Latest Odisha News

ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି ।ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ଦାଶ୍‌ ବେନ୍‌ହୁର ଓ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ସମ୍ମାନନୀୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏବଂ ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ପୂର୍ବରୁ ଆୟୋଜିତ ବରିଷ୍ଠ ଓ କନିଷ୍ଠ ବର୍ଗ ନିମନ୍ତେ ହୋଇଥିବା ଚାରିଗୋଟି ବିଭାଗରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରୋତ୍ସାହନ ରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ବିଷୟକୁ ଆଧାର କରି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେୀରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୫ ଜଣଙ୍କୁ ୧୦ ହଜାର ଓ ୧୫ ହଜାର ଲେଖାଏଁ ପ୍ରୋତ୍ସାହନ ଅର୍ଥରାଶି ସହ ପ୍ରଶସ୍ତିପତ୍ର ଓ ଫଳକ ପ୍ରଦାନ  କରାଯାଇଥିଲା ।

ଏକାଡେମୀର ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ନିଜର ସ୍ୱାଗତ ଭାଷଣ ଏବଂ ଏକାଡେମୀର ସଭାପତି ତଥା ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଏକାଡେମୀର ଏହି ସ୍ୱନକ୍ଷତ୍ର ଦିବସର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା କିପରି ଆଗକୁ ବହୁ ଭାବେ ପରିବ୍ୟାପ୍ତ ହୋଇପାରିବ ଏ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଦାଶ ବେନ୍‌ହୁର ଯୋଗଦାନ କରି ଭାଷା ସାହିତ୍ୟ ଓ ସଂସ୍କୃତି କିପରି ଜନମାନସରେ ସର୍ବବ୍ୟାପୀ ଏବଂ ଯୁଗକୁ ଯୁଗ ବାନ୍ଧି ରଖିପାରିଛି ଏହା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ର ସୂରଜ ନିଜର ଅଭିଭାଷଣରେ ସାହିତ୍ୟ ଓ ଓଡ଼ିଆ ଅସ୍ମିତାକୁ ଆଧାର କରି ଭାଷା ସଂସ୍କୃତି କ୍ଷେତ୍ରରେ ଏହାର ବ୍ୟାପକ ଭାବେ ପ୍ରସାର, ପ୍ରଚାର ଦିଗରେ କିଭଳି କାର୍ଯ୍ୟ କରାଯାଇପାରିବ ଏ ଦିଗରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଶିଷ୍ଟ ସାହତି୍ୟକ ଶ୍ରୀ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକାଡେମୀ କାର୍ଯ୍ୟ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବକ୍ତବ୍ୟ ମାଧ୍ୟମରେ ସୂଚାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

Comments are closed.