Latest Odisha News

BREAKING NEWS

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଡକାୟତି ହେବା ନେଇ ଏକ ବିଶ୍ଵସ୍ତ ସୂତ୍ରରୁ ମଞ୍ଚେଶ୍ଵର ଥାନାଧିକାରୀଙ୍କ ନିର୍ଦ୍ଦେଶ ମତେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ସଦଳବଳେ ହାଡବାଇ ବସ୍ତିର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏକ ଅନ୍ଧାରିଆ ନିକାଞ୍ଚନ ସ୍ଥାନରେ ଚଢଉ କରିଥିଲା। ଚଢଉରେ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ପୋଲିସ। ଛାନଭିନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ୨ଟି ଲୁହା ଛଡ, ୨ଟି ବାଉଁଶ ଠେଙ୍ଗା, ୨ଟି ଛୁରୀ, ଏକ ଟର୍ଚ୍ଚ ଲାଇଟ, କିଛି ଲଙ୍କା ଗୁଣ୍ଡା ଏବଂ ମଦ ବୋତଲ ଜବତ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ସେଠାରେ ଏକାଠି ବସି, ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ମସୁଧା କରୁଥିବା କଥା ପୋଲିସ ଆଗରେ ସ୍ଵୀକାର କରିଥିଲେ।

ଅଭିଯୁକ୍ତମାନଙ୍କ ମଧ୍ୟରୁ ତପନ ଭୋଇ ବିରୋଧରେ ମଞ୍ଚେଶ୍ଵର ଥାନାରେ ପୂର୍ବରୁ ମଧ୍ୟ ୪ ଗୋଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ସାଗର ଭୋଇ ବିରୋଧରେ ମଞ୍ଚେଶ୍ଵର ଥାନାରେ ୩ଟି ଓ ଶହୀଦନଗର ଥାନାରେ ଗୋଟିଏ ମାମଲା ରହିଛି। ସେହିପରି ଅଭିଯୁକ୍ତ ଦୀପକ କୁମାର ସେଠୀଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ୩ଟି, କ୍ୟାପିଟାଲ ଥାନାରେ ଗୋଟିଏ, ଓ କୁମ୍ଭାରପଡା ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି। ଅଭିଯୁକ୍ତ ସଞ୍ଜୟ ଦାସ, ଅଭିଯୁକ୍ତ ସନ୍ତୋଷ ଦାସ, ଅଭିଯୁକ୍ତ ରାଜେଶ ଭୋଇ ଓ ଅଭିଯୁକ୍ତ ମିଥୁନ ଦାସଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି। ମଞ୍ଚେଶ୍ଵର ପୋଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.