Latest Odisha News

BREAKING NEWS

ଗଡୁଛି ସମୟ ବଢୁଛି ଆଶଙ୍କା: ଉଦ୍ଧାର ପାଇଁ ଏବେବି ଜାରି ରହିଛି ଅପରେସନ

ଭୁବନେଶ୍ଵର: ତେଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ରେସ୍‌କ୍ୟୁ ଅପରେସନ୍। ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି । ଭାରତୀୟ ସେନା ଓ ଏନ୍‌ଡିଆରଏଫ୍ର ମଧ୍ୟ ସହାୟତା ନିଆଯାଉଛି । ଏନଡିଆରଏଫ ଟିମ୍ ସୁଡ଼ଙ୍ଗ ଭିତରୁ ପାଣି ବାହାର କରୁଛନ୍ତି । ୧୧ରୁ ୧୩ କିମି ବାଟ ପାଣିରେ ଭରି ରହିଛି । ତେଣୁ ପାଣି ବାହାର କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଭୁଶୁଡିଥିବା ସ୍ଥଳରୁ ୨୦୦ ମିଟର ଦୂରରେ ଶ୍ରମିକମାନେ ଥିବା ସୂଚନା ମିଳିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିଜେ ଘଟଣାର ତଦାରଖ କରୁଛନ୍ତି । ସେପଟେ କିନ୍ତୁ ଟନେଲ ଭିତରୁ କୌଣସି ସୋର୍ ଶବ୍ଦ ଆସୁନାହିଁ କିମ୍ଵା କିଛି ଜଣାପଡୁନାହିଁ। ତେଣୁ ଟନେଲ ଭିତରେ ଫସିଥିବା ଲୋକଙ୍କ ମୃତ୍ୟୁ ହୋଇଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ସତ୍ତ୍ଵେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସିଲକିୟାରା ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଶ୍ରୀଶୈଳମ ଡ୍ୟାମ ଠାରୁ ଦକ୍ଷିଣ କେନାଲର ୧୪କିମି ଦୂର ଦୋମଲପେଣ୍ଠା ଠାରେ ଟନେଲ ଭୁଶୁଡ଼ି ପଡ଼ିଥିଲା । ଟନେଲ ଖୋଳା କାମରେ ଶ୍ରମିକମାନେ ନିୟୋଜିତ ଥିବା ବେଳେ ହଠାତ ୩ମିଟର ଲମ୍ବ ଅଞ୍ଚଳ ଭୁଶୁଡ଼ିଥିଲା । ସୁଡ଼ଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା । ୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା । ଏକ ଲିକ୍‌କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଯାଇଥିବା ବେଳେ ଅଘଟଣ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିଲେ । ୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ସୂଚନା ମିଳିଛି ।

 

Comments are closed.