Latest Odisha News

BREAKING NEWS

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ମର୍କଜର ଏକ ସାମୁହିକ ପ୍ରାର୍ଥନା କାର୍ଯ୍ୟକ୍ରମ ‘ତବଲିଗ-୍ ଏ-ଜମାତ୍‌’ରେ ଯୋଗ ଦେଇଥିଲେ । ସମସ୍ତ ମୃତକ କରୋନା ପଜିଟିଭ ଚିହ୍ନଟ ହୋଇ ତେଲେଙ୍ଗାନାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

ଏହା ପରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହି ଛଅ ଜଣ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ଚିହ୍ନଟ କରି ଡାକ୍ତରଖାନାରେ ପହଞ୍ଚାଇବାକୁ କୁହାଯାଇଛି । ଏଥି ସହିତ ଦିଲ୍ଲୀରେ ଉକ୍ତ ସାମୂହିକ ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ନାଗରିକଙ୍କୁ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମର୍କଜ ପ୍ରାର୍ଥନାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କର ପରୀକ୍ଷା ଓ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନରେ ମାର୍ଚ୍ଚ ୧ରୁ ୧୫ ଯାଏଁ ତଦଲିକ୍ ଏ ଜମାତ୍ ସମ୍ମେଳନ ହୋଇଥିଲା ଯେଉଁଥିରେ ଇଣ୍ଡୋନେସିଆ ଓ ମାଲେସିଆରୁ ଆସିଥିବା ବ୍ୟକ୍ତିଙ୍କ ସମେତ ଦୁଇ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହା ଜଣାପଡିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇ ବହୁ ମାତ୍ରାରେ ସନ୍ଦିଗ୍ଧ କୋଭିଡ୧୯ ଆକ୍ରାନ୍ତଙ୍କ ପରୀକ୍ଷା କରାଯାଉଛି । ଦିଲ୍ଲୀ ସରକାର କାର୍ଯ୍ୟକ୍ରମର ଆୟୋଜକ ଜଣେ ମୌଲାନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ମଙ୍ଗଳବାର ଦିଲ୍ଲୀ ସରକାର ସ୍ଥାନୀୟ ଅଂଚଳରେ ଘରକୁ ଘର ବୁଲି କୋଭିଡ୧୯ ସଂକ୍ରମଣ ନେଇ ତଦାରଖ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.