ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜୈତପୁର ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ସ୍ଥାନୀୟ ଏଜେନ୍ସିଗୁଡ଼ିକ ସହିତ, ଏନଡିଆରଏଫ୍ ଟିମ୍ ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଏହି କାନ୍ଥ ପ୍ରାୟ ୫୦ ଫୁଟ ଲମ୍ବର ଥିଲା ବୋଲି କୁହାଯାଉଛି। ଶନିବାର ସକାଳେ ଜୈତପୁର ଥାନା ନିକଟ ହରି ନଗର ଗ୍ରାମ ଅଞ୍ଚଳର ପଛପଟେ ମୋହନ ବାବା ମନ୍ଦିର ନିକଟରେ ନିର୍ମିତ ବସ୍ତିରେ ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାର କରିଥିଲେ। ମୋଟ ୮ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ପୋଲିସ ଅନୁଯାୟୀ, ୮ ଜଣଙ୍କୁ ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ଏଥିରେ ଚାରି ଜଣ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଜଣ ଶିଶୁ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
Comments are closed.