Latest Odisha News

BREAKING NEWS

ଆଜିଠୁ ସ୍କୁଲ ଯିବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଧୀରେଧୀରେ କରୋନା ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକ୍ କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଦୀର୍ଘ ମାସର ବ୍ୟବଧାନ ପରେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କରୋନା ଯୋଗୁଁ ପିଲାଙ୍କ ପାଠପଢା ବିଶେଷ ଭାବରେ ବ୍ୟାହତ ହୋଇଥିବା ବେଳେ ସ୍କୁଲ ଖୋଲିବାକୁ ନେଇ ଆଶ୍ୱସ୍ତ ଅନୁଭବ କରିଛନ୍ତି ଅଭିଭାବକ।

ସୂଚନାନୁସାରେ, କୋଭିଡ୍ କଟକଣା ଭିତରେ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏ ପାଠ ପଢାହେବ । ଦୁଇ ଘଂଟାରେ ୩ଟି ପିରିୟଡରେ ପାଠପଢ଼ା ହେବ । ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଦିଆଯିବ ଗୁରୁତ୍ବ । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ ।ଏହି ସମୟରେ ଛାତ୍ରଛାତ୍ରୀଙ୍କୁ କୌଣସି ସାମୟିକ ବିରତି ଦିଆଯିବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ଦିନ ରହିବ ।

କୋଭିଡ୍‌ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ ବୋଲି ଜଣାପଡିଛି । ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲା ୟୁନିଟ୍ ଟେଷ୍ଟ ଦେବେ । ଏପ୍ରିଲ୍ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ହେବ ।

ପୂର୍ବରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିସାରିଥିବା ବେଳେ ଆଗକୁ ଖୁବ ଶୀଘ୍ର ପ୍ରଥମରୁ ଅଷ୍ଟମ ପାଠପଢା ଆରମ୍ଭ ହେବାକୁ ଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଶିକ୍ଷକଙ୍କ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ ବୋଲି ସୂଚନା ମିଳିଛି।

Comments are closed.