ସେବା ଉପଲବ୍ଧ ହେବ। ଏହାସହିତ ଶ୍ରୀ ବୈଷ୍ଣବ ରାଜ୍ୟର କେତେକ ଗ୍ରାମୀଣ ଅଞ୍ଚଳ ପାଇଁ ୧୦୦ଟି ୪-ଜି ଟାଓ୍ୱାର ଗୁଡିକୁ ମଧ୍ୟ ଲୋକାର୍ପିତ କରିବେ।

ଏନେଇ ରାଜ୍ୟରେ ଦୁଇ ଦିନିଆ ଇଭେଣ୍ଟ ହେବ। ଯେଉଁଥିରେ ଟେକ୍ନୋଲଜି କମ୍ପାନୀ, ଷ୍ଟାଟଅପ୍, ସି-ଡଟ୍ ଓ ଟିଏସପି ମାନଙ୍କ ଦ୍ୱାରା ଡିଜିଟାଲ କମ୍ୟୁନିକେସନର ବିଭିନ୍ନ ସେବା ଓ ଉପକରଣ ପ୍ରଦର୍ଶିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ଦିଲ୍ଲୀରେ ୫ଜି ସେବା ଲଞ୍ଚ କରିଥିଲେ। ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ, ଗାନ୍ଧୀଗନର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଓ ମୁମ୍ୱାଇରେ ୫ଜି ସେବା ପ୍ରଥମେ ଉପଲବ୍ଧ ହୋଇଥିଲା।

ଆଜି ଓଡିଶାର ଯେଉଁ କେତେକ ସ୍ଥାନରେ ୫ଜି ଉପଲବ୍ଧ ହୋଇଛି, ସେଥିରେ ରହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ପାହାଡପୁର ଗାଁ। ଏଣିକି ରାଜ୍ୟର ଅନ୍ୟ ଗାଁ ଗୁଡିକରେ ବି ୫ଜି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ରିଲାଏନ୍ସ ଜିଓ ଓ ଏୟାରଟେଲ୍।

Leave A Reply

Your email address will not be published.