ଗଞ୍ଜାମ: ଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ । ବିଳମ୍ବିତ ରାତିରେ ୨ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ସହ ହାଣିଲେ ଗ୍ରାମବାସୀ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମ ହେଉଛି ମୃତକ ଜଣକ ହେଲେ, ପୋଲସରା ଥାନା ରାଣୀପଡ଼ା ଗ୍ରାମର ଗଙ୍ଗା କାଣ୍ଡି । ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଣୀପଡ଼ା ଗ୍ରାମ ବିଦ୍ୟାଳୟ ସାହିର ଲକ୍ଷ୍ମୀ ମହାରଣା (୨୪)।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ରାତିରେ ଗଙ୍ଗା ଓ ଲକ୍ଷ୍ମୀ ସୁନାପଲ୍ଲୀ ଗ୍ରାମ ନୂଆ ସାହିକୁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦେଖି ଚୋର ବୋଲି ଭାବି ନିସ୍ତୁକ ମାଡ଼ ମାରିବା ସହ ବାଲିଛାଇ ଫାଣ୍ଡିକୁ ଖବର ଦେଇଥିଲେ। ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ପହଞ୍ଚି ଉଭୟଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସା ପରେ ଗଙ୍ଗାଙ୍କୁ ଘରେ ଛାଡ଼ି ଦିଆ ଯାଇଥିଲା। କିନ୍ତୁ ଆଜି ସକାଳେ ଘରେ ହିଁ ଗଙ୍ଗାଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟପଟେ ଗୁରୁତର ଲକ୍ଷ୍ମୀଙ୍କ ବୟାନ ଅନୁଯାୟୀ, ଗାଁର କିଛି ମଦ ବେପାରୀ ମିଶି ସଂଘବଦ୍ଧ ଭାବେ ସେମାନଙ୍କୁ ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି।
ମୃତକ ଗଙ୍ଗାଙ୍କ ପତ୍ନୀ ନର୍ମଦା ଏନେଇ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।