Latest Odisha News

ଶିମିଳିପାଳରୁ ବିସ୍ଥାପିତ ହେଲେ ୯ ପରିବାର

ମୟୂରଭଞ୍ଜ : ଜାତୀୟ ଉଦ୍ୟାନ ମାନ୍ୟତା ପାଇବ ଶିମିଳିପାଳ । ଯାହାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ, ଏବେ ପୁଣି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କୁ ବିସ୍ଥାପିତ କରାଯାଇଛି । ଶିମିଳିପାଳ କୋର ଏରିଆ ଯମୁନାଗଡରେ ରହୁଥିବା ୯ଟି ପରିବାରକୁ ବିସ୍ଥାପିତ କରାଯାଇଛି । ଏହି ୯ଟି ପରିବାରକୁ ବିସ୍ଥାପିତ କରାଯାଇ ଉଦଳା ବ୍ଲକ ଅଞ୍ଚଳକୁ ଅଣାଯାଇଥିବା ବେଳେ, ୯ଟି ପରିବାର ମଧ୍ୟରୁ ୨ଟି ପରିବାରକୁ ଆମ୍ବଡିହା ଏବଂ ବାକି ୭ଟି ପରିବାରକୁ ନାବରା ଅଞ୍ଚଳରେ ଥଇଥାନ କରାଯାଇଛି ।

ଏହି ୯ଟି ପରିବାରକୁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହାସହ ବିସ୍ଥାପିତ ପରିବାର ସଦସ୍ୟମାନେ ନିଜର ସମସ୍ତ ଆସବାବପତ୍ର ସାଙ୍ଗରେ ଧରି ଆସିଥିବା ବେଳେ ତାଙ୍କୁ ସରକାରୀ ସ୍ତରରେ ଘର, ୧୫ ଲକ୍ଷ ଟଙ୍କା ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଏହି ପରିବାରକୁ ବିସ୍ଥାପିତ କରାଯିବା ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହା ବ୍ୟତୀତ ଶିମିଳିପାଳ ଟାଇଗର ରିଜର୍ଭର ଉପନିର୍ଦ୍ଦେଶକ ଏବଂ ବାରିପଦା ବନଖଣ୍ଡ ଅଧିକାରୀ ଉପସ୍ଥିତ ରହି ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବରୁ ଶିମିଳିପାଳ କୋର ଏରିଆ ଯମୁନାଗଡରେ ବସବାସ କରୁଥିବା ୩୫ ପରିବାରକୁ ଗତ ୨୦୧୫ ସେପ୍ଟେମ୍ବର ୧୫ ତାରିଖରେ ବିସ୍ଥାପନ କରାଯାଇ ଉଦଳା ବ୍ଲକ ଅଧିନ ନାବରା ନିକଟରେ ଥଇଥାନ କରାଯାଇଥିଲା ।

Comments are closed.