ଦେବଗଡ଼ : ଦେବଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ବାଡକୁ ମିଳିଛି ବଡ଼ ସଫଳତା । ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ଗିରଫ ହୋଇଛନ୍ତି ୩ ଗଞ୍ଜେଇ ବେପାରୀ । ଗାଡିରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରି ଅଭିଯୁକ୍ତ ରୂପେଶକୁ କାବୁ କରିଛି ପୋଲିସ । ଏନଡ଼ିପିଏସ ଆକ୍ଟ ଓ ଆର୍ମସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ, ରିଆମାଳ ଥାନା କଂସର-ଚଟି ବରଘାଟ ରାସ୍ତା ଦେଇ ବୌଦ୍ଧ ଜିଲ୍ଲାରୁ ଦେବଗଡ଼କୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ୩ ଜଣ ଯୁବକ ବାଇକ ଓ କାରରେ ଆଗ ପଛ ହୋଇ ଯାଉଥିଲେ । ଗୋହିରା ଛକରେ କାରରୁ ଗଞ୍ଜେଇ ବାହାର କରି ବାଇକ ଯୋଗେ କେଉଁଠାକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହି ସମୟରେ ରିଆମାଳ ପୋଲିସ ପହଞ୍ଚି ଗଞ୍ଜେଇ ସହ ବେପାରୀକୁ କାବୁ କରିଥିଲା । ମାତ୍ର ପୋଲିସକୁ ଦେଖି ରୂପେଶ କାରରେ ଫେରାର ହୋଇଯାଇଥିଲା ।
ତିଳେଇବଣି ଅଞ୍ଚଳରେ ପୂର୍ବରୁ ରହିଥିବା ସ୍ପେଶାଲ ସ୍କ୍ବାଡ ସାମନା ପଟୁ ଗାଡି ଅଟକାଇବାକୁ ଚେଷ୍ଟା କରିବାରୁ ରୂପେଶ ପୋଲିସ ଉପରକୁ ଗୁଳି କରି ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲା । ହେଲେ ସ୍ପେଶାଲ ସ୍କ୍ବାଡ ତାକୁ ଧରିବାରେ ସକ୍ଷମ ହୋଇଛି । ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।
Comments are closed.