Latest Odisha News

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦୈନିକ ୭୦୦ ଟନ୍ ଅମ୍ଳଜାନ ଯୋଗାଣ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅମ୍ଳଜାନ ଉତ୍ପାଦନ କରାଯାଉଛି । ଏଥିସହ ତିନିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ବିନାମୂଲ୍ୟରେ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଗତ ଦୁଇ ଦିନ ଧରି ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଡିଉ ଓ ଦାଦ୍ରା ନଗର ହାଭେଲି କେନ୍ଦ୍ର ଶାସିତ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅମ୍ଳଜାନକୁ ସ୍ବତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି । ରିଲାଏନ୍ସ ପକ୍ଷରୁ ଯୋଗା ଯେଉଥିବା ଅମ୍ଳଜାନ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅତିକମ୍‌ରେ ୭୦ ହଜାର ଅତି ଗୁରୁତର କରୋନା ଆକ୍ରାନ୍ତଙ୍କ ଦୈନିକ ଆବଶ୍ୟକତା ପୂରଣ କରିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସିଏସ୍‌ଆର୍ ଅଭିଯାନର ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ବିନା ମୂଲ୍ୟରେ ସ୍ୱତନ୍ତ୍ର ଟ୍ୟାଙ୍କର ଜରିଆରେ ଅମ୍ଳଜାନ ପରିବହନ କରାଯାଉଛି । ପୂର୍ବରୁ ଜାମନଗର ରିଫାଇନାରିରେ ମେଡିକାଲ୍ ମାନର ଅମ୍ଳଜାନ ଉତ୍ପାଦନ ହେଉନଥିଲା । ଶିଳ୍ପ ଗ୍ରେଡ୍‌ର ଅମ୍ଳଜାନ ଅଶୋଧିତ ତୈଳରୁ ପେଟ୍ରୋଲ୍‌, ଡିଜେଲ୍ ଓ ଜେଟ୍ ଇନ୍ଧନ ଆଦି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା । ମାତ୍ର ଦେଶରେ କୋଭିଡ୍‌-୧୯ ମାମଲରେ ଘଟିଥିବା ବୃଦ୍ଧି ଯୋଗୁଁ ଅମ୍ଳଜାନର ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅମ୍ଳଜାନକୁ ନେଇ ମେଡିକାଲ୍ ମାନର ଅମ୍ଳଜାନ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି । ଅନ୍ୟ ରାଜ୍ୟମାନଙ୍କରୁ ଚାହିଦା ଆସିଲେ କମ୍ପାନୀ ସେମାନଙ୍କୁ ମଧ୍ୟ ମେଡିକାଲ୍ ମାନର ଅମ୍ଳଜାନ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି । କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି ।

ଦେଶରେ କରୋନା ମୁକାବିଲାରେ ସହଯୋଗର ହାତ ବଢାଇଥିବା ରିଲାଏନ୍ସ ଫାଉଣ୍ଡେସନ ଏହା ପୂର୍ବରୁ ଦେଶର ପ୍ରଥମ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍‌କୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ୍ କର୍ପୋରେସନ ସହଯୋଗରେ ମୁମ୍ବାଇ ଠାରେ ସ୍ଥାପନ କରିଥିଲା । ଏହାପରେ ମହାରାଷ୍ଟ୍ରର ଲୋଧିଭାଲି ଠାରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଥିବା ବେଳେ, ମୁମ୍ବାଇର ସ୍ପନ୍ଦନ ହୋଲିଷ୍ଟିକ୍ ମଦର ଆଣ୍ଡ୍ ଚାଇଲ୍ଡ କେୟାର ହସ୍ପିଟାଲ୍‌ରେ କ୍ବାରେଣ୍ଟାଇନ ୱାର୍ଡର ବ୍ୟବସ୍ଥା କରାଯାଇଛି । କରୋନା ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି ଲାଗି ଶ୍ରୀ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍‌କୁ ଆଇସିଏମ୍‌ଆର୍ ପକ୍ଷରୁ ଚିହ୍ନଟ କରାଯାଇଥିଲା ।

ସେହିଭଳି ଭାରତର କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଁ ରିଲାଏନ୍ସ ଲାଇଫ୍ ସାଇନ୍ସେସ୍ ପରୀକ୍ଷଣ କିଟ୍ ଉପଲବ୍ଧ କରୁଥିବା ବେଳେ, ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ରିଲାଏନ୍ସ ଦୈନିକ ୧ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଏବଂ ମାସ୍କ ଉତ୍ପାଦନ କରୁଛି । କମ୍ପାନୀ ପକ୍ଷରୁ ଓଡ଼ିଶା ସମେତ ଦେଶର ୨୧ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ମିଶନ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମରେ ୬୭ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରାଯାଇଛି । ଗତବର୍ଷ ଲକ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା ଅବ୍ୟାହତ ରଖିବା ପାଇଁ ଦେଶର ୧୮ଟି ରାଜ୍ୟର ୨୪୯ ଜିଲ୍ଲାରେ ୧୪ ହଜାରରୁ ଅଧିକ ଆମ୍ବୁଲାନ୍ସକୁ ରିଲାଏନ୍ସ ପକ୍ଷରୁ ୫.୫ ଲକ୍ଷ ଲିଟର ମାଗଣା ଇନ୍ଧନ ଯୋଗାଇ ଦିଆଯାଇଥିଲା । ଏଥିସହ ମିଶନ ଅନ୍ନସେବା ଜରିଆରେ ୫.୫ କୋଟି ଭୋଜନ ଦେଶର ୮୦ଟି ଜିଲ୍ଲାରେ ପ୍ରଦାନ କରାଯାଇଥିଲା । ପିଏମ୍ କେୟାର ପାଣ୍ଠି ସମେତ ବିଭିନ୍ନ ରିଲିଫ୍ ପାଣ୍ଠିକୁ ରିଲାଏନ୍ସ ପକ୍ଷରୁ ୫୫୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.