Latest Odisha News

BREAKING NEWS

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫ ହଜାର ୩୫୯ ହେକ୍ଟର ଚାଷ ଜମିକୁ ଛଡାଯାଇଛି ପାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ହେବା ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ଦ୍ବାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ବରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନ ଶକ୍ତି କାର୍ଯ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ, ସବୁ କ୍ଷେତ୍ରରେ ମୟୂରଭଞ୍ଜ ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗାମୀ ଖରିଫ ଋତୁରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି । ସେହିପରି ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

Comments are closed.