Latest Odisha News

BREAKING NEWS

ଆମଦାନୀ ନେତାଙ୍କୁ ଥଇଥାନ…

ଭୁବନେଶ୍ୱର: ବିଜେଡି ପ୍ରକାଶ କରିଛି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାରେ ୮ଟି ଲୋକସଭା ଆସନରେ ନୂଆ ମୁହଁ ଦେଖିବାକୁ ମିଳିଛି । ସେହିପରି ୧୫ ଜଣ ବିଧାୟକଙ୍କ ଟିକେଟ ବି କଟିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତାଙ୍କୁ ପ୍ରାଧାନ୍ୟ ମିଳିଛି । ସ୍ପଷ୍ଟ ଭାବେ କହିବାକୁ ଗଲେ ଆମଦାନୀ ନେତାଙ୍କୁ ଥଇଥାନ କରାଯାଇଛି । ଏହି ଆମଦାନୀ ଓ ଥଇଥାନ୍ ତାଲିକାରେ ଅଛନ୍ତି ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଯୋଗେଶ ସିଂ, ନବ କିଶୋର ଦାସ ଓ ସୁନିତା ବିଶ୍ୱାଳ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ୨/୨ ଥର ବ୍ରହ୍ମପୁର ଲୋକସଭା ନିର୍ବାଚନରେ ସିଦ୍ଧାନ୍ତ ମହାପାତ୍ର ଠାରୁ ପରାଜିତ ହୋଇଥିଲେ । ତେବେ ବର୍ଷକ ତଳେ ବିଜେଡିରେ ଯୋଗ ଦେଇଥିଲେ ଚନ୍ଦ୍ରଶେଖର ସାହୁ । ଆଉ ବର୍ଷକ ପରେ ତାଙ୍କୁ କରାଗଲା ଥଇଥାନ । ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କାଟି ବ୍ରହ୍ମପୁର ଲୋକସଭା ଆସନ ଟିକେଟ ଧରାଇ ଦିଆଗଲା ଚନ୍ଦ୍ରଶେଖର ସାହୁଙ୍କୁ । ସେହିପରି ଚନ୍ଦ୍ରଶେଖର ସାହୁଙ୍କ ସହ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତା ବିକ୍ରମ ପଣ୍ଡାଙ୍କୁ ମଧ୍ୟ ଥଇଥାନ କରାଯାଇଛି । ୫ ଥର ବିଧାୟକ ରହିଥିବା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସ୍ଥାନରେ ବିକ୍ରମ ପଣ୍ଡାଙ୍କୁ ମିଳିଛି ବ୍ରହ୍ମପୁର ବିଧାନସଭା ଟିକେଟ ।

ସେହିପରି ନାଟକୀୟ ଢ଼ଙ୍ଗରେ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଓ ନବ କିଶୋର ଦାସଙ୍କୁ ମଧ୍ୟ ଥଇଥାନ୍ କରିଛି ବିଜେଡି । ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଓ ନବ କିଶୋର ଦାସଙ୍କୁ ଝାରସୁଗୁଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ଝାରସୁଗୁଡା ଓ ସୁନ୍ଦରଗଡ ଆସନରୁ କଂଗ୍ରେସ ବିଧାୟକ ଥିଲେ ଏହି ଦୁଇନେତା ।

ସେହିପରି କିଛି ଦିନ ତଳେ ବିଜେଡିର ହାତ ଧରିଥିବା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି ।

ଯଦି ସୁନ୍ଦରଗଡ ଲୋକସଭା ଆସନରୁ କଂଗ୍ରେସ ହେମାନନ୍ଦ ବିଶ୍ୱାଳଙ୍କୁ ପ୍ରାର୍ଥୀ କରେ ତେବେ ବାପା-ଝିଅଙ୍କ ମଧ୍ୟରେ ରୋଚକ ଲଢ଼େଇ ଚଳିତ ନିର୍ବାଚନରେ ଦେଖିବାକୁ ମିଳିପାରେ ।

ତେବେ ଆଗକୁ ଦେଖିବାକୁ ବାକି ରହିଲା ଅନ୍ୟ ୩ ଟି ପର୍ଯ୍ୟାୟର ଘୋଷଣା ସମୟରେ ବିଜେପି ଓ କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କୁ କିଭଳି ଥଇଥାନ କରୁଛି ବିଜେଡି ।

Leave A Reply

Your email address will not be published.