ପରମେଶ୍ୱର ଧଳ
(ସୌରୀବଂଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ)
ଗତ ତା ୧୩.୦୪.୨୦ ରିଖ ରାତି ୧୧ଟା ଓ.ଟି.ଭି ଖବର ପ୍ରସାରଣରେ ଦେଖିବାକୁ ମିଳିଲା ଶ୍ରୀ ସୌରୀବଂଧୁ କରଙ୍କ ପରଲୋକ ଗମନ ଖବର । ତା’ ପରଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଟ ଶ୍ରମିକ ନେତାମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ । ସାଧାରଣ ପରିସ୍ଥିତି ଥିଲେ ଶହଶହ ବନ୍ଧୁବାନ୍ଧବ, ଆଧ୍ୟାତ୍ମିକ, ସାହତ୍ୟିକ, ସାଂସ୍କୃତିକ, ଶ୍ରମିକ ନେତା, ବ୍ୟାଙ୍କ କର୍ମଚାରୀ ସଂଘ ନେତା ତଥା ରାଜନୈତିକ ନେତାଙ୍କ ଭିଡ଼ ଜମିଥାନ୍ତା ଶବଧାରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ । କିନ୍ତୁ କରୋନା ପରିସ୍ଥିତି ସେ ସବୁ କିଛି କରିବାକୁ ଦେଲାନାହିଁ । ତାଙ୍କର ଏ ଅକାଳ ମୃତ୍ୟୁରେ ଓଡ଼ିଶା ତା’ର ଜଣେ ବରପୁତ୍ରକୁ ହରାଇଲା ।
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ତାଙ୍କ ଜୀବନ ସମର୍ପିତ ଥିଲା । ଯୁବକ ଯୁବତୀମାନଙ୍କୁ ସ୍ୱାମୀଜୀଙ୍କ ମର୍ମସ୍ପର୍ଶୀ ବାଣୀରେ ବିଭିନ୍ନ ସଭାସମିତିରେ ଉଦ୍ବୋଧନ ଦେଇ ଦେଶପ୍ରେମ ଭାବ ଜାଗ୍ରତ କରାଉଥିଲେ । ଦେଖିଲାକ୍ଷଣି ହସହସ ମୁହଁରେ ସମସ୍ତଙ୍କୁ ଆପଣାର କରି ନେଉଥିଲେ ।
ବ୍ୟାଙ୍କରେ କାର୍ଯ୍ୟ କରିବା ସମୟରେ ସେ ଶ୍ରମିକ ଶ୍ରେଣୀଙ୍କ ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇ କାନାରା ବ୍ୟାଙ୍କ କର୍ମଚାରୀ ସଂଘର ସର୍ବଭାରତୀୟ ଉପସଭାପତି ଓ ରାଜ୍ୟ ସମ୍ପାଦକ ଭାବେ ଅବସର ପର୍ଯ୍ୟନ୍ତ ସେହି ଦାୟିତ୍ୱରେ ଥିଲେ । ଏହା ବ୍ୟତୀତ ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ଥିଲେ । ଶ୍ରମିକ ଶ୍ରେଣୀ ପ୍ରତି ତାଙ୍କର ଏକନିଷ୍ଠ ପ୍ରତିବଦ୍ଧତା ଥିବାରୁ ସେ ଭାରତର ସର୍ବପୁରାତନ ଶ୍ରମିକ ସଂଗଠନ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏଆଇଟିୟୁସି)ରେ ଯୋଗ ଦେଇଥିଲେ ଏବଂ ୨୦୦୨ରୁ ବଞ୍ଚୁଛିବା ପର୍ଯ୍ୟନ୍ତ ଏହାର ରାଜ୍ୟ ସାଧାରଣ ସମ୍ପାଦକ ଓ ସର୍ବଭାରତୀୟ ଉପସଭାପତି ଥିଲେ । ଓଡ଼ିଶାର ଜଣେ ଆଗଧାଡ଼ିର ଶ୍ରମିକ ନେତା ଭାବରେ ସେ ସ୍ୱୀକୃତି ଲାଭ କରିବା ସହିତ ୨୦୧୬ ମସିହାରେ ବିଶିଷ୍ଟ ଶ୍ରମିକ ନେତା ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଛାତ୍ର ଜୀବନରୁ ସେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାମକୃଷ୍ଣ ମଠ ଓ ମିଶନ ସହିତ ଗଭୀର ଭାବେ ସଂଶ୍ଲିଷ୍ଟ ଏବଂ ଭୁବନେଶ୍ୱର ରାମକୃଷ୍ଣ ମିଶନର ପରିଚାଳନା କମିଟିର ସଦସ୍ୟ ଭାବରେ ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘବର୍ଷ ଧରି ରହି ଆସିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗଭୀର ରୁଚି ରଖୁଥିବା ଡକ୍ଟର କର ଜଣେ ସାରସ୍ୱତ ସାଧକ ଭାବରେ ଜଣାଶୁଣା । ତାଙ୍କର ଏଯାବତ୍ ଗଳ୍ପ ପ୍ରବନ୍ଧ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ଅନୁବାଦ ଇତ୍ୟାଦି ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ସେ ଶ୍ରୀରାମକୃଷ୍ଣ, ମା’ ସାରଦାଦେବୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଲେଖିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ଓ ଠାକୁର ଶ୍ରୀରାମକୃଷ୍ଣ ଦେବଙ୍କ ଶ୍ରୀଚରଣରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ।
ମୋ.: ୭୭୩୫୪୧୦୬୭୦