Latest Odisha News

BREAKING NEWS

ଅଣୁଗଳ୍ପ: ବାପା

ଅମ୍ବିକେଶ ରାଉତ

ଗଳ୍ପ – ଏକ

ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ, ଯାହାହେଉ ତାଙ୍କ ଡାକ ଈଶ୍ୱର ଶୁଣିଲେ, ତାଛଡ଼ା ଭାଗ୍ୟରେ ଥିଲେ ପୁଅଟେ ମିଳେ । ଆଜିକାଲିକା ଦୁନିଆ ଯାହା, ଝିଅଟିଏ ହେଲେ ଦୁନିଆଯାକର ଝାମଲା । କିଏ ସାରା ଜୀବନ ଦହଗଞ୍ଜ ହେବ ହୋ ।

ଗଳ୍ପ – ଦୁଇ

କଟିଗଲାଣି କେତେ ଶୀତ-ବସନ୍ତ I ତୋଫା ଧଳା ଚମଡ଼ାରେ ଏବେ ତୀକ୍ଷଣ ନାଲି ଗାର, ପଥୁରିଆ, ଲୋଚାକୋଚା ଶରୀର । ପାଠ ଦି ଅକ୍ଷର ପଢିନି ବୋଲି ସକାଳ ପାଇଲେ ବଳଦ ପାଲଟେ ସନିଆ । ମଣିଷ ବୋଝେଇ ଗାଡିକୁ କାନ୍ଧରେ ବୋହି ମାଡି ଚାଲେ ମାଇଲ ମାଇଲ ରାସ୍ତା । କାହା ପାଇଁ କି..!! ମା’ ଚାଲିଗଲା ପରେ ଗୋଟିଏ ବୋଲି ଝିଅ ଲକ୍ଷ୍ମୀକୁ ନେଇ ତା’ ସଂସାର । ପାଠ ଦି ଅକ୍ଷର ପଢ଼ାଇ ତାକୁ ବଡ଼ ମଣିଷଟେ କରିବାକୁ ଆବୋରି ନେଇଛି ସଂସାରଯାକର ଦୁଃଖ, କଷ୍ଟ । ତା’କୁ ନେଇ କେତେ ବଡ଼ ବଡ଼ ସ୍ବପ୍ନ ଦେଖିଛି ସେ । ଲକ୍ଷ୍ମୀବି ପାଠ ପଢ଼ାରେ ବେଶ ହୁସିଆର । ସାହି ପଡିଶାଙ୍କ ଟାହି ଟାପରା, “ଦେଖ ହୋ, ଏ ମଳି ମୁଣ୍ଡିଆଙ୍କ ବହପ , କଣ ନା ଝିଅ ହେବ କଲେକ୍ଟର, ଲାଜ ନାହିଁ ଯାହା ଏମାନଙ୍କୁ” । ହେଲେ ଏସବୁକୁ ତିଳେମାତ୍ର ଖାତିର ନ କରି ଦିନ ରାତି ଏକ କରି ଭବିଷ୍ୟତ ଗଢିବାରେ ଲାଗିପଡିଥାଏ ଲକ୍ଷ୍ମୀ ।

ଭଗବାନ ସନିଆର ଡାକ ଶୁଣିଲେ, ଲାଜ ଲୁଚୁନଥିବା ଦରଭଙ୍ଗା ଦଦରା କୁଡ଼ିଆ ଭିତରେ ଆଜି ଖୁସି ଉଲ୍ଲାସର ମାହୋଲ, ନିରାଶାର କଳାବଦଳକୁ ଭେଦକରି ନୂଆ ଏକ ଅଧ୍ୟାୟର ଆରମ୍ଭରେ ଲକ୍ଷ୍ମୀ । ହଁ, ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏକଦା ଦୂର ଦୂର ମାର ମାର କରୁଥିବା ସାହି ପଡିଶା, ବନ୍ଧୁପରିଜନ ଆଜି ନିକଟତର ହେବାକୁ ଆଗଭର । ଝିଅ ଆଜି ବଡ଼ ଅଫିସର । କେଡେ କେଡେ ହାକିମ ହୁକୁମା ଆଜି ଲକ୍ଷ୍ମୀ ଆଗରେ ମୁଣ୍ଡ ନୋଉଁଛନ୍ତି ।

ଚାଂହୁ ଚାଂହୁ ଦିନ କେଇଟାରେ ସନିଆରୁ ସନିଆ ବାବୁ ପାଲଟି ଯାଇଛି ସେ । ମନେ ମନେ କୃତ୍ୟ କୃତ୍ୟ ହୋଇଯାଉଥାଏ ସେ, । ଆଜି ଆଉ ନାହିଁ ଦୁଃଖ, ଦୈନ୍ୟ ଆଉ ଅଭାବର ଦିନ । ଦିନେ ରିକ୍ସା ଟାଣୁଥିବା ସନିଆ ଏବେ ନାଲିବତୀ କାରରେ ବସି ଯାଉଥିବା ବେଳେ ରାସ୍ତା ଘାଟରେ ଲୋକେ କୁହା କୁହି ହେଉଛନ୍ତି, “ବାପା ହେବ ତ ଏମିତି” ।

ଗଳ୍ପ – ତିନି

ବଡ ପୁଅ ଅନିମେଶର ପାଠପଢା ପାଇଁ ଘର, ଜମି ବାଡ଼ି ଆଉ ଚାକିରୀ ସମୟର ସବୁ କଷ୍ଟ ଉପାର୍ଜିତ ଧନକୁ ଅନାୟାସରେ ଟେକି ଦେଇଥିଲେ ମନୋହର ବାବୁ । ତିଳେ ହେଲେ ସାନ ଝିଅ ଆଶାର ଭବିଷ୍ୟତ କଥା ତାଙ୍କ ମନକୁ ଆସିନଥିଲା । ଉଚ୍ଚ ଶିକ୍ଷିତ ସରକାରୀ ବାବୁ ମନୋହରଙ୍କ ମତରେ, ଝିଅମାନେ ପାଠ ପଢି କରିବେ କ’ଣ ! ଅଯଥାରେ ଅର୍ଥଶ୍ରାଦ୍ଧ କରି ସର୍ବସ୍ୱାନ୍ତ ହେବା ଅପେକ୍ଷା ପୁଅ ପିଛା ଟଙ୍କା ଖର୍ଚ୍ଚ କଲେ ଜୀବନର ଶେଷ ସମୟରେ ସେ ତାଙ୍କ ଅସହାୟର ସାହା ହେବ । ତାଙ୍କ କୂଳକୁ ଆଗେଇ ନେବ ।

ସବୁ ଜାଣିବି ଏଇ ପାତରଅନ୍ତର କଥାଟାକୁ କେବେ ବିରୋଧ କରିନାହାନ୍ତି ନୀଳାଞ୍ଜନା ଦେବୀ, ବରଂ ସ୍ଵାମୀଙ୍କୁ ନୀରବରେ ସମର୍ଥନ କରି ଆସିଛନ୍ତି । ସାନ ଝିଅ ଆଶା, ଦେଖିବାକୁ ଖୁବ ସୁନ୍ଦର, ଆଚାର ବ୍ୟବହାରରେ ମଧ୍ୟ ଖୁବ ମାର୍ଜିତ । ସାଙ୍ଗସାଥୀଙ୍କୁ ସ୍କୁଲ ଡ୍ରେସରେ ଦେଖିଲେ ତାର ବି ସ୍କୁଲ ଯିବାକୁ ଭାରି ଇଚ୍ଛା ହୁଏ, ହେଲେ ଅନ୍ୟ ମାନଙ୍କ ଭଳି ପାଠ ପଢିବା ହୁଏତ ସାତ ସ୍ୱପ୍ନ ଥିଲା ତା ପାଇଁ । କାହା ଆଗେ କହିଥାନ୍ତା ନିଜ ମନର କଥା । ଅଭିମାନ ଅଭିଯୋଗ ସବୁକୁ ଛାତିରେ ଚାପିଧରି ତୁଠ ପଥର ଭଳି ସବୁକିଛିକୁ ସହି ନେଉଥିଲା ବିଚାରି ।

ଏପଟେ ସୁଖ ସ୍ବାଛନ୍ଦ୍ୟରେ ବଢି ଆସିଥିବା ବାପା ମା’ଙ୍କ ଅତି ଅଲିଅଳ ଅନିମେଶ ଭିତରେ ବାଛି ନେଇଥିଲା ନିଜ ଜୀବନ ରାସ୍ତା । ସୁଦୂର ଆମେରିକାରେ ନିଜ ମନ ପସନ୍ଦର ସାଥିଟିଏ ବାଛିନେଇ ଘର ପରିବାର ସହ ତୁଟାଇ ଦେଇଥିଲା ସବୁ ସମ୍ପର୍କ ।

ବୟସର ଅପରାହଣରେ ଦୁଃଖ କଷ୍ଟ ଆଉ କରଜର ବୋଝରେ ଭାରାକ୍ରାନ୍ତ ମନୋହର ବାବୁଙ୍କ ପାଇଁ ୟାଠୁ ବଳି ବିଡମ୍ବନା ଆଉ କ’ଣ ହୋଇପାରେ, ସାରାଜୀବନର ପୁଞ୍ଜି ଲଗାଇ, ଗେଲ ବସରରେ ବଡ଼ କରିଥିବା ପୁଅ ଥରୁଟିଏ ସୁଦ୍ଧା ବାପା ମା’ ଙ୍କ ବିଷୟରେ ଚିନ୍ତା କରିନଥିଲା । ଆଜି ଏଭଳି ଦୁସ୍ଥ ପରିସ୍ଥତିରେ ସେମାନଙ୍କର ବଞ୍ଚିବାର ଏକମାତ୍ର ସାହାରା ପାଲଟିଯାଇଛି ଆଶା । ହଁ ସାରାଜୀବନ ଅବହେଳାର ଦହଗଂଜରେ ଅଧିକାର ଟିକକ ପାଇବାକୁ କାକୁତି ମିନତି ହୋଇ ହାରି ଯାଇଥିବା ଆଶା, ଆଜି ନିରାଶାର କଳାବଦଳ ଭିତରେ ସଂଚାରିତ କରିଥିଲା କ୍ଷୀଣ ଆଲୋକର ଶିଖା । ବୃଦ୍ଧ ବାପା ମା’ଙ୍କ ପାଇଁ ସାରା ଜୀବନ ଏକୁଟିଆ ରହିବାର ନିଷ୍ପତ୍ତି ନେଇ ସାରିଥିଲା ଯଥେଷ୍ଟ ପୂର୍ବରୁ । ତେଲ ଲୁଣର ସଂସାର ପାଇଁ ପରଘରେ କାମ କରିବାକୁ ବି ପଛେଇ ନଥିଲା ସେ । ହେଲେ ଏଥିପାଇଁ ତିଳେ ମାତ୍ର ଅବଶୋଷ ନଥିଲା ତା ମନରେ, ବରଂ ବିଳମ୍ବରେ ହେଲେ ବି ବାପା ମାଙ୍କ ସ୍ନେହ ଶ୍ରଦ୍ଧା ଆଉ ସ୍ୱୀକୃତି ଭିତରେ ସେ ଖୋଜି ନେଇଥିଲା ସକଳ ସୁଖ ।

ଜୀବନର ଶେଷ ମୁହୂର୍ତ୍ତରେ ମୃତ୍ୟୁର ବାଟ ଚାହିଁ ବସିଥିବା ଅସହାୟ ବାପା ମା’ଙ୍କର ସେବା ଶୁଶ୍ରୁଷାରେ କାଣିଚାଏ ଅବହେଳା କରିନି ଆଶା । ହାତରେ ଖୁଆଇଦେବା ଠାରୁ ଆରମ୍ଭ କରି ମଳମୂତ୍ର ସଫା କରିବା ପର୍ଯ୍ୟନ୍ତ ସବୁ ନିସଂକୋଚରେ କରିଛି ସେ । ଆଶା ନଥିଲେ, ଆଜି କଣ ହୋଇଥାନ୍ତା ସେମାନଙ୍କର, ଭାବିଲା ବେଳକୁ ଆକାଶ ଛିଣ୍ଡିଲା ପରି ଲାଗେ ତାଙ୍କୁ, ନିଜକୁ ଧିକାରନ୍ତି ମନୋହର ବାବୁ, କେତେବଡ଼ ଅନ୍ୟାୟ କରିଛନ୍ତି ସେ ବିଚାରି ଉପରେ । ନିରୀହ, ନିଷ୍ପାପ ଆଶା ଭିତରେ ନିଜ ଜନ୍ମ କଲା ମା କୁ ଦେଖିପାରିଛନ୍ତି ମନୋହର ବାବୁ, ଅନୁରୋଧ କରିଛନ୍ତି ଝିଅ କୋଳରେ ମୁଣ୍ଡ ରଖି ଶାନ୍ତିରେ ଶୋଇ ଯିବାକୁ, ଛାତିରେ ଜାବୁଡି ଧରି କହିବାକୁ ମା’ ରେ ଯଦି ପାରିବୁ..ଏ ବୁଢା ବାପାଟାକୁ କ୍ଷମା କରିଦେବୁରେ ମା, ତୋ ଭଳି ଝିଅ ଭାଗ୍ୟରେ ଥିଲେ ମିଳେ । ମୁଁ ପାପୀ, ମୋତେ କ୍ଷମା କରିଦେ ।

Leave A Reply

Your email address will not be published.