Latest Odisha News

BREAKING NEWS

ଆସନ୍ତାକାଲିଠୁ ରାଜ୍ୟ ପୁସ୍ତକ ମହୋତ୍ସବ, ଭାଗନେବେ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ l ଚଳିତ ବର୍ଷ ପୁସ୍ତକ ମେଳାରେ ପ୍ରାୟ ୪୦୦ଟି ଷ୍ଟଲ୍‌ ରହିବ l ଏଥିସହ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ।

ଚଳିତବର୍ଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ତିନିଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବ l ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯିବ। ଏଥିସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବହୁ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ଫଟୋଚିତ୍ର ସ୍ଥାନିତ କରାଯିବ।

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର, ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ନିମନ୍ତେ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସ୍ଥାପନ କରାଯାଇଥିବା ବେଳେ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ମିଲେଟ ମିଶନ, କୋରାପୁଟ କଫି, ମିଶନ ଶକ୍ତି ଆଦି ତରଫରୁ ଖାଦ୍ୟ ଷ୍ଟଲ ମଧ୍ୟ କରାଯାଇଛି।

Comments are closed.