Latest Odisha News

BREAKING NEWS

ପ୍ରାପ୍ତିରେ ଅପ୍ରାପ୍ତିବୋଧର ଯନ୍ତ୍ରଣା ଜୀବନ ସାରା ଭୋଗୁଥିବା ମଣିଷଟି ଜଣେ ଲେଖକ : ପଞ୍ଚାନନ ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ପଞ୍ଚାନନ ମିଶ୍ର । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା , ପ୍ରବନ୍ଧ , ସମାଲୋଚନା ଏବଂ ଅନୁବାଦ ସାହିତ୍ୟ । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ । ତାଙ୍କ ରଚନାର ଶବ୍ଦ ବିନ୍ୟାସ , କବିତାର ଭାବ, ପ୍ରବନ୍ଧର ଗୂଢତତ୍ତ୍ୱ , ଅନୁବାଦ ସାହିତ୍ୟର ଅନୁସୃଜନ ଏବଂ ସମାଲୋଚନାର ଅନାଲୋଚିତ ଦିଗ , ବିପୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ଏହା ସହ ଜଣେ ସୁବକ୍ତା ଭାବରେ ସେ ଖୁବ ପରିଚିତ । ଆମେରିକାରେ ଅନୁଷ୍ଠିତ ‘ଜଗନ୍ନାଥ ଦର୍ଶନ ଓ ସଂସ୍କୁତି’ ଉପରେ ତାଙ୍କର ବକ୍ତବ୍ୟ, ପ୍ରବାସୀ ଭାରତୀୟଙ୍କ ସହ ସମଗ୍ର ଆମେରିକା ବାସୀଙ୍କୁ ଜଗନ୍ନାଥପ୍ରେମରେ ଗଭୀର ଭାବରେ ଉଦ୍ବୁଧ କରିଥିଲା ।

ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ ଦ୍ବୀପର ଲାବଣ୍ୟବତୀ, ଅର୍ଦ୍ଧନାରୀଶ୍ୱରଙ୍କ ଅର୍ଦ୍ଧଚନ୍ଦ୍ର, ପୁରୁରବାର ପୂର୍ବ ରାଗ, କବିତା କଦମ୍ବ, ଉଲଗ୍ନ ଆକାଶ, ଆଦିନାରୀ, ଜୀବନାୟନ,
ପରକାୟା ପରକୀୟା ( କବିତା ସଙ୍କଳନ ), ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରାୟୋଗିଗ ପ୍ରସଙ୍ଗ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ, କବି ବିନୋଦ ଚନ୍ଦ୍ର ନାୟକଙ୍କ କାବ୍ୟ କଳା ଓ ଜୀବନ ଦୃଷ୍ଟି , ଫକୀର ମୋହନଙ୍କ ଛ ମାଣ ଆଠ ଗୁଣ୍ଠ ଭିନ୍ନ ଦୃଷ୍ଟି ଭିନ୍ନ ବାଖ୍ୟା, ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ୱ ( ପ୍ରବନ୍ଧ ), ରିଲକେଙ୍କ ଟୁଇନୋ ଏଲିଜି ଗୁଛ, ଜଗନ୍ନାଥ ପ୍ରସାଦଙ୍କ ଜୀବନୀ ଓ କୃତି, ଶ୍ରୀମଦ ଭାଗବତ ଗୀତା କର୍ମଯୋଗ ଗୀତା ( ଅନୁବାଦ ), ବସନ୍ତ କୁମାର ଶତପଥୀଙ୍କ ନିର୍ବାଚିତ ପ୍ରବନ୍ଧ ମାଳା ( ସମ୍ପାଦନା ) ଦ ଉଇଣ୍ଡ ଏମଙ୍ଗ ଦ ପାଇନ୍ସ , ଲଭ ସଙ୍ଗ ଅଫ ୧୯ କାଓଭର୍ଡ ଗାଲସ, ( ଇଂରାଜୀ ), ମିଥ ଏଜ ପୋଏଟିକ ଡିସକୋର୍ସ , ଏ ଷ୍ଟଡି ଅଫ ଡବ୍ଲୁ ବି ୟିଟସ ଆଣ୍ଡ ଟି ଏସ ଏଲିଇଟ ( ସମାଲୋଚନା ) ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।

ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଆହୁରି ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ପଞ୍ଚାନନ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

୧. ସୃଷ୍ଟିର ମୌଳିକ ଅବଧାରଣାଟି କଣ ?

ଯାହା ଅମୂର୍ତ୍ତ ତାହା ମୂର୍ତ୍ତ ହୋଇ ପ୍ରକାଶ ପାଏ, ଏକ ନିର୍ଦ୍ଧିଷ୍ଟ ଶାବ୍ଦିକ ବିନ୍ୟାସ ମାଧ୍ୟମରେ । ଗଦ୍ୟ ହେଉ ଅଥବା ପଦ୍ୟ, ଲେଖକର ଅନ୍ତର୍ଜଗତ ସ୍ଫୁରଣ ହୁଏ ଓ ଏ ସ୍ଫୁରଣ ଏକ ରହସ୍ୟମୟ ପ୍ରକ୍ରିୟା । ଏହାର ଅନ୍ତରାଳରେ ଅଛି ନିଶ୍ଚିତ ଭାବରେ ଏକ ଦିବ୍ୟ ପ୍ରେରଣା । ଲେଖକ ବି ନିଜେ ଏଥିରେ ଆଚମ୍ବିତ ହୋଇଯାଏ । ବାଲ୍ମୀକିଙ୍କ ପ୍ରଥମ ଶ୍ଳୋକ ” ମା ନିଷାଦ ” ଜନ୍ମନିଏ ଶୋକରୁ । ଏ ଶୋକ ଥିଲା ସ୍ୱତଃ ସ୍ଫୁର୍ତ୍ତ ଆବେଗ । ତଥାପି ପ୍ରେରଣା ଓ ଭାବାବେଗ ସବୁ କିଛି ନୁହେଁ ; ଏହା ବ୍ୟତୀତ ଆବଶ୍ୟକ ଜଣକର ଜୀବନରେ ଗଭୀର ଅନୁଭବ ଓ ଉପଲବ୍ଧି , ପ୍ରଜ୍ଞା ଓ ପାଣ୍ଡିତ୍ୟ । ଭାଷା ଉପରେ ପ୍ରଚଣ୍ଡ ଦଖଲ , ଅଧ୍ୟୟନ ଓ ଆହରଣ ।

୨. ରୀତି ଯୁଗର କବିତା ଓ ଏବେର କବିତା ଭିତରେ କ’ଣ ପରିବର୍ତ୍ତନ ଘଟିଛି ?

ରୀତିଯୁଗର କାବ୍ୟ କବିତାରେ ବିଶେଷ ଯୋଗଦାନ ରହିଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ଭଳି ବିଶିଷ୍ଟ କବିଙ୍କର, ଏ ପ୍ରକାର କାବ୍ୟରେ ଆଳଙ୍କାରିକ ପ୍ରୟୋଗ , ରାଗ ରାଗିଣୀ ଓ ନିର୍ଦ୍ଦିଷ୍ଟ ଛନ୍ଦ ଆଧାରିତ ପଦ ରଚନା ଦୃଷ୍ଟି ଗୋଚର ହୋଇଥାଏ । ଶୃଙ୍ଗାରରସ ଥିଲା ଏହାର ମୁଖ୍ୟ ଉପଜୀବ୍ୟ । ସାଙ୍ଗୀତିକତା ଓ ସଂସ୍କୃତ ତତସମ , ତତଭବ ଶବ୍ଦର ବିନିଯୋଗ ଯୋଗୁଁ ଏକ ପାଣ୍ଡିତ୍ୟ ପୂର୍ଣ୍ଣ ଶାସ୍ତ୍ରୀୟ ଶୈଳୀ ଏ ପ୍ରକାର କବିତାରେ ଦୃଷ୍ଟି ଗୋଚର ହୋଇଥାଏ । ମାତ୍ର ଏ ପ୍ରକାର କବିତା କେବଳ ସ୍ୱପ୍ନ ବିଳାସ ଓ ରସ ମାଧୁର୍ଯ୍ୟ ଯୋଗୁଁ ହୃଦୟଗ୍ରାହୀ ହେଲେ ହେଁ ଏହା ଜୀବନଧର୍ମୀ ବା ବାସ୍ତବଧର୍ମୀ କବିତା ନୁହେଁ ।

ଅନ୍ୟ ପକ୍ଷରେ ସାମ୍ପ୍ରତିକ କବିତା ବିଶେଷ ଭାବରେ ଜୀବନଧର୍ମୀ ଓ ବାସ୍ତବଧର୍ମୀ । ଏହାର ଛାନ୍ଦ ରୀତି ଯୁଗର କାବ୍ୟଛାନ୍ଦ ପରି ନୁହେଁ , ବରଂ ଏଥିରେ ଅଛି ଅନ୍ତର୍ଛନ୍ଦ, ଗଦ୍ୟଛନ୍ଦ ଓ ମୁକ୍ତଛନ୍ଦ । ପଦ ମେଳକ ନାହିଁ ଏବଂ ଧାଡ଼ି ଗୁଡ଼ିକ ସମାନ ଦୈର୍ଘ୍ୟ ବିଶିଷ୍ଟ ନୁହଁନ୍ତି । ଆଳଙ୍କାରିକତାର ସ୍ୱରୂପ ବଦଳି ଯାଇଛି ଓ ଚିତ୍ରକଳ୍ପ , ପ୍ରତୀକ ବିରୋଧାଭାସ , ଶ୍ଲେଷ ଏକାଧିକ ଅର୍ଥର ସମ୍ଭାବନା ଓ ମିଥର ପ୍ରୟୋଗ ହେଉଛି। ବାକରୀତି ସହ କାବ୍ୟରୀତିର ମିଳନ ଘଟିଛି । କଥିତ ଭାଷା ବା ପାୟର ସହ କାବ୍ୟ ଭାଷାର ଅପୂର୍ବ ସମନ୍ୱୟ ଏହାର ନିଜସ୍ୱ କଳା , କବିତା ବର୍ଣ୍ଣନାତ୍ମକ ନ ହୋଇ ବ୍ୟଞ୍ଜନାତ୍ମକ ହୋଇଛି ।

୩. କବିତାର ଭାବ ସହ ପ୍ରବନ୍ଧର ବିଶ୍ଳେଷଣ ; ଏ ଭାରସାମ୍ୟ କିପରି ରକ୍ଷା କରନ୍ତି ?

ସାରସ୍ୱତ ସାଧନାରେ ନିୟୋଜିତ ଥିବା ବ୍ୟକ୍ତିତ୍ୱ ଜଣକ ପାଇଁ ଭାରସାମ୍ୟ ନିହାତି ଆବଶ୍ୟକ। ଭାରତୀୟ ପଣ୍ଡିତ ଓ କାବ୍ୟ ତତ୍ତ୍ୱବିତ ବାମନ ଉଲ୍ଲେଖ କରନ୍ତି : କବିନାଂ ନିକଷା ଗଦ୍ୟମ।” ଅର୍ଥାତ ସେ କହନ୍ତି ଯେ କବି ଜଣକର ଉତ୍କର୍ଷ ପରିଦୃଷ୍ଟ ହୋଇଥାଏ , ତା’ର ଗଦ୍ୟ ରଚନାରେ। ଠିକ ସେହିପରି ଆଧୁନିକ ଯୁଗର ସ୍ରଷ୍ଟା ଟି .ଏସ ଏଲିଅଟ ଥିଲେ ଉଭୟ କବି ଓ ସମାଲୋଚକ । ସେ ଲେଖନ୍ତି ” ମାଇଁ କ୍ରିଟିସିଜମ ଇଜ ଏ ବାଇ ପ୍ରଡକ୍ଟ ଅଫ ମାଇଁ ପ୍ରାଇଭେଟ ପଏଟ୍ରି ୱାର୍କସପ ।” ଏହା ଏକ ପ୍ରକାର ଶ୍ରେଷ୍ଠ ସିଦ୍ଧିର ଲକ୍ଷଣ । ଯାହା ଦ୍ୱାରା ଉଭୟ ଗଦ୍ୟ ଓ ପଦ୍ୟ ରଚନାରେ ଜଣକର ସାମର୍ଥ୍ୟ ଥାଏ। ତେବେ ପ୍ରାବନ୍ଧିକ ଓ ସମାଲୋଚକ ହେବା ପାଇଁ ଗଭୀର ଅଧ୍ୟୟନ, ପ୍ରଜ୍ଞା ସମ୍ପନ୍ନତା ଓ ମନନଶୀଳତା ଆବଶ୍ୟକ। ଏହା ଏକ କଷ୍ଟଲବ୍ଧ ବ୍ୟାପାର ଓ ବୌଦ୍ଧିକ ବ୍ୟାୟମ। ମାତ୍ର କବିତାରେ ଯେ ବୌଦ୍ଧିକ ଆଭାସ ନ ଥାଏ ତାହା ନୁହେଁ , କାରଣ ସାମ୍ପ୍ରତିକ କାଳରେ କବିତା ଉଭୟ ଆବେଗ ଓ ଚିନ୍ତାର ସମାହାର। ତେଣୁ ଉଭୟ କବିତା ଓ ପ୍ରବନ୍ଧ ପାଇଁ ଯେଉଁ ଭାରସାମ୍ୟ ରହିଥାଏ ତା’ର ଅନ୍ତରାଳରେ ଥାଏ ନିଷ୍ଠା , ସାଧନାରେ ନିମଜ୍ଜିତ ରହିବାର ସ୍ଵଭାବ ଓ ପ୍ରବୃତ୍ତି।

୪. ପାଶ୍ଚାତ୍ୟ ସାହିତ୍ୟରେ ପ୍ରବନ୍ଧ ବହୁଳ ଭାବରେ ଲୋକପ୍ରିୟ; ମାତ୍ର ଆମ ସାହିତ୍ୟରେ ଏହା ଆଖିଦୃଶିଆ ଲୋକପ୍ରିୟତା ପାଇ ପାରିନାହିଁ। ଏପରି କାହିଁକି?

ପ୍ରାବନ୍ଧିକ ତା’ ବ୍ୟାଖ୍ୟା ମାଧ୍ୟମରେ ତତ୍ତ୍ୱ ଓ ତଥ୍ୟ ଯୁକ୍ତି ଓ ପ୍ରାମାଣିକତାର ସମ୍ମିଶ୍ରଣ ଠିକ ଭାବରେ କରି ପାରିଲେ ପ୍ରବନ୍ଧ ପ୍ରଭାବଶାଳୀ ହୋଇ ପାରିଥାଏ। ଯାହା ଅବୋଧ୍ୟ ବା ଦୁର୍ବୋଧ୍ୟ , ତାକୁ ଯଦି ସରଳ ଭାବରେ ବାଖ୍ୟା ମାଧ୍ୟମରେ ବୁଝାଇ ଦିଆଯାଏ , ତେବେ ବିଦଗ୍ଧ ସାହିତ୍ୟ ପାଠକଙ୍କ ମନକୁ ଏହା ଛୁଇଁ ପାରିବ । ଠିକ ସେହିପରି ପାଠକର ମଧ୍ୟ ସେହିଭଳି ରୁଚି ଓ ଜିଜ୍ଞାସା ମଧ୍ୟ ଆବଶ୍ୟକ। ଉଭୟ ଲେଖକ ଓ ପାଠକଙ୍କ ମଧ୍ୟରେ ତାଳମେଳ ଠିକ ରହି ପାରିଲେ ପ୍ରବନ୍ଧ କାହିଁକି ଲୋକପ୍ରିୟ ହେବନାହିଁ ! ପାଶ୍ଚାତ୍ୟ ଦେଶ ମାନଙ୍କରେ ପାଠକ ଜିଜ୍ଞାସା ବୋଧହୁଏ ବେଶୀ ପରିମାଣରେ ଅଛି , ଯେଉଁଥି ପାଇଁ ଏହା ଖୁବ୍ ଲୋକପ୍ରିୟ । ପାଠକର ଏକ ନିର୍ଦ୍ଦିଷ୍ଟ ମାନସିକ ସ୍ତର ଥିବା ଆବଶ୍ୟକ।ପ୍ରବନ୍ଧ ପ୍ରତି ରୁଚି ସମ୍ପନ୍ନ ହେବା ପାଇଁ ଓ ଏ ସ୍ତର ବା ଉଚ୍ଚତା ଆସିଥାଏ ଓ ଗଭୀର ଅଧ୍ୟୟନ ଓ ମନନଶୀଳତାରୁ ।

୫. ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ତୁଳନାତ୍ମକ ଦୃଷ୍ଟିରୁ ବିଚାର କଲେ ଜଣାଯିବ ଓଡ଼ିଆ ସାହିତ୍ୟର ଅଗ୍ରଗତି ପ୍ରକୃତରେ ବର୍ତ୍ତମାନ କେଉଁ ପର୍ଯ୍ୟାୟରେ !ଉଦାହରଣ ସ୍ୱରୂପ , ହିନ୍ଦୀ ଅଥବା ବଙ୍ଗଳା ଓ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷା ସାହିତ୍ୟ ସହ ଓଡ଼ିଆ ସାହିତ୍ୟର ତୁଳନା କରାଯାଇପାରେ। ତେବେ ମୁଁ ଯାହା ଭାବେ , ପ୍ରତି ଭାଷା ସାହିତ୍ୟରେ କିଛି ପରିମାଣରେ ଗୁଣାତ୍ମକ କୃତି ସୃଷ୍ଟି ହେଉଛି ଓ ସେ ଦୁଷ୍ଟିରୁ ଓଡ଼ିଆ କାବ୍ୟ କବିତା ଗଳ୍ପ ଉପନ୍ୟାସରେ ମଧ୍ୟ ବହୁ ଚମତ୍କାର ସୃଷ୍ଟି ଆମ ଦୃଷ୍ଟିକୁ ଆସିଥାଏ। ତେବେ ପାଠକୀୟ ଆଦୃତି ନିର୍ଦ୍ଧାରଣ କରିଥାଏ ଏକ ନିର୍ଦ୍ଧିଷ୍ଟ କୃତି ଇ ତାହା ଯେଉଁ ପର୍ଯ୍ୟାୟରେ ଆମ ସାହିତ୍ୟରେ ବହୁ ଉଚ୍ଚାଙ୍ଗ କୃତି ନଜରକୁ ଆସେ। ତେଣୁ କିପରି କହିବା ସାହିତ୍ୟର ଅଗ୍ରଗତି ହେଉନାହିଁ ବୋଲି !

୬. ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଏହି ବିଷୟରେ କ’ଣ କହିବେ ?

କାବ୍ୟ କବିତା ପରି ଗଳ୍ପ ଉପନ୍ୟାସ ଆଦି ଅନ୍ୟାନ୍ୟ ବିଭାଗ ଆଲୋଚନାର ପରିସର ଭିତରକୁ ଆସିବା ନିହାତି ଜରୁରୀ । କାରଣ ସାହିତ୍ୟର ସାମଗ୍ରିକ ଆଲୋଚନା ଦ୍ୱାରା ଆମେ ସାହିତ୍ୟର ସ୍ଥିତି ଓ ପ୍ରକୃତି ସମ୍ପର୍କରେ ଅବଗତ ହୋଇ ପାରିବା। ତେବେ କବିତା ଆଡ଼କୁ ଯଦି ବେଶୀ ଆକର୍ଷଣ , ସେଥିରେ କିଛି ବିଶେଷ ଅସୁବିଧା ନାହିଁ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିପାଇଁ ଯେ ସାହିତ୍ୟର ଆଦ୍ୟ ସୃଷ୍ଟି କବିତାରୁ । ଏତଦ ବ୍ୟତୀତ ମୁଁ ଭାବେ ସେହି ଗଳ୍ପ ଉପନ୍ୟାସ ବେଶୀ ପ୍ରଭାବଶାଳୀ , ଯେଉଁଥିରେ କବିତାର ଭାଗ ବେଶୀ ଥାଏ। ବିଶ୍ୱର ଶ୍ରେଷ୍ଠ ନାଟ୍ୟକାର , ଗାଳ୍ପିକ ଓ ଔପନ୍ୟାସିକ ଯେଉଁ ଭାଷା ପ୍ରୟୋଗ କରନ୍ତି , ତାହା ମୁଖ୍ୟତଃ ଏକ ଉଚ୍ଚାଙ୍ଗ କାବ୍ୟିକ ଭାଷା।

୭. ସାହିତ୍ୟରେ ଯେକୌଣସି ବିଷୟର ଆଲୋଚନା ହେବା ପରେ ତାହା କେବଳ ଏକ ‘ଖବର ‘ ହୋଇ ରହିଯାଏ । ଏହା ଉପରେ ଆହୁରି ତର୍ଜମା କରି ଏହାର ପ୍ରଭାବ ବିଷୟରେ ଯତ୍ନବାନ ହେବା ଆବଶ୍ୟକ କି ?

ହଁ , ଏ କଥାରେ ମୁଁ ଏକମତ । ସାହିତ୍ୟ ସମ୍ପର୍କିତ ଆଲୋଚନା ଏକ କ୍ରମାନ୍ଵୟ ଧାରାରେ ପରିଣତ ହେବା ଆବଶ୍ୟକ। ସେଥିପ୍ରତି ଆମର ଅଖଣ୍ଡ ନିଷ୍ଠା ଓ ପ୍ରତିବଦ୍ଧତା ରହିଲେ ପରିଣାମ ଖୁବ ଶୁଭଙ୍କର ହେବ ବୋଲି ମୋର ଆଶା ଓ ବିଶ୍ୱାସ।

୮. ଫକୀର ମୋହନଙ୍କ ଛ’ ମାଣ ଆଠଗୁଣ୍ଠ ଉପରେ ଆପଣଙ୍କର ବିଶ୍ଳେଷଣାତ୍ମକ ବ୍ୟାଖ୍ୟା ବହୁଳ ଭାବରେ ଆଦୃତ। ସେ ବିଷୟରେ କିଛି କୁହନ୍ତୁ

ପାଠକୀୟ ଆଦୃତି ଲେଖକ ପାଇଁ ଏକ ମାହାର୍ଘ୍ୟ ପୁଞ୍ଜି ଓ ସେଥିପାଇଁ ମୁଁ ଆନନ୍ଦିତ। ଅବଶ୍ୟ ଫକୀରମୋହନଙ୍କ ସୁପରିଚିତ ଉପନ୍ୟାସ ” ଛ ମାଣ ଆଠଗୁଣ୍ଠ ” ଉପରେ ବହୁ ଆଲୋଚନା ପୂର୍ବରୁ ହୋଇ ସାରିଛି । ମାତ୍ର ମୁଁ ଏ ପୁସ୍ତକରେ ପାରମ୍ପରିକ ସମାଲୋଚକୀୟ ପଦ୍ଧତି ଉପରେ ନିର୍ଭର ନକରି ନୂତନ ଦୃଷ୍ଟିଭଙ୍ଗୀଟି ଆଲୋକିତ କରିଛି। ଉଦାହରଣ ସ୍ୱରୂପ , ପୁସ୍ତକରେ ପ୍ରଥମ ଅଧ୍ୟାୟ ତୁଳନାତ୍ମକ ସହଜଟିର “ସମାନ୍ତରାଳ ପଦ୍ଧତି ” ଉପରେ ପର୍ଯ୍ୟବେସିତ । ଜୋସେଫ କନରାଡ଼ଙ୍କ ଉପନ୍ୟାସ “ହାର୍ଟ ଅଫ ଡାର୍କନେସ” ଓ ଫକୀରମୋହନଙ୍କ “ଛ ମାଣ ଆଠ ଗୁଣ୍ଠ ” ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ମାଧ୍ୟମରେ ଉଭୟ ଦୁଇ ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ସାଦୃଶ୍ୟ ଓ ବେସାଦୃଶ୍ୟକୁ ଉନ୍ମୋଚିତ କରାଯାଇ ପାରିଛି। ସେହିପରି ରାମଚନ୍ଦ୍ର ମଙ୍ଗରାଜର ଚରିତ୍ର ଉପନ୍ୟାସର “ଗାଠନିକ ରୂପରେଖ ” କଥନକାର , ଭାଷା ଓ ଶୈଳୀ ସମ୍ପର୍କିତ ଆଲୋଚନା , ବିଶ୍ଳେଷଣାତ୍ମକ ଓ ଅନୁଶୀଳନାତ୍ମକ ହୋଇଥିବା ଯୋଗୁ କୃତିର ନୂତନ ଦିଗନ୍ତ ଉନ୍ମୋଚିତ ହୋଇ ପାରିଛି ଓ ଏହା ଦ୍ବାରା ପୁସ୍ତକଟି ବେଶ ପାଠକୀୟ ଆଦୃତି ଲାଭ କରିପାରିଛି।

୯ . ଆପଣ ଜଣେ ଇଂରାଜୀର ପ୍ରାଧ୍ୟାପକ। ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଆପଣ ଲେଖନ୍ତି। ତେବେ କେଉଁ ଭାଷା ସହିତ ଆପଣ ଆବେଗାତ୍ମକ ଭାବରେ ଅଧିକ ଜଡି଼ତ ?

ନିଶ୍ଚିତ ଭାବରେ ଓଡ଼ିଆ ଭାଷା ସହ ଆବେଗାତ୍ମକ ଦୃଷ୍ଟିରୁ ମୁଁ ଅଧିକ ବେଶୀ ଜଡ଼ିତ। କାରଣ ଏହା ଆମ ମାତୃଭାଷା, ଯେଉଁଥିରେ ଆମେ ସ୍ୱପ୍ନ ଦେଖୁ ଓ ଆନ୍ତାର୍ଜାତୀୟ ଭାବକୁ ପ୍ରକାଶ କରିଥାଉ । ମାତ୍ର ଏଥିସହ ଇଂରାଜୀ ଭାଷାର ଗୁରୁତ୍ୱ ମଧ୍ୟ ଖୁବ ବେଶୀ ଯେ ଏହା ହେଉଛି ଏକ ଶକ୍ତିଶାଳୀ ଆନ୍ତର୍ଜାତିକ ଭାଷା ଓ ଏଥିରେ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି ଓ ଏହା ଜଣକର ବୌଦ୍ଧିକ ବିକାଶ ପାଇଁ ଖୁବ ଆବଶ୍ୟକ।

୧୦. ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

କୌଣସି ଜଣେ ଲେଖକ ଯାହା ସବୁ ଲେଖିବାକୁ ଚାହିଁଥାଏ , ତାହା ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରି ପାରି ନଥାଏ। ଏହା ହିଁ ଲେଖକୀୟ ଜୀବନର ଏକ ଚରମ ବିଡ଼ମ୍ବନା। ପ୍ରାପ୍ତିରେ ଅପ୍ରାପ୍ତିବୋଧର ଯନ୍ତ୍ରଣା ସେ ଜୀବନ ସାରା ଜୀବନସାରା ଭୋଗୁଥାଏ । ଏହା ଯେ ମୋ କ୍ଷେତ୍ରରେ ଅନୁଭବର ବିଷୟ ନୁହେଁ କିପରି କହିବି , କିନ୍ତୁ କବିତା ହେଉ ଅଥବା ସମାଲୋଚନା ହେଉ , ମୁଁ ମୋ ନିଜ ସୀମା ଭିତରେ ସମ୍ପୂର୍ଣ୍ଣ ଆକାରଟିଏ ହେବା ପାଇଁ ପ୍ରଯତ୍ନଶୀଳ ହୋଇଥାଏ ଓ ଏହାହିଁ ମତେ ଆନନ୍ଦ ଦେଇଥାଏ। ନିଜ କୃତିର ନିଜେ ସମୀକ୍ଷା କରିବା ଏକ ଦୁରୁହ କାର୍ଯ୍ୟ , ତଥାପି ଯେଉଁଠି ଅଛି ମୌଳିକତା ଓ ସ୍ୱକୀୟତାର ଝଲକ , ତାହା ବାରିହୋଇ ମୋ ଦୃଷ୍ଟିକୁ ଆସିଥାଏ , ମାତ୍ର ଯେଉଁଠି ମୁଁ ଭାବକୁ ରୂପାୟିତ କରିବା ପାଇଁ ଠିକ ଠିକ ଶବ୍ଦ ପାଇନଥାଏ। ତାହା ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି ବିଶ୍ୱାସଟିଏ ଜନ୍ମ ନିଏ। ଏଲିଏଟ କହିଥିଲେ ” ଦ ସର୍ଚ୍ଚ ଫର ଦ ରାଇଟ ୱାଡ ” ହେଉଛି ଜୀବନବ୍ୟାପୀ ଏକ ତପସ୍ୟା ଓ ଏଥିରେ ଜଣେ ସମ୍ପୂର୍ଣ୍ଣ ଭାବରେ ସିଦ୍ଧିପ୍ରାପ୍ତ ଏହା କହିହେବ ନାହିଁ।

୧୧ . ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବ ଆବଶ୍ୟକ ?

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଗୋଟିଏ ହେଲା ଅନୁବାଦ ଓ ଅନ୍ୟଟି ହେଲା ସମାଲୋଚନା। ” ଟ୍ରାନ୍ସଲେସନ ୱାର୍କସପ ” ମାଧ୍ୟମରେ ବହୁ ଦକ୍ଷ ଅନୁବାଦକ ସୃଷ୍ଟି ହୋଇ ପାରିବେ। ଯେଉଁମାନେ ଓଡ଼ିଆ କୃତିକୁ ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁବାଦ କରି ପାରିବେ ।ଦ୍ଵିତୀୟତଃ ଓଡ଼ିଆ ସାହିତ୍ୟର ସମାଲୋଚନା ଆହୁରି ବେଶୀ ବ୍ୟାପକ ହେବା ଆବଶ୍ୟକ ଓ ଏଥିରେ ବିଶ୍ୱ ବିଦ୍ୟାଳୟ ସ୍ତରରେ ବିଶେଷ ଭୂମିକା ସମ୍ପନ୍ନ କରିପାରିବେ । ଏସବୁ ସମାଲୋଚନାତ୍ମକ ପ୍ରବନ୍ଧକୁ ମଧ୍ୟ ଇଂରାଜୀରେ ଅନୁବାଦ କରିବାକୁ ହେବ। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ ଆମ ସାହିତ୍ୟର ପରିଚୟ ପ୍ରତିଷ୍ଠିତ ହୋଇ ପାରିବ ।

Comments are closed.