Latest Odisha News

BREAKING NEWS

କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ।

ବଜ୍ରବଂଶୀ,ରକ୍ତଶସ୍ଯ,ସ୍ବପ୍ନମେଧ,ମେଘସଂଚାର,ବିକ୍ଷୁବ୍ଧ ସମୁଦ୍ର,ପବିତ୍ର ପଞ୍ଚଦଶ, ଦାଣ୍ଡିବୃତ୍ତ, ହଂସହାନି, ପାହାର,ମୂଲ୍ୟାୟନର ପ୍ରଶ୍ନ, ମେଘସଂଚାର,ନିତିଦିନିଆ ଗଣିତ,ସେ କହିଥିଲା ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।

ବସନ୍ତ ମୁଦୁଲି ଯୁବ ପୁରସ୍କାର, ସଚ୍ଚିଦାନନ୍ଦ ସ୍ମାରକୀ, ଅମୃତାୟନ ନବପର୍ବ କବିତା ସମ୍ମାନ, ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ, ୟୁଥ ଇନସ୍ପିରେସନ ପୁରସ୍କାର, ପଶ୍ଚିମା କବିତା ସମ୍ମାନ, ପ୍ରଫୁଲ୍ଲ ମହାକୁଡ଼ ସ୍ମୃତି ସମ୍ମାନ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପୁରସ୍କାର, ନିଶାନ କବିତା ସମ୍ମାନ, ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ଯୁବ ପୁରସ୍କାର, ଆରପାଖ ସାହିତ୍ୟ ସମ୍ମାନ, ସ୍ୱର ଓ ସ୍ବାକ୍ଷର ସମ୍ମାନ, ଲଳିତ ମୋହନ ପଟ୍ଟନାୟକ ସ୍ମୃତି ସମ୍ମାନ, ଅର୍କପ୍ରଜ୍ଞା ସମ୍ମାନ, ଅନ୍ୱେଷିତା ସାହିତ୍ୟ ସମ୍ମାନ, କଳିଙ୍ଗ ସଂସ୍କୃତି ବିକାଶର ସ୍ବତନ୍ତ୍ର ସମ୍ମାନ,ପ୍ରିୟପତ୍ର କବିତା ସମ୍ମାନ , ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ଯୁବ ପୁରସ୍କାର, ସୁଲେଖା ସାହିତ୍ୟ ସମ୍ମାନ, ଅଷ୍ଟବିଂଶତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବ ବିଶେଷ ସମ୍ମାନ ଇତ୍ୟାଦି ଅନେକ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ।

ଲେଖକ ପବିତ୍ର ମୋହନ ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।

୧.  ଆପଣ ଗପ , କବିତା ପ୍ରବନ୍ଧ ସ୍ତମ୍ଭ ସବୁ ଲେଖନ୍ତି ତେବେ ଆତ୍ମତୃପ୍ତି କେଉଁଠି ?

ଉତ୍ତର : ମୂଳତଃ କବିତା ଲେଖେ । ମୋର ପ୍ରବନ୍ଧଗୁଡିକ ମୋ କବିତାର ସମ୍ପ୍ରସାରଣ ।ସ୍ତମ୍ଭଗୁଡିକ ମୋର ବୈଚାରିକ ଆଲୋଡ଼ନର ପରିପ୍ରକାଶ ।ଏହା ବାଦ ଦୁଇଟି ଉପନ୍ୟାସ ଲେଖିଛି । ଏବେ ଗୋପବନ୍ଧୁଙ୍କୁ ନେଇ ଏକ ଧାରାବାହିକ ଚରିତୋପନ୍ୟାସ ଲେଖୁଛି  । ଯାହା ଲେଖେ ସେଥିରୁ ତୃପ୍ତି ନୁହଁ ଆନନ୍ଦ ପାଏ ।

୨.ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଉତ୍ତର : ମୋ ଲେଖାର ଭଲ ଦିଗ କଣ ମୋତେ ପଢ଼ୁଥିବା ଲୋକେ କୁହନ୍ତୁ । ବାକି  ମୋତେ ଲାଗେ ଲେଖକ ହିସାବରେ ମୁଁ ସମାଜରେ ଯେଉଁ ପରିବର୍ତ୍ତନ ଚାହେଁ ତାହା ମୋ ଭିତରେ ପୂର୍ଣ୍ଣ ରୂପେ ଆସିନାହିଁ ।

୩. କବିତାକୁ ନେଇ ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଉପଲବ୍ଧି କ’ଣ ହୋଇପାରେ?

ଉତ୍ତର : ଜୀବନର ପୂର୍ଣାଙ୍ଗ ଅନୁଭବ ଓ ସମ୍ଭାବନାଗୁଡିକର ଅନ୍ବୟ ।

୪. ସୃଷ୍ଟିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଅବଧାରଣା ଟି କ’ଣ ?

ଉତ୍ତର : ସୃଷ୍ଟିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଅବଧାରଣା ସୃଷ୍ଟିର ଉତ୍ସ ଓ ତା’ର ପବିତ୍ରତା ।

୫. ରଚନା ସହିତ ଅନୁଭୁତି କେତେ ମାତ୍ରାରେ ଜଡ଼ିତ ?

ଉତ୍ତର :ଅନୁଭବ ଉପଲବ୍ଧିରେ ପରିଣତ ହେଲେ ରଚନା ଆକାରେ ପ୍ରକାଶ ପାଏ ।

୬. ସମକାଳୀନ ସାହିତ୍ୟକୁ ଆପଣ କିପରି ଦେଖନ୍ତି ?

ଉତ୍ତର :ଅନେକ ଦିଗରୁ ସମ୍ଭାବନାମୟ । ତେବେ ଏକ ମଧ୍ୟବର୍ଗୀୟ ଶିଥିତା ସମକାଳୀନ ସାହିତ୍ୟର ବଡ଼ ସମସ୍ୟା ।

୭. ଜଣେ ଲେଖକର ସମାଜ ପ୍ରତି କି ଦାୟିତ୍ୱ ରହିବା ଆବଶ୍ୟକ?

ଉତ୍ତର : ଜଣେ ଲେଖକ ନିଜ ପ୍ରତି ଯଥାର୍ଥରେ ଦାୟିତ୍ୱବାନ ହେଲେ ସମାଜ ପ୍ରତି ଦାୟିତ୍ୱ ଆପେ ଦେଖାଯିବ ।

୮. ଗଳ୍ପ ଓ କବିତା ଉଭୟ କିପରି ଭାବରେ ଭିନ୍ନ ?

ଉତ୍ତର : କବିତାର ନେପଥ୍ୟରେ ଥାଏ ସଂଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ । ଗପରେ ବଖାଣ ମୂଳ କଥା ।

୯. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ?

ଉତ୍ତର : ପାଠକ ଯୋଗ୍ୟ ହୋଇଥିଲେ ତାଙ୍କ ମତାମତ ନମ୍ରତାର ସହ ଗ୍ରହଣ କରାଯିବ ।

୧୦. ଲେଖକପଣର ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତି କ’ଣ ହୋଇପାରେ?

ଉତ୍ତର : ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତି ବୋଲି କିଛି ନଥାଏ । ପ୍ରତି ମୁହୂର୍ତ୍ତର ସୀମାନ୍ତରେ ଜୀବନ କଡ଼ ଲେଉଟାଉଥାଏ ।

୧୧. ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ କିପରି ଭାବରେ ଦେଖନ୍ତି ?

ଉତ୍ତର :ଭବିଷ୍ୟତ ଅପେକ୍ଷା ବର୍ତ୍ତମାନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମ ସାହିତ୍ୟର ବର୍ତ୍ତମାନ ବଡ଼ ବିଡ଼ମ୍ବିତ । ରାତି ପାହିଲେ ସମସ୍ତେ ଲେଖକ । ସମାଲୋଚନା ବୋଲି କିଛି ନାହିଁ । ଲେଖାଲେଖି ଏକ ବୃତ୍ତି ହୋଇ ପାରିନାହିଁ । ପୁରସ୍କାର ମାଧ୍ୟମରେ ସାହିତ୍ୟର ମାନ ନିର୍ଦ୍ଧାରିତ ହେଉଛି । ସାହିତ୍ୟ, ବସ୍ତୁତଃ ଏକ ବିଳାସ ହୋଇ ରହିଛି । ଆପ୍ୟାୟନ ଓ ବିନୋଦନ ସାହିତ୍ୟର ଧ୍ୟେୟ ହୋଇଛି ।

୧୨. ନୂଆ ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ?

ଉତ୍ତର : ମୋର ଲେଖାଲେଖି ହିଁ ମୋର ବାର୍ତ୍ତା । ଅଲଗା ବାର୍ତ୍ତା ଅବାନ୍ତର ।

 

Leave A Reply

Your email address will not be published.