Latest Odisha News

BREAKING NEWS

କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍, ଯଦି ଆସିବ ଦ୍ବିତୀୟ ଲହର ପରି ମାରାତ୍ମକ ହେବନି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସିବ, ତାହା ଦ୍ବିତୀୟ ଲହର ଭଳି ମାରାତ୍ମକ ହେବନି । ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି ବିଶିଷ୍ଟ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ କହିଛନ୍ତି । ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ଭାଇରୋଲୋଜିଷ୍ଟ କାଙ୍ଗଙ୍କ କହିବା ଅନୁସାରେ, ଆସନ୍ତା ୨ ମାସ ଭିତରେ ବଡ଼ ଧରଣର ତୃତୀୟ ଲହର ଆସିବାର ସମ୍ଭାବନା ଦେଖାଯାଉ ନାହିଁ । କିନ୍ତୁ କେତେକ ଅଞ୍ଚଳରେ ଛୋଟ ଲହର ଦେଖା ଯାଇପାରେ ।

ଦିଲ୍ଲୀରେ ଏବେ ସୁଦ୍ଧା ୪ଟି ଲହର ସରିଲାଣି । ଗୋଟିଏ ଲହର କହିଲେ ଏକ ଭୌଗୋଳିକ ଅଞ୍ଚଳରେ ସଂକ୍ରମଣ ହାର ହଠାତ୍ ବଢ଼ିବା ଠାରୁ ଆରମ୍ଭ କରି ପୁଣି କମିବା ପର୍ଯ୍ୟନ୍ତ ଅବଧିକୁ ବୁଝାଏ । ଦେଶରେ ଦ୍ବିତୀୟ ଲହରରେ ଯେଉଁଭଳି ଭାବରେ ସଂକ୍ରମଣ ବଢ଼ିଥିଲା, ତୃତୀୟ ଲହରରେ ସେପରି ହେବା ସମ୍ଭାବନା ନାହିଁ । ଅଧିକାଂଶ ଲୋକ ଟିକା ନେଇ ସାରିଥିବା ବେଳେ ଅନେକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ଫଳରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଥିବାରୁ ତୃତୀୟ ଲହରରେ ଅଧିକ ଲୋକ ଆକ୍ରାନ୍ତ ହେବା ସମ୍ଭାବନା କମ୍ ରହିଛି । ଏବେ ଦେଶରେ ଥିବା ଭ୍ୟାରିଆଣ୍ଟ ଯୋଗୁ ତୃତୀୟ ଲହର ଆସିବା ଭଳି ଦେଖାଯାଉନାହିଁ । ଯଦି ତୃତୀୟ ଲହର ଆସେ ତେବେ ଏହା ଖୁବ୍ କମ୍ ଅଞ୍ଚଳରେ ସୀମିତ ରହିବା ସହ ଅଳ୍ପ ଲୋକଙ୍କୁ ସଂକ୍ରମିତ କରିବ ବୋଲି କହିଛନ୍ତି ବିଶିଷ୍ଟ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ ।

Comments are closed.