ମୌସୁମୀ ଦାସ
” ରଜ ଆସିଛିରେ, ରଜ ଆସିଛି,
ମନ ମଉଜେ ଆମ ଦୋଳି ଝୁଲୁଛି”
“ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ”
ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ । ମୁଁ ବି ସେତେବେଳେ ଦୁଇ ତିନୋଟି ରଜଗୀତ ନିଜେ ଲେଖି ସ୍ଵର ଦେଇ ଗାଉଥିଲି। ଜେଜେବାପା, ଜେଜେମାଆ, ବୋଉ ସମସ୍ତେ ଖାଇ ପିଇ ଶୋଇଥିବେ। ମୁଁ, ମୋର ଦୁଇ ଭଉଣୀ ଆଉ ଆମ ସାହିର ଦୁଇ ତିନି ଜଣ ସମବୟସୀ ଝିଅ। ରଜ ପନ୍ଦର ଦିନ ପୂର୍ବରୁ ସବୁଦିନ ପାଇଁ ବନ୍ଧା ହେଇ ରହିଥିବା ଦୋଳିଟି ଦ୍ବିପହର ସାରା କାହାକୁ ନ କାହାକୁ କୋଳେଇ ଝୁଲୁଥିବ। ତା’ ସାଙ୍ଗରେ ରଜଗୀତ ବୋଲା ଶିଖା ହେଉଥିବ। ଏମିତି ଆରମ୍ଭ ହେଉଥିଲା ଆମ ରଜ ଛୁଟି।
ତିନି ଭଉଣୀଙ୍କ ପାଇଁ ଏକା ଭଳି କନା କିଣା ହେଇ ଆସେ ଦୋକାନରୁ ଆଉ ବୋଉ ନିଜେ ଆମର ଡ୍ରେସ ବନାଏ ଏକାଭଳି ,କେବେ ଫ୍ରକ , କେବେ ସ୍କାର୍ଟ, ଟପ୍ସ ଆଉ କେବେ ସାଲୁଓ୍ବାର ଜମ୍ପର୍ (ସେତେବେଳେ ସାଲୁଓ୍ବାର କମିଜର ଏଇ ନାଁ ଥିଲା )। ଆଉ, ବଡ଼ ଝିଅ ବୋଲି ମୋ ପାଇଁ କିନ୍ତୁ ଆଉଗୋଟେ ଅଧିକା ଡ୍ରେସ ହେଇଥାଏ ନିଶ୍ଚୟ ଯୋଉଥିପାଇଁ ସେ ଦୁଇଜଣ ମୁହଁ ଫୁଲାନ୍ତି। ବୋଉ ବୁଝେଇ ଦିଏ, ଆର ଥରକୁ ତୁମର ବି ହେବ। କି ସରଳ ମନ ଥିଲା…! ମୁହୂର୍ତ୍ତକରେ ଅଭିମାନ ଗାଏବ। ପୁଣି ମାତି ଯାଉଥିଲୁ ଖେଳରେ।
ପହିଲି ରଜ ପୂର୍ବ ଦିନ ଜେଜେମାଆ ତାଗିଦା କରି ଦିଏ, “ଆଜି ହିଁ ନେଲପଲିସ ଲଗେଇ ଦିଅ ନଖରେ। ଅଳତା ଲଗେଇ ଦିଅ।” ହରଗୌରା ଫୁଲକୁ ବାଟି ହାତରେ ଲଗେଇବାକୁ ରଖିଦେଇଥାଏ। ମୋତେ ଅଳତା ଲଗେଇବାକୁ ଭଲ ଲାଗେନି ବୋଲି ପାଦରେ ବି ମୁଁ ଶୋଇ ଗଲାପରେ ହରଗୌରା ବଟାକୁ ଅଳତା ଭଳି ଲଗେଇ ଦିଏ। ବିନ୍ଦି, ଚନ୍ଦନରେ ଟିପି ଟିପି ସଜେଇ ଦେଉଥାଏ କପାଳ। ଆମ ତିନି ଭଉଣୀଙ୍କ ସଜ ଦେଖି ସାହିର ଅନ୍ୟ ଝିଅମାନେ ବି ସେମାନଙ୍କ ଘରେ କଟାଳ କରନ୍ତି, ଆମକୁ ସଜାଅ ସେମିତି। ସମସ୍ତେ ବୋଉ ପାଖକୁ ପଠେଇ ଦିଅନ୍ତି। ବୋଉ ହସି ହସି ସମସ୍ତଙ୍କୁ ସଜ କରି ଦିଏ।
ଛତ୍ରପୁରରେ କଟକ ଭଳି ରଜପାଳନ ହୁଏନି। କିନ୍ତୁ ବୋଉ ଯେହେତୁ କଟକଝିଅ, ତା’ ଇଚ୍ଛାକୁ ଜେଜେମାଆ ମାନି ନେଇଥିଲା। ତା’ଛଡ଼ା, ଜେଜେମାଆ କହୁଥିଲା, ପର୍ବ , ଉତ୍ସବ ସବୁ ଖୁସି ପାଳିବାର ଗୋଟେ ଗୋଟେ ମଉକା। ଆମ ସଂସ୍କୃତି , ପରମ୍ପରା ଆଗକୁ ବଢ଼େଇନେବା ହିଁ ଆମର କର୍ତ୍ତବ୍ୟ। ଆମର କରଣଘରେ ଝିଅ ବୋହୂଙ୍କ ରଜପର୍ବ ପାଳନ ବହୁତ ଧୁମ୍ ଧାମ୍ରେ ହୁଏ।
ରଜପର୍ବ ମାନେ ହିଁ ପୋଡ଼ପିଠା, ପାନ, ଦୋଳି ଝୁଲା ଆଉ ଆମ୍ବ। ଆମ ଗାଆଁ ତୋଟାରୁ ଜେଜେବାପା ଆଣୁଥିଲେ ଠୁରି ଆମ୍ବ। ଛୋଟ ଛୋଟ ଦେଶୀ ଆମ୍ବ, ଭାରି ମିଠା। ବଜାରରୁ ବି କିଣା ହେଇ ଆସୁଥିଲା ହରେକ ପ୍ରକାର ଆମ୍ବ, ବାଇଗଣ ପଲେଇ, ସୁନ୍ଦରୀ , ଲେଙ୍ଗେଡା, କଲମ୍ବୀ ଆଉ କଣ କଣ ନାଁ ସବୁ।
ଜେଜେମାଆ, ବୋଉ, କାହ୍ନୁ ଦିନକ ଆଗରୁ ଚାଉଳ କୁଟି ଚୂନା କରି ରଖି ଥାଆନ୍ତି। ବିଭିନ୍ନ ମସଲା କୁଟି ଡବାରେ ରଖା ସରିଥାଏ। ଜେଜେମାଆର ପାନବଟାରେ ମିଠାପାନ ପାଇଁ ମସଲା ରେଡ଼ି ହେଇଥାଏ। ଆଉ ଜେଜେମାଆ ସାହିର ସବୁ ଝିଅଙ୍କୁ ଆଗୁଆ କହି ଦେଇଥାଏ, ରଜ ତିନିଦିନଯାକ ଆମ ଘରେ ଖାଇବାକୁ।
ସେତେବେଳେ ଆମ ଘରେ କାଠ ଚୂଲି ଆଉ କୋଇଲା ଚୂଲି ଥିଲା। ରଜ ପୂର୍ବ ଦିନ ଦିନ ବେଳୁ ଆରମ୍ଭ ହେଇ ଯାଉଥିଲା ପିଠା ପ୍ରସ୍ତୁତି। ବିରି ବଟା ହେଇ ଫେଣାଇ ଦେଇ ରଖୁଥିଲା ବୋଉ। ନଡ଼ିଆ, ଛେନା ପୁର ତିଆରି ହେଉଥିଲା। ସେଥିରେ ମିଶୁଥିଲା ଗୁଜୁରାତି, ଅଦା, ଗୋଲମରିଚ ଛେଚା । ଗୁଡ଼ ପାଗରେ ଚାଉଳଚୂନା ଜନ୍ତୁଣି କରି ପୁରଦିଆ ବିରାଟ ଗୋଟେ ପିଠା ବସୁଥିଲା ପଲମରେ । ବିରି ବଟାରେ ଚାଉଳ ଚୂନା, ପାଚିଲାକଖାରୁକୋରା, ଗୁଡ଼ ଆଉ ସବୁ ପୁର ମିଶେଇ ଆଉ ଗୋଟେ ବଡ଼ ପଲମରେ ଆଉ ଭିନେ ପୋଡ଼ ପିଠା ହେଉଥିଲା। ତା’ ସାଙ୍ଗକୁ କାକରା, ମଣ୍ଡା, ଆରିସା, ଆଉ କେତେ କଣ ଖସ୍ତା ଲୁଣି ଜିନିଷ।
ଆମେ ପିଲାଏ ଖୁବ୍ ଖୁସ୍। ପହିଲି ରଜ ସକାଳୁ ସଜବାଜ ହେଇ ଦୋଳି ପାଖରେ ସବୁ ହାଜର। ରଜଗୀତର ସ୍ଵର ଛୁଟୁଥାଏ। ଏ ଦୋଳି କେବେ କେଜାଣି ମୋଟା ଶକ୍ତ କୂଅଦଉଡାରେ ବାନ୍ଧିଥିଲା ଥରେ ଯେ ଆଉ କେବେ ଓରାରୁ ଖୋଲା ହେଇନଥିଲା , ଆମ ବିରାଟ ବଡ଼ ହଲ ଘରଟି ଭାଙ୍ଗି ଦୁଇ ଭାଗ ହେବାଯାଏଁ। ପ୍ରତିବର୍ଷ ରଜ ପନ୍ଦର ଦିନ ପୂର୍ବରୁ ଦୋଳିଝୁଲା ଆରମ୍ଭ ହୁଏ ଯେ ସରେ ବସୁମତୀ ସ୍ନାନପରଦିନ, ଆମ ସ୍କୁଲ ଖୋଲିଲା ଦିନ।
ରଜ ତିନିଦିନ ଆମ ଘରେ ସାହିସାରାର ପନ୍ଦର କି ସତର ଝିଅଙ୍କ ଭିଡ଼। ଖାଇବା ପିଇବା ଖେଳିବା ଭିତରେ କେଡ଼େ ସହଳ ବିତିଯାଉଥିଲା ରଜ ତିନିଦିନ। ବସୁମତୀ ସ୍ନାନ ଦିନ ଆମ ଘରେ ଲକ୍ଷ୍ମୀସ୍ନାନ ବି ହୁଏ। ଜେଜେମାଆ ଲକ୍ଷ୍ମୀ ପିତୁଳାଙ୍କ ସ୍ନାନ କରି ଖିରୀ, ଖେଚୁଡ଼ି, ଚକୁଳି , ଘାଣ୍ଟ ତରକାରୀ ଭୋଗ ଲଗାଏ ଓ ପୁଣି ସବୁ ଝିଅଙ୍କୁ ଖାଇବାକୁ ବାଢେ।
ରଜ ସରେ, ସ୍କୁଲ ଖୋଲେ ପରଦିନ। ବର୍ଷକ ପାଇଁ ପୁଣି ଥରେ ଅପେକ୍ଷା ରୁହେ। ମୋ’ର ଯୁକ୍ତ ଦୁଇ ପରୀକ୍ଷା ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ରଜପାଳନ ଏମିତି ହେଉଥିଲା ଆମ ଘରେ। ସେଥରକ ଜେଜେମାଆକୁ ସବୁ ଝିଅ ଟାଣିଲେ, ,ଦୋଳି ଝୁଲିବାକୁ। ନା ନା କରୁ କରୁ ଶେଷରେ ବସିଲା ସେ। ଦୁଇ ଚାରିଥର ଝୁଲିଛି କି ନାହିଁ, ତା’ ମୁଣ୍ଡ କ’ଣ ହେଲା। ଓହ୍ଲା ଓହ୍ଲା ପାଟି କଲାଠୁ ଆମେ ସମସ୍ତେ ଖିଲିଖିଲି ହସି ଉଠିଲୁ। ଓହ୍ଲାଇ ସାରି ବେଜାଏ ଶୋଧିଲା ସେ, ଅବଶ୍ୟ ଗେଲରେ। ଜେଜେବାପା ତା’କୁ ଛିଗୁଲେଇଲେ, “ବୁଢ଼ୀ ବୟସରେ କୁଆଁରୀ ସଜ ହେଇଛି”, ଜେଜମାଆ ରାଗିକି ଦିନାକେତେ ତାଙ୍କ ସହିତ କଥା ହେଲାନି ଆଉ।
ମୋ’ର ଯୁକ୍ତ ଦୁଇ ପରେ, ମୁଁ ବାଲିଗୁଡା ଗଲି ବାବାଙ୍କ ପାଖରେ ରହି ପଢିବାକୁ। ତା’ପର ବର୍ଷଠୁଁ କାହିଁକି କେଜାଣି ଆଉ ରଜର ସେ ଜମ୍ ଘଟ୍ ଆମ ଘରେ ଆଉ ନ ଥିଲା। ପରେ ତିନି ବର୍ଷ ପରେ ଜେଜେବାପା ଓ ତା ପରେ ଜେଜେମାଆ ଚାଲିଗଲେ ଏବଂ ଆମର ଛତ୍ରପୁର ଘରଟି ତାଲା ପଡି ରହିଲା। ଏବେ ବି ପ୍ରତି ବର୍ଷ ରଜ ଆସିଲେ ଶୈଶବର ଏଇ ସୁନ୍ଦର ସ୍ମୃତି ଆଚ୍ଛନ୍ନ କରେ ଆମ ତିନି ଭଉଣୀଙ୍କୁ ।
Comments are closed.