Latest Odisha News

BREAKING NEWS

ମିନାକ୍ଷୀ ଦେବୀଙ୍କ ସ୍ମୃତିରେ

ସସ୍ମିତା ମହାନ୍ତି 

ସାଙ୍ଗଟେ ଫୋନ୍ କରି କହିଲା କି ଦିନ ହେଲା କେଜାଣି ମଣିଷ ଶାନ୍ତିରେ ଟିକିଏ ଟିଭି ଦେଖି ପାରୁନି।

ଆରେ କଣ ହେଲା ?

ସମସ୍ତେ ଟିଭି ଦେଖୁଛନ୍ତି ମୁଁ ଏକା ଭକୁଆ। ମୋ ପାଇଁ ଟିଭି କାଇଁ ଯେ।

ମାନେ….. ତୋ ଘରେ ପରା ତିନି ତିନିଟା ଟିଭି ଲାଗିଛି।

କରୋନା ପାଇଁ ଏବେ ଇଏ ଓ ପିଲାଦୁହେଁ ଘରୁ କାମ କରୁଛନ୍ତି। ତାଙ୍କ ସମୟ ମୁତାବକ ଟିଭି ଦେଖୁଛନ୍ତି। ମୋର ପ୍ରାଇଭେସି କାହିଁ ?

ମୁଁ ହଁ କହି ଏଣୁତେଣୁ ଦିପଦ କଥାହେଇ ଫୋନ୍ ରଖିଲି ଏବଂ ମୋ ପିଲାଦିନକୁ ମନେପକେଇଲି।

ଉଣେଇଶ ବୟାଅଶୀ ମସିହାର ଘଟଣା। ଦିଲ୍ଳୀରେ ଏସିଆଡ୍ ଗେମ ଅନୁଷ୍ଠିତ ହେଉଥାଏ। ସେହି ସମୟରେ ଓଡିଶାରେ ଟେଲିଭିଜନ ବା ଟିଭିର ପ୍ରସାର ଘଟିନଥାଏ। ଏସିଆଡ୍ ଗେମ ଦେଖିବା ପାଇଁ କିଛି ଲୋକ ଟେଲିଭିଜନ କିଣିଲେ। ଆମ କଲୋନୀର ତ୍ରିପାଠୀ ମଉସା ପ୍ରଥମେ ଟେଲିଭିଜନଟିଏ ଆଣିଲେ। ମୁଁ ସେତେବେଳେ ସ୍କୁଲରେ ପଢୁଥାଏ। ଟେଲିଭିଜନ ଆମପାଇଁ ଗୋଟିଏ ନୂଆ ଜିନିଷ। ଖେଳ ଦେଖିବା ପାଇଁ ଯେତିକି ଆଗ୍ରହ ନଥାଏ ନୂଆକରି ଆସିଥିବା ଟେଲିଭିଜନକୁ ଦେଖିବା ନିମନ୍ତେ ସମସ୍ତେ ତାଙ୍କ ଘରକୁ ଯାଉଥାନ୍ତି। ସେତେବେଳେ ରେଡିଓ ସହିତ ଆମେ ପରିଚିତ ଥିଲୁ। ରେଡିଓରୁ ଆମେ ଦେଶବିଦେଶର ସମ୍ବାଦ ଶୁଣିବା ସହିତ ଗୀତ, ନାଟକ ଏବଂ ଖେଳର ଧାରା ବିବରଣୀ ଶୁଣୁଥିଲୁ। ଦୂରଦର୍ଶନରେ ପ୍ରତି ରବିବାର ସଂଧ୍ୟା ଛଅଟାରେ ହିନ୍ଦୀ ଚଳଚ୍ଚିତ୍ର ଏବଂ ବୁଧବାର ଓ ଶୁକ୍ରବାର ରାତି ଆଠଟାରେ ଚିତ୍ରହାର କାର୍ଯ୍ୟକ୍ରମ ଦେଉଥାଏ। ଟିଭିରେ ଦେଖିବା ମଜା ନିଆରା ଥିଲା। ତେଣୁ ଆମେ ସମସ୍ତେ ସେହି ସମୟକୁ ଚାତକ ପରି ଚାହିଁ ରହିଥାଉ। ପଢାପଢିଥିବାରୁ ପ୍ରାୟତଃ ଚିତ୍ରହାର ଦେଖିବାକୁ ଯାଇପାରୁନି। କିନ୍ତୁ ପ୍ରତି ରବିବାର ସିନେମା ଦେଖିବା ପାଇଁ ତ୍ରିପାଠୀ ମଉସାଙ୍କ ଘରକୁ ଯିବାଟା ଥୟ। ଛୁଆ ବଡ ହୋଇ ଆମେ ପ୍ରାୟ ପନ୍ଦର କୋଡିଏ ଜଣ ଯାଉ। ଆମେ ଯିବା ପୂର୍ବରୁ ମାଉସୀ ସେ ଘରୁ ଚେୟାରଗୁଡିକୁ ଉଠେଇ ପିଲାମାନେ ବସିବା ପାଇଁ ସପ ଏବଂ ତା ପଛକୁ ବଡମାନେ ବସିବାକୁ ଚେୟାର ଓ ବେଞ୍ଚ ଧାଡିକରି ପକେଇ କବାଟ ଖୋଲି ଆମକୁ ଅପେକ୍ଷା କରିଥାଆନ୍ତି। ଆମେମାନେ ଗୋଟିଏ ଗୋଟିଏ ଯାଇ ନିଜ ନିଜର ଜାଗା ଅକ୍ତିଆର କରୁ। ପିଲାମାନଙ୍କ ପାଟିରେ ଘର କମ୍ପୁଥାଏ। ଛୋଟପିଲା କିଏ ମରାମରି ହୋଇ କାନ୍ଦିଲାଣି ତ କିଏ ହସିହସି ଗଡିଲାଣି। କ୍ରିକେଟ ଖେଳ ହେଉଥିବା ଦିନ ମଧ୍ୟ ଅବସ୍ଥା ତଦ୍ରୁପ। ପାଟିଗୋଳ ଓ ତାଳିମାଡରେ ଘର ପଡୁଥାଏ ଉଠୁଥାଏ। କିନ୍ତୁ କେବେ ମାଉସୀ ବିରକ୍ତ ହୁଅନ୍ତି ନାହିଁ। ଆମକୁ ହସହସ ମୁହଁରେ ଚକୋଲେଟ୍,ବିସ୍କୁଟ ଓ ବଡମାନଙ୍କୁ ଚା,ସର୍ବତ ବଢେଇ ଦିଅନ୍ତି। ତାଙ୍କର ଦେହ ପା ଭଲମନ୍ଦ ଯାହାହେଉ ପଛେ ଏଥିରେ ବ୍ୟତିକ୍ରମ ନଥାଏ। ଆମମାନଙ୍କ ଘରକୁ ଟିଭିଟିଏ ନଆସିବା ପର୍ଯ୍ଯନ୍ତ ଏଇ ଧାରା ଚାଲୁ ରହିଥିଲା।

ଆଜି ପ୍ରାୟ ସମସ୍ତଙ୍କ ଘରେ ଗୋଟିଏ ନୁହେଁ ଦୁଇ ତିନୋଟି ଟିଭି ଲାଗୁଛି। କାରଣ ଆମର ନିଜସ୍ୱ ଟିଭି ଦରକାର,ପ୍ରାଇଭେସି ଦରକାର।ଘରକୁ କୁଣିଆ ମଇତ୍ର ଆସିଲେ ଆମେ ବାରମ୍ବାର ଘଣ୍ଟା ଦେଖୁଛୁ ସେମାନେ କେତେବେଳେ ଯିବେ ଓ ଆମେ ଶାନ୍ତିରେ ନିଃଶ୍ବାସ ମାରିବୁ।ଅଥଚ ସେତେବେଳେ ମାତ୍ର ଦୁଇଟି କୋଠରୀ ବିଶିଷ୍ଟ କ୍ବାର୍ଟରର ଅଧାରୁ ଅଧିକ ସ୍ଥାନ ଅକ୍ତିଆର କରି ଆମେ ଘଣ୍ଟା ଘଣ୍ଟା ଧରି ମାଉସୀଙ୍କ ଘରେ ଟିଭି ଦେଖୁଥିଲୁ। ତାଙ୍କର ଟିଭି ଖୋଲିବାକୁ ଇଛାଅଛି କି ନାହିଁ କିମ୍ବା କୌଣସି ବ୍ୟକ୍ତିଗତ କାମଥିବା କଥା ଆମେ ଚିନ୍ତା ବି କରୁନଥିଲୁ। ନିଜ ଘର ପରି ଆରାମରେ ବସି ଟିଭି ଦେଖୁଥିଲୁ। ଯଦି କୌଣସି ଦିନ ଆମଭିତରୁ କେହି ଯାଉନଥିଲୁ ତାପର ଦିନ ମାଉସୀ ଘରକୁ ଆସି ନଯିବାର କାରଣ ପଚାରି ବୁଝୁଥିଲେ। ପଢା ଶେଷକରି ତାଙ୍କ ଘରକୁ ଆସିବାକୁ କହୁଥିଲେ।

ଏଇ ସ୍ନେହଶୀଳା ମାଉସୀ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ପ୍ରିୟ ମିନାକ୍ଷୀ ଦେବୀ। ସେ ଏକାଧାରାରେ ଜଣେ ସୁଗୃହିଣୀ, ସୁଲେଖିକା, ସଂଗଠିକା ଓ ସମାଜସେବୀ। ଗାଳ୍ପିକା,ନାଟ୍ଯକାର,ଗୀତିକବି,ପ୍ରାବନ୍ଧିକ ଓ ଶିଶୁସାହିତ୍ୟ ଲେଖିକା ଭାବେ ସୁପରିଚିତା ମିନାକ୍ଷୀ ଦେବୀ “ଅନ୍ୟଜଣେ ସୁଲୋଚନା”, “ଝରାପତ୍ରର ଗୀତି”, “କହିବି ଗୋଟିଏ କଥା”, “କାରଗିଲର ବଧୂ”, “କହୁ କହୁ କହିଦେଲି”, “ପିଲାଙ୍କ ନାଟକ”, “ନିର୍ମୋକ”, “ପ୍ରବନ୍ଧ ବହୁବିଧ”, “ମଣିଷ ପରି ମଣିଷ”, “ମଧୁର– ବିଧୂର” ଇତ୍ୟାଦି ପ୍ରାୟ ତିରିଶିଟି ପୁସ୍ତକର ରଚୟିତା। ସେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ,ଓଡିଆ ଗୀତିକବି ସମାଜର ସଂପାଦକ,ଆଶା ଓ ଆଶ୍ବାସନାର ସଂପାଦକ,ଶରତ ସାହିତ୍ୟ ପରିଷଦର ଉପସଭାପତି,ଫକୀର ମୋହନ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଓ ଗୀତିକବି ପ୍ରେମଲତା ସାମଲ ସ୍ମୃତି କମିଟିର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରୁଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ଯକାର ଥିଲେ।ସାରସ୍ବତ ସାଧନା ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହିତ ଅନେକ ସାରସ୍ବତ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଓ ପୁରସ୍କୃତ ହୋଇଛନ୍ତି।

ମାଉସୀଙ୍କ ସହିତ ପ୍ରାୟ ଦୁଇବର୍ଷ ପୂର୍ବେ ଗପଘର କାର୍ଯ୍ୟକ୍ରମରେ ଦେଖା ହୋଇଥିଲା। ଅନେକ ଦିନ ପରେ ମତେ ଦେଖି ଖୁସିରେ କୁଣ୍ଢେଇ ପକେଇଲେ। କେତେ ଆଦର କଲେ। ସମସ୍ତଙ୍କ କଥା ପଚାରି ବୁଝିଲେ। ମୁଁ କିଛି କିଛି ଲେଖୁଛି ଜାଣି ଆନନ୍ଦିତ ହେଲେ। ନିଜର ଫୋନ୍ ନମ୍ବର ମଧ୍ୟ ଦେଲେ। ମୁଁ ମଝିରେ ମଝିରେ ଫୋନ୍‌ରେ ତାଙ୍କ ସହିତ କଥା ହୁଏ। ବହୁତ ଖୁସି ହୁଅନ୍ତି। ତାଙ୍କ ସ୍ନେହ ଛଳଛଳ କଥା ଶୁଣି ମୁଁ ବି ବହୁତ ଖୁସି ହୁଏ। ମୋତେ ଅଧିକ ଲେଖାଲେଖି କରିବା ପାଇଁ ସର୍ବଦା ଉତ୍ସାହିତ କରନ୍ତି। ତାଙ୍କ ଘରକୁ ଆସିବାକୁ ଡାକନ୍ତି। କିନ୍ତୁ କାର୍ଯ୍ୟ ବ୍ଯସ୍ତତା ଓ କରୋନା ପାଇଁ ମୁଁ ତାଙ୍କ ଘରକୁ ଯାଇ ପାରିନି। ତାଙ୍କର ଆକସ୍ମିକ ମୃତ୍ୟୁ ଖବର ମୋତେ ସ୍ତବ୍ଧ କରିଦେଇଛି। ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। କିନ୍ତୁ ମାଉସୀ ଯେ ଏତେଶୀଘ୍ର ଆମପାଖରୁ ବିଦାୟ ନେଇ ଚାଲିଯିବେ ଏକଥା କେବେ କଳ୍ପନା କରିନଥିଲି।ତାଙ୍କ ପରି ସରଳ ଓ ସ୍ନେହୀ ମଣିଷଟିକୁ ପୁନର୍ବାର ଭେଟି ନପାରିବାର ଅବସୋସ ମୋର ଚିରଦିନ ପାଇଁ ରହିଯିବ।

ମାଉସୀଙ୍କର ଅକାଳ ବିୟୋଗ ଓଡିଆ ସାହିତ୍ୟ ଜଗତ ନିମନ୍ତେ ଅପୂରଣୀୟ କ୍ଷତି। ଅଗଣିତ ପାଠକ ପାଠିକା ତଥା ଅସଂଖ୍ୟ ଶୁଭେଚ୍ଛୁଙ୍କ ହୃଦୟରେ ସେ ଚିର ସ୍ମରଣୀୟା ହୋଇ ରହିଥିବେ।

ଆଜି ତାଙ୍କର ଏକାଦଶାହରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

 

Leave A Reply

Your email address will not be published.