Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟକ, ପ୍ରଖ୍ୟାତ ମରାଠୀ ଲେଖକ ବିଶ୍ୱାସ ପାଟିଲ୍‍ ମୁଖ୍ୟ ଅତିଥି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ସାହିତ୍ୟ ବିନା ଜୀବନ ଓ ଜୀବନ ବିନା ସାହିତ୍ୟ କେବେ ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଟିଲ୍‍ ତାଙ୍କ ଅଭିଭାଷଣରେ ରାମାୟଣ ଓ ମହାଭାରତର ଭାହାରଣ ଦେବା ସହ ନୂତନ ପୀଢ଼ି ସ୍ମାର୍ଟଫୋନ୍‍ ଓ ୟୁ-ଟ୍ୟୁବ୍‍ ଆଦି ଦ୍ୱାରା ଏପରି କବଳିତ ଯେ ସାହିତ୍ୟ ପାଠ ଓ ଚର୍ଚ୍ଚା ଅପ୍ରାସଙ୍ଗିକ ମନେ ହେଉଥିବା ବେଳେ ମାତୃଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧି କରିବ ବୋଲି କହିଥିଲେ ।

ଏହି ଅବସରରେ ଏକାଡେମୀ ପକ୍ଷରୁ ପୂର୍ବରୁ ବିଦ୍ୟାଳୟସ୍ତରରେ ଆୟୋଜିତ ହୋଇଥିବା ସାରସ୍ୱତ ପ୍ରତିଯୋଗିତାର ୨୫ଜଣ କୃତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହା ସହ ଆଠଟି ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଓଡ଼ିଆ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୨ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦ହଜାର ଓ ୧୫ହଜାର ଅର୍ଥରାଶି ପ୍ରୋତ୍ସାହନ ଦିଆଯାଇ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ସେହିଭଳି ମାଧ୍ୟମିକ ଶିକ୍ଷା ପରିଷଦର ଶୀର୍ଷ ପରୀକ୍ଷାରେ ଓଡ଼ିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ୫ହଜାର ଟଙ୍କା ଅର୍ଥରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଦ୍ୟ ପରଲୋକଗତ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଏକ ମିନିଟ୍‍
ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ “ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ ଏକାଡେମୀର ଉପ ସଭାପତି ସଂଗ୍ରାମ ଜେନା ଉପସଂହାର ବକ୍ତବ୍ୟ ରଖିଥିଲେ ।

 

Comments are closed.