Latest Odisha News

ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ, ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ।  ପୂର୍ବରୁ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୮୬ଟି ଲୋକସଭା ଆସନ ପାଇଁ ମତଦାନ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ନିର୍ବାଚନୀ ଦଳଗୁଡ଼ିକୁ ନିଜ ନିଜର ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି। ଆରାମଦାୟକ ଓ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରାମ୍ପ ଓ ଶୌଚାଳୟ ସମେତ ସମସ୍ତ ମୌଳିକ ସୁବିଧା ସହିତ ଭୋଟରଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ରହିଛି । ଗରମ ପାଗ କିମ୍ବା ବର୍ଷାର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗରମ ପାଗ ସତ୍ତ୍ୱେ ଗତ ପର୍ଯ୍ୟାୟରେ ମତଦାନ କେନ୍ଦ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଭୋଟରଙ୍କ ଅଂଶଗ୍ରହଣ ହୋଇଛି। ଗତ ଦୁଇ ପର୍ଯ୍ୟାୟରେ ମହିଳା ମତଦାନ ହାର ପୁରୁଷ ମତଦାନ ହାରକୁ ଟପିଯାଇଛି। ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ମତଦାନ କରି ଦାୟିତ୍ୱ ଓ ଗର୍ବର ସହ ଭୋଟ ଦେବାକୁ ନିର୍ବାଚନ ଆୟୋଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି।

 

Comments are closed.