Latest Odisha News

BREAKING NEWS

ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ !

ବୁଗୁଡା: ଆଜି ବି ବଂଚିଛି ମାନବିକତା । ଏହି ଧାଡିଟିକୁ ଲେଖିବା, ପଢିବା କିମ୍ବା କାହାକୁ କହିବା ବେଶ ସହଜ । ହେଲେ ତାକୁ ସତ ପ୍ରମାଣିତ କରିବା ଅନେକଙ୍କ ପକ୍ଷେ ଅସମ୍ଭବ । ତେବେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବୁଗୁଡାର ଚିରିକିପଡା ଗାଁରେ ସାମ୍ନାକୁ ଆସିଛି ।

ଚିରିକିପଡା ଗାଁରେ ରହୁଥିବା ପଂଚୁ ପ୍ରଧାନ ଜ୍ୱରରେ ଆକ୍ରାନ୍ତ ହୋଇ ଅପ୍ରେଲ୍ ୫ତାରିଖ ସକାଳୁ ମୃତ୍ୟୁବରଣ କରିଥିଲେ । ଭାଗ୍ୟର ବିଡମ୍ବନା ସେହିଦିନ ହିଁ ପଂଚୁ ପ୍ରଧାନଙ୍କ ସ୍ତ୍ରୀ ସବିତା ପ୍ରଧାନ ଅପରାହ୍ନ ୩ଟାରେ ଆଖି ବୁଜିଥିଲେ । ଅନ୍ୟପଟେ ମୃତ ପଂଚୁ ଓ ସବିତାଙ୍କ ୩୫ବର୍ଷୀୟ ପୁଅ ଚିତ୍ରସେନ୍ ପୋଲସରା ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷରତ । ତେବେ କୌଣସି ମତେ ପଂଚୁ ପ୍ରଧାନଙ୍କର ଶବଦାହ କରାଯାଇଥିଲା । ହେଲେ ସବିତାଙ୍କ ମୃତ୍ୟୁ ପରେ ଗାଁରେ ଖେଳିଯାଇଥିଲା କରୋନା ସଂକ୍ରମଣର ଆତଙ୍କ ।

ଗାଁ ଲୋକଙ୍କ କଥା ଛାଡନ୍ତୁ ମୃତ ସବିତାଙ୍କ ଝିଅ ଖବର ପାଇ ଗାଁକୁ ଆସିଥିଲେ ହେଁ ମାଆର ମୃତଦେହର ପାଖ ମାଡିବାକୁ ସାହାସ କରିପାରିନଥିଲେ । ଫଳରେ ସବିତାଙ୍କ ଶବଦାହକୁ ନେଇ ଉଠିଥିଲା ଅଜସ୍ର ପ୍ରଶ୍ନ । ତେବେ ଏପରି ସ୍ଥିତିରେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ମାନସ ରଂଜନ ପ୍ରଧାନ ଆଗେଇ ଆସି ବୁଗୁଡା ବିଡିଓ ତନ୍ମୟ ପାତ୍ରଙ୍କୁ ଖବର ଦେଇଥିଲେ ।

ସମସ୍ତ ଘଟଣା ଜାଣିବା ପରେ ବୁଗୁଡା ବିଡିଓ ମେଡିକାଲ ଟିମ୍ ସହ ଯୋଗାଯୋଗ କରିଥିଲେ । ଅନ୍ୟ କାହାକୁ ଅପେକ୍ଷା ନକରି ବିଡିଓ ତନ୍ମୟ ପାତ୍ର, ଡାକ୍ତର ମନୋରଂଜନ ନାୟକ, ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ, ବୁଗୁଡା ମେଡିକାଲ ବିପିଏମ୍ ବିଶ୍ୱଜିତ ପ୍ରଧାନ ଓ ମାନସ ରଂଜନ ପ୍ରଧାନ ଶବଦାହ ପାଇଁ ଅଣ୍ଟା ଭିଡିଥିଲେ । ସମସ୍ତେ ପିପିଇ କିଟ୍ ପିନ୍ଧି ରାତି ପ୍ରାୟ ୮ଟାବେଳେ ସବିତାଙ୍କ ଶବଦାହ କରି ମାନବିକତାର ପରିଚୟ ଦେଇଥିଲେ ।

ଯେଉଁଠି ଗାଁ ଲୋକେ, ପଡିଶାଘର ଓ ଖୋଦ ପରିବାର ଲୋକେ ସବିତାଙ୍କ ମୃତଦେହକୁ ହାତ ଲଗାଇନଥିଲେ, ସେଠି କିଛି ଅଜଣା ଅଚିହ୍ନା ଲୋକ ସବିତାଙ୍କ ଅନ୍ତିମ ସଂସ୍କାର କରିଥିଲେ । ଏହି ଘଟଣା ସମାଜରେ ବଂଚି ରହିଥିବା ମାନବିକତାର ସ୍ପଷ୍ଟ ପ୍ରମାଣ ଦେଇଥିଲା ।

Leave A Reply

Your email address will not be published.