Latest Odisha News

କୋଭିଡ ସମୟରେ ଭୁବନେଶ୍ବର ଏମସ ପକ୍ଷରୁ ଆରମ୍ଭ ହେଲା ସ୍ବତନ୍ତ୍ର ସେବା

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଉପଲବ୍ଧ ଥିବା ବେଡ୍ ଓ ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ସୂଚନା ପାଇବାରେ ସମସ୍ୟା ଉପୁଜୁଛି । ଖାସକରି କୋଭିଡ ଓ୍ବାର୍ଡରେ ସଂକ୍ରମଣର ଭୟାବହତା ପାଇଁ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଥିବାରୁ ଏଭଳି ସମସ୍ୟା ଉପୁଜୁଛି । ଏଭଳି ସ୍ଥିତିରେ ଭୁବନେଶ୍ବର ଏମସ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ୪ଟି ସେବା ।

ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ବେଡ୍ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ୦୬୭୪-୨୪୭୬୭୮୯ ସେବା ଆରମ୍ଭ ହୋଇଛି । ଏହା ପ୍ରତିଦିନ କାର୍ଯ୍ୟ କରିବ ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ସମ୍ପର୍କୀୟମାନେ ଭୁନେଶ୍ବର ଏମସ ଓ୍ବେବସାଇଟରେ ରୋଗୀଙ୍କ ସିଆର ନମ୍ବରକୁ ବ୍ୟବହାର କରି ନିୟମିତ ସୂଚନା ପାଇପାରବେ ।

ସେହିପରି ରୋଗୀଙ୍କ ସମ୍ପର୍କୀୟମାନେ ଚିକିତ୍ସିତ ରୋଗୀଙ୍କ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବା ସମ୍ପର୍କରେ ସୂଚନା ପାଇବା ପାଇଁ ଟେଲି ନର୍ସିଂ ସେବା ପ୍ରଦାନ କରାଯାଉଛି ।

ଏହାସହ କୋଭିଡ ସମ୍ପର୍କରେ ନିରନ୍ତର ଭାବେ ୨୪x୭ ସହାୟତା ଯୋଗାଇ ଦେବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏକ କୋଭିଡ ଟେଲି ମେଡିସିନ୍ ସେବା ଯୋଗାଇ ଦିଆଯାଉଛି । ସାଧାରଣ ଲୋକେ ୮୨୮୦୩୪୬୬୮୪ ନମ୍ବରରେ କଲ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ଏହ ସେବା ପାଇପାରିବେ । ରୋଗୀ ଓ ସମ୍ପର୍କୀୟଙ୍କୁ ସୂଚନା ଦେବା ପାଇଁ ମେଡିକାଲ ପରିସରରେ ଏକ ହେଲ୍ପ ଡେସ୍କ କାର୍ଯ୍ୟ କରୁଛି ବୋଲି ଏମସ ପକ୍ଷରୁ କୁହାଯାଇଛି ।

Comments are closed.