Latest Odisha News

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କଠୁ ଚୋରି, ଗିରଫ ହେଲେ ୮୭ ଲୁଟେରା

ପୁରୀ: ରଥଯାତ୍ରାରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ମୋବାଇଲ ଓ ମନିପର୍ସ ଲୁଟପାଟ୍ କରିଥିବା ୮୭ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ୧୨୩ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ସୋମବାର ଟାଉନ ଥାନା ଡିଏସ୍‌ପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି।

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ୧୧ଟି ଆଣ୍ଟି ସ୍ନାଚିଂ ସ୍କ୍ୱାର୍ଡ ଗଠନ କରିଥିଲା। ଗୋଟିଏ ସ୍କାର୍ଡରେ ଜଣେ ଏସ୍‌ଆଇଙ୍କ ସମେତ ୫ଜଣ ପୁଲିସ କର୍ମଚାରୀ ଥିଲେ। ଏହି ସ୍କାର୍ଡ ସାଦା ପୋଷାକରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ମରିଚିକୋଟ, ମାର୍କେଟ୍ ଛକ, ମେଡ଼ିକାଲ ଛକ, ବଡ଼ଶଙ୍ଖରେ ମୁତୟନ ହୋଇଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି ଫୁଟେଜ ଜରିଆରେ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ।

ସେହିପରି ପୁଲିସ ପକ୍ଷରୁ ଲୁଟେରାଙ୍କ ଏକ ଫଟୋ ଆଲବମ୍ ପ୍ରସ୍ତୁତ ହୋଇଥିଲା । ଗତ ୨୦ ତାରିଖରୁ ୧ ତାରିଖ ମଧ୍ୟରେ ପୁରୀ ସହରର ବିଭିନ୍ନ ଥାନାରେ ଲୁଟ୍‌ପାଟ ନେଇ ୨୦ଟି ମାମଲା ରୁଜୁ ହୋଇଛି। ଏହି ମାମଲାରେ ସମୁଦାୟ ୮୭ ଜଣ ଲୁଟେରା ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୪୪ଜଣ ଓଡ଼ିଶାର, ୨୩ଜଣ ପଶ୍ଚିମବଙ୍ଗର, ୮ଜଣ ଆନ୍ଧ୍ରପ୍ରଦେଶର, ୪ଜଣ ଛତିଶଗଡ଼,ଜଣେ ଝାଡ଼ଖଣ୍ଡ, ୫ଜଣ ଉତ୍ତରପ୍ରଦେଶ, ଜଣେ ମଧ୍ୟପ୍ରଦେଶ, ଜଣେ ତେଲେଙ୍ଗାନାର ଅଛି।

Comments are closed.