Latest Odisha News

ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ଭାଙ୍ଗିଯାଇଛି: ଭିକେ ପାଣ୍ଡିଆନ

ବାଲେଶ୍ଵର: ଆଜି ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ଧୂଅଁଧାର ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ପ୍ରଚାର ସମୟରେ ବିଜେପିକୁ ତୀବ୍ର ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ଜୁନ ୯ ତାରିଖରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ଭାଙ୍ଗିଯାଇଛି । ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଆଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଆପଣମାନେ ସେମାନଙ୍କ ଏହି ଔଦ୍ଧତ୍ୟର ଉଚିତ ଜବାବ ଦେବେ ଆଶାବ୍ୟକ୍ତ କରିଛନ୍ତି ପାଣ୍ଡିଆନ । ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ ଦାୟିତ୍ବ। କିନ୍ତୁ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି । ଡାଲି, ତେଲ, ଏଲପିଜି ଦର କମିଲା କି ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ । ଦଶ ବର୍ଷରେ କୋଡିଏ କୋଟି । ଓଡିଶା ଭାଗ ପଡିଥାନ୍ତା ୮୦ ଲକ୍ଷ । ବାଲେଶ୍ବର ଭାଗ ପଡିଥାନ୍ତା ୬ ଲକ୍ଷ । ନୀଳଗିରି ଭାଗ ପଡିଥାନ୍ତା ୧ ଲକ୍ଷ । କେନ୍ଦ୍ର ସରକାରଙ୍କ ଚାକିରୀ ନୀଳଗିରିରୁ କିଏ ପାଇଛନ୍ତି । ଯଦି ଏକ ହଜାର ଲୋକ ନୀଳଗିରିରୁ ଚାକିରି ପାଇଥିବେ, ତେବେ ମୁଁ ଚାକିରୀ ଛାଡିଦେବି । ବୁଢାବୁଢୀଙ୍କ ଭତ୍ତା କେନ୍ଦ୍ର ୩୦୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ଦେଉଛି ୧୦୦୦ ଟଙ୍କା । ଏହା ହେଉଛି ନବୀନ ଇଞ୍ଜିନ । ନିର୍ବାଚନ ହେଲେ ଆସୁଛନ୍ତି, ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ । ସେମାନେ କଥା କଥାରେ କାନ୍ଦି ପକାଇବେ । କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।

ବାଲେଶ୍ବର ସାଂସଦ ୧୦ ବର୍ଷ ସାଂସଦ ରହିଲେ, କେନ୍ଦ୍ରମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। କେନ୍ଦ୍ରିୟ ବିଦ୍ୟାଳୟ ହେଉ, ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ । ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ । ସେ ଲୋକଙ୍କର ସୁଖଦୁଃଖ ଠାରୁ ଦୂରରେ ଥିଲେ । କିନ୍ତୁ ବର୍ତ୍ତମାନ ବିଜୁ ଜନତା ଦଳର ନୀଳଗିରି ବିଧାନସଭା ପ୍ରାର୍ଥୀ ସୁକାନ୍ତ ବାବୁ ବିଜେପି ଦଳରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଏ ଅଞ୍ଚଳର ଲୋକଙ୍କ ପାଇଁ କାମ କରନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

 

 

Comments are closed.