Latest Odisha News

BREAKING NEWS

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍ ଚର୍ଚ୍ଚାରେ ।

୭୭ ବର୍ଷିୟା ଡୋରୋଥୀ ଡୋଟି ଫିଡେଲି ଆମେରିକାରେ ରୁହନ୍ତି । ୧୯୬୫ ମସିହାରେ ସେ ବିବାହ କରିଥିଲେ । କିଛି ବର୍ଷ ସ୍ୱାମୀଙ୍କ ସହ ଖୁସିରେ ଦିନ କାଟିଥିଲେ । ହେଲେ ବେଶୀଦିନ ତିଷ୍ଠି ପାରି ନ ଥିଲା ଏହି ବିବାହ । ମାତ୍ର ୯ ବର୍ଷରେ ସେମାନେ ଅଲଗା ହୋଇଗଲେ । ସେବେଠାରୁ ସେ ଏକା ରହି ଆସୁଥିଲେ । ସେ ସବୁବେଳେ ନିଜକୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏହି ବୟସରେ ବି ସେ ହାର ମାନି ନାହାନ୍ତି । ନିଜେ କେମିତି ଖୁସିରେ ରହିବେ ସେ ନେଇ ଚିନ୍ତା କଲେ । ଶେଷରେ ନିଜେ ନିଜକୁ ଧୁମ୍‌ଧାମ୍‌ରେ ବିବାହ କରିବାକୁ ସ୍ଥିର କଲେ । ଏବେ ନିଜ ସହିତ ଖୁସି ହେବାକୁ ଚାହୁଁଛନ୍ତି ଏବଂ ଅନ୍ୟ କାହା ସହିତ ନୁହେଁ । ଆଉ ତାହା କରି ବି ଦେଖାଇଛନ୍ତି ।

ଡୋରୋଥୀ ନିଜେ ତାଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କଲେ । ଅତିଥିଙ୍କୁ ନିମନ୍ତ୍ରଣ କଲେ । ବିବାହ ମଣ୍ଡପ ସାଜ୍ଜସଜ୍ଜାଠାରୁ ଆରମ୍ଭ କରି ଖାଦ୍ୟ ସବୁର ବ୍ୟବସ୍ଥା ମଧ୍ୟ କଲେ । ନିଜ ପାଇଁ ବିବାହ ପୋଷାକ ତିଆରି କଲେ । ଆଉ ନିଜକୁ କନ୍ୟା ପରି ସଜ୍ଜେଇଲେ ବି । ଏହିପରି ୩ ସନ୍ତାନର ମାଆ ଡୋରୋଥୀ ନିଜକୁ ବିବାହ କରିଥିଲେ ।
ଡୋରୋଥୀ ବିବାହ ପୋଷାକରେ ବହୁତ ସୁନ୍ଦର ଲାଗୁଥିଲେ । ସେ ମୁଣ୍ଡରେ ଏକ ସୁନ୍ଦର ହେଡବ୍ୟାଣ୍ଡ ପିନ୍ଧିଥିଲେ ଏବଂ ଏକ ରୂପା ବେଲ୍ଟ ତାଙ୍କ ଲୁକ୍‌କୁ ଆହୁରି ସୁନ୍ଦର କରିଥିଲା । ସେ ହାର୍ଟ ଆକାରର କେକ୍ କାଟିଲେ । ଆଉ ଧୁମ୍‌ଧାମ୍‌ରେ ନିଜେ ନିଜକୁ ବିବାହ କଲେ । ଏ ବୟସରେ ପୁଣି ଏପରି ବିବାହକୁ ଅନେକ ଲୋକ ପସନ୍ଦ କରିଥିଲେ ।

Comments are closed.