(ଦୀପାବଳୀ ନୀତିର ପ୍ରଥମ ଦିନ )
କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚାବସାନତଃ ।
ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ମଧ୍ୟେ ଘୃତୈଯୁର୍ତାନ ।
ଆଜି ପବିତ୍ର ଦେବ ଦୀପାବଳୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଆଜିଠାରୁ ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି । ଏହି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ପ୍ରଥମ ଦିବସ – ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାଙ୍କ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ।
ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳୀ ନୀତି ପାଳିତ ହୋଇଥାଏ । ସଂଧ୍ୟାଧୂପ ଆଳତୀ ଶେଷ ହେବା ପରେ ଶୁଦ୍ଧ ସୁଆରଙ୍କ ଦ୍ୱାରା ସିଂହାସନ ତଳେ ଧୁଆଧୋଇ ହୋଇ ପୋଛା ମରାଯାଇଥାଏ । ପରେ ଭଣ୍ଡାର ମେକାପ ଚାଉଳରେ ବୃକ୍ଷ ରଚନା କରିଥାନ୍ତି । ବଡ଼ ବାଡ଼ ଓ ମଝି ବାଡ଼ରେ ୯ଟି ତଥା ମହାପ୍ରଭୁ ବାଡ଼ରେ ୧୦ଟି ଦୀପ ରଖାଯାଏ । ଏହାପରେ ପରେ ପାଳିଆ ମେକାପ ବଇଠାରେ ଗବ୍ୟ ଘୃତ ଦେଇ ଗଛମାନଙ୍କରେ ବତୀ ଲାଗେଇଥାନ୍ତି ।
ପରମ୍ପରା ଅନୁଯାୟୀ, ୩ଟି ସୁନା କାଠି ଆଳତି ଲଗାଯାଏ । ଏହାପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କ ଦ୍ଵାରା ବନ୍ଦାପନା ନୀତି ବଢିଥାଏ । ବନ୍ଦାପନା ସରିବା ପରେ ୩ଜଣ ପାଳିଆ ପୂଜାପଣ୍ଡା ମହାଦୀପ ଆଳତି କରିଥାନ୍ତି ଓ ଜୟ ବିଜୟ ଦ୍ୱାର ନିକଟରେ ପାଳିଆ ପ୍ରତିହାରୀ କରିଥିବା ଚାଉଳ ଗଛକୁ ଜଣେ ପୂଜା ପଣ୍ଡା ୩ଟି ଗଛରେ ୩ ଟି ମହାଦୀପ ରଖି ସଂସ୍କାର କରିଥାନ୍ତି । ପରେ ୩ଜଣ ପୂଜାପଣ୍ଡା ଉକ୍ତ ମହାଦୀପକୁ ଆଣି ପାଳିଆ ଚୂନରା ହାତରେ ଦେଇଥାନ୍ତି । ପାଳିଆ ଚୂନରା ତେଲ ଓ ଘିଅ ନେଇ ମନ୍ଦିର ଉପରେ ୩ଟି ଦୀପମାନ ଲଗାଇଥାନ୍ତି ।
ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି । ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି । କିନ୍ତୁ, ପ୍ରତି ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ବସ୍ତ୍ରର ଧଡ଼ିର ରଙ୍ଗ ହଳଦିଆ । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କୁ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ବସ୍ତ୍ର ର ଧଡ଼ି ନୀଳ । ମା’ ସୁଭଦ୍ରାଙ୍କୁ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ବସ୍ତ୍ରର ଧଡିର ରଙ୍ଗ ନାଲି ବର୍ଣ୍ଣର ହୋଇଥାଏ ।
ଶ୍ରୀଜୀଉମାନଙ୍କ ତ୍ରିମୁଣ୍ଡିରେ ଶ୍ରୀକପଡ଼ାରେ ଆବୃତ କରାଯାଇଥାଏ । ଚାଦରଟି ଶ୍ରୀଭୁଜରେ ପ୍ରସାରି ଥାଏ । ଏହି ବେଶରେ ଶ୍ରୀଜୀଉମାନେ ତଦଗୀ, କୁଣ୍ଡଳ, ନଳି ଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, କମରପଟି, ହରିଡ଼ା ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.