Latest Odisha News

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିକୁ ବାଏ ବାଏ କହିଲେ ଶଶିକଳା

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ଓଲଟ ପାଲଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସେ ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା ଘୋଷଣା କରିଛନ୍ତି ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବଞ୍ଚିଥିବା ବେଳେ ମଧ୍ୟ ମୁଁ କେବେ ହେଲେ କ୍ଷମତା କିମ୍ବା ପଦ ପଛରେ ଗୋଡ଼ାଇ ନଥିଲି ବୋଲି କହିଛନ୍ତି ଶଶିକଳା । ତାଙ୍କ ମୃତ୍ୟୁ ପରେ ମଧ୍ୟ ମୁଁ ସେମିତି କିଛି ବି କରିବି ନାହିଁ । ଏଥିପାଇଁ ମୁଁ ରାଜନୀତିକୁ ସବୁଦିନ ପାଇଁ ଅଲବିଦା କରୁଛି । ହେଲେ ଜୟାଙ୍କ ପାର୍ଟି ଏଆଇଏଡିଏମକେ ବିଧାନସଭା ନିର୍ବାଚନରେ ଜିତୁ ବୋଲି ମୁଁ ପ୍ରାର୍ଥନା କରୁଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ସଜା କାଟି ମୁକୁଳିଥିଲେ । ବେଙ୍ଗାଲୁରୁ ଜେଲ୍‌ରୁ ବାହାରିବା ପରେ ଜାନୁଆରୀ ୩୧ରେ ତାମିଲନାଡୁରେ ପ୍ରଥମ ଥର ପାଦ ଦେଇଥିଲେ । ତାମିଲନାଡୁ ଆସିବା ପରେ ସେ କହିଥିଲେ ଯେ ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି ଏବଂ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି ବୋଲି କହିଥିଲେ ଶଶିକଳା ।

Comments are closed.