Latest Odisha News

BREAKING NEWS

ଜମ୍ମୁ ଓ କଶ୍ମୀର ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦାବି କରିବ କଂଗ୍ରେସ

-୨୪ରେ ରାଜ୍ୟ ନେତାଙ୍କୁ ଭେଟିବେ ମୋଦୀ

-ନିର୍ବାଚନ ନେଇ ମଧ୍ୟ ଆଲୋଚନାର ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସବୁ ଦଳର ନେତାଙ୍କୁ ଭେଟିବେ। ଜମ୍ମୁ ଓ କଶ୍ମୀର ବିଭାଜନ ହୋଇ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାକୁ ୨ ବର୍ଷ ପୂରିବାକୁ ଯାଉଥିବା ବେଳେ ଏଭଳି ବୈଠକ ପ୍ରଥମ ଥର ପାଇଁ ହେଉଛି। ଏ ବୈଠକରେ କଂଗ୍ରେସ ଜମ୍ମୁ ଓ କଶ୍ମୀର ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦାବି କରିବ। ଏହାଛଡ଼ା ଓ ଜାମ୍ମୁ ଓ କଶ୍ମୀର ପାଇଁ ଆଉ କଣ ସବୁ ଦାବି ରହିବ ତା ଉପରେ ଆଲୋଚନା ପାଇଁ ଆଜି କଂଗ୍ରେସର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସୁଛି। ତେବେ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ହିଁ ସବୁଠାରୁ ବଡ଼ ଦାବି ରହିବ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି। କଂଗ୍ରେସର ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କରଣ ସିଂ, ପି ଚିଦାମ୍ବର, ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଭାରୀ ରଜନୀ ପାଟିଲ, ତାରିକ ଅହମ୍ମଦ କର୍, ଓ ଗୁଲାମ ଅହମ୍ମଦ ମୀର ଏହି ବୈଠକରେ ଯୋଗଦେବେ। ଏହି ବୈଠକ ଫିଜିକାଲ ବୈଠକ ହୋଇଥିବାରୁ ବିସ୍ତୃତ ଆଲୋଚନା ହୋଇପାରିବ ବୋଲି ଆଜାଦ କହିଛନ୍ତି। ଆଜାଦ କହିଛନ୍ତି ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଜମ୍ମୁକଶ୍ମୀରର ହକ୍। ମିଶ୍ରଣ ବେଳେ ଗୋଟିଏ ରାଜ୍ୟ ଭାବେ ମିଶିଥିଲା, ଏହାକୁ କେହି ଅଲଗା ରଖିପାରିବେନାହିଁ।

ସେପଟେ ମୋଦୀ ଜାମ୍ମୁ କାଶ୍ମୀର ପାଇଁ କଣ ଚିନ୍ତା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।  ତେବେ ବୈଠକରେ ନିର୍ବାଚନ ପ୍ରସଂଗରେ ମଧ୍ୟ ଆଲୋଚନା ହୋଇପାରେ। ବରିଷ୍ଠ ଅଧିକାରୀମାନଙ୍କ ସୂଚନା ଅନୁସାରେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେଣୁ ଏଠାରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ପାଇଁ ସୁଯୋଗ ରହିଛି। ଯଦି ନିର୍ବାଚନ କମିଶନ ଚାହିଁବେ ତେବେ ଏଠାରେ ନିର୍ବାଚନ କରାଇପାରିବେ ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପ୍ରଧାନମନ୍ତ୍ରୀ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଫେରାଇବାକୁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ମୋଦୀ କଣ ଚିନ୍ତା କରିଛନ୍ତି ତାହା ୨୪ର ବୈଠକ ପରେ ହିଁ ସ୍ପଷ୍ଟ ହେବ।

Comments are closed.