ସମ୍ବଲପୁର: ହୀରାକୁଦ ଡ୍ୟାମ୍ ନିକଟ ଏକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ ସାତ ଜଣ ଯୁବକଙ୍କୁ ଅଟକ ରଖିବା ସହ ସେମାନଙ୍କ ଦୁଇଟି ଗାଡ଼ି ଜବତ କରିଛି।
ସୂଚନା ଅନୁଯାୟୀ, ଯୁବକ ମାନେ ବିପଦପୂର୍ଣ୍ଣ ଭାବେ ସାଉଥ୍ ଡାଇକ୍ ରୋଡ୍ ଡ୍ୟାମ୍ ନିକଟରେ ଗାଡ଼ି ଚଳାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାଇରାଲ ଭିଡିଓରେ ଯୁବକମାନେ ଦୁଇଟି କାର ବ୍ୟବହାର କରି ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଦେଖାଯାଇଥିଲା। ଯାହା ରାସ୍ତାରେ ଯାଉଥିବା ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା।
ଭିଡିଓରେ ଯୁବକମାନେ “ଫିଲ୍ମ ଷ୍ଟାଇଲ”ରେ ସୁଟିଂ କରିବା ସମୟରେ ବେପରୁଆ ଭାବରେ ଗାଡ଼ି ଚାଳନା କରୁଥିବାର ଦେଖିବାକୁ ମିଳିଥିଲା। କେତେକ ଗାଡ଼ି ଉପରେ ବସିଥିଲେ ଆଉ କେତେକ ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି। ଷ୍ଟଣ୍ଟ୍ ଯୋଗୁଁ ଟ୍ରାଫିକ୍ ବାଧାପ୍ରାପ୍ତ ହୋଇଥିଲା ବେଳେ ଯାତ୍ରୀମାନଙ୍କ ଜୀବନ ମଧ୍ୟ ଏକପ୍ରକାର ବିପଦରେ ପଡ଼ିଥିଲା।
ଭିଡିଓଗୁଡ଼ିକ ଭାଇରାଲ ହେବା ପରେ ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ସହ ସମ୍ପୃକ୍ତ ଲୋକଙ୍କୁ ଅଟକ ରଖିଥିଲା। ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୮୧/୨୮୫/୩(୫) ସହିତ ମୋଟର ଯାନ ଆଇନର ଧାରା ୧୮୪/୨୦୧ ସହିତ ଏକ ମାମଲା ରୁଜୁ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଲାସ ଜାରି ରହିଛି।
Comments are closed.