ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀସ୍ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ଭାରସାମ୍ୟ ହରାଇ ବୁଡ଼ିଗଲା ମାଛଧରା ଜାହାଜ। ଏହି ଜାହାଜରେ ୭୫୦ଜଣ ଲୋକ ଥିବା କୁହାଯାଉଛି। ଅତି କମରେ ୭୯ ଜଣ ପ୍ରବାସୀ ବୁଡ଼ି ମରିଯାଇଥିବା ବେଳେ ଶହ ଶହ ଲୋକେ ନିଖୋଜ ଥିବା ସୂଚନା ରହିଛି। ଗତ କିଛି ବର୍ଷ ମଧ୍ୟରେ ୟୁରୋପରେ ଏହା ସବୁଠାରୁ ବଡ଼ ମାରାତ୍ମକ ଜାହାଜ ବିପର୍ଯ୍ୟୟ ବୋଲି କୁହାଯାଉଛି। ଏହି ଘଟଣା ବୁଧବାର ଘଟିଥିବା ବେଳେ ରାତି ସାରା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା।
ପ୍ରାୟ ୬୫ ଫୁଟ୍ରୁ ୧୦୦ ଫୁଟ୍ ଲମ୍ବ ବିଶିଷ୍ଟ ଉକ୍ତ ଜାହାଜରେ ପ୍ରାୟ ୭୫୦ଜଣ ଲୋକ ଥିଲେ ବୋଲି କୁହାଯାଉଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୦୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କୁ ପାଇଲସ୍ ନଗରୀ ନିକଟ ଗ୍ରୀକ୍ର କାଲାମାଟି ବନ୍ଦରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୋଦାମ ଘରେ ଆଶ୍ରୟ ଦିଆଯାଇଥିବା ବେଳେ ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି। ପରେ ସେମାନଙ୍କୁ ଆଥେନ୍ସ୍ ନଗରୀ ବାହାରେ ଥିବା ଏକ ଶିବିରକୁ ନିଆଯିବ।
ଗ୍ରୀକ୍ ତଟରକ୍ଷୀ ରିପୋର୍ଟ ଅନୁଯାୟୀ, ବୁଧବାର ଜାହାଜର ଇଞ୍ଜିନ ଅଚଳ ହୋଇଯାଇଥିଲା। ସେମାନେ ଉକ୍ତ ଜାହାଜ ନିକଟରେ ପହଞ୍ଚି ସହାୟତା କରିବାକୁ କହିଥିଲେ। କିନ୍ତୁ, ବାହାର ଡେକ୍ରେ ଥିବା ପ୍ରବାସୀମାନେ ସାହାଯ୍ୟ ଗ୍ରହଣ କରିବାକୁ ମନା କରି ଇଟାଲି ଅଭିମୁଖେ ଯାତ୍ରା ଜାରି ରଖିବାକୁ ଇଚ୍ଛା ପ୍ରକାଶ କଲେ। କିନ୍ତୁ, କିଛି ସମୟ ପରେ ଜାହାଜଟି ଟଳମଳ ହେବା ସହିତ ଓଲଟି ପଡ଼ିଲା। ଲିବ୍ୟାରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଜିପ୍ଟ୍, ସିରିୟା ଏବଂ ପାକିସ୍ତାନର ନାଗରିକ।
Comments are closed.