Latest Odisha News

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକଙ୍କୁ ମିଳିଲା ଜାମିନ

ତ୍ରିପୁରା : ତ୍ରିପୁରା ପୋଲିସ ଗିରଫ କରିଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ମିଳିଛି ଜାମିନ । ଉଭୟଙ୍କୁ ଜାମିନ ବଳରେ ଛାଡ଼ିବାକୁ ତ୍ରିପୁରାରେ ଗୋମତି ଜିଲ୍ଲାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ବଳରେ ସେମାନଙ୍କୁ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ଜାମିନ ପାଇଥିବା ଦୁଇ ମହିଳା ସାମ୍ବାଦିକ ହେଲେ କେ. ସକୁନିଆ ଏବଂ ସ୍ବର୍ଣ୍ଣ ଝା । ସକୁନିଆଙ୍କ ଘର ଓଡ଼ିଶାର ଝାରସୁଗୁଡ଼ାରେ । ସାଂପ୍ରଦାୟିକ ଉତ୍ତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଲିସ ଦୁଇ ସାମ୍ବାଦିକଙ୍କୁ ଗିରଫ କରିଥିଲା । ବିଦ୍ବେଷ ସୃଷ୍ଟି କରିବା ଭଳି ଖବର ଓ ମିଥ୍ୟା ରିପୋର୍ଟ ଅଭିଯୋଗରେ ଆସାମର କରିମଗଞ୍ଜରେ ପୋଲିସ ଉଭୟଙ୍କୁ ଅଟକାଇଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇ ତ୍ରିପୁରା ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା । ହେଲେ ତ୍ରିପୁରା ପୋଲିସର ଗିରଫଦାରୀକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲ୍ୟୁ ନ୍ୟୁଜ୍ ନେଟୱର୍କ ।

ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ଖବର ପ୍ରସାରଣ ଅଭିଯୋଗରେ ପୋଲିସ ପ୍ରଥମେ ଅଟକ ରଖିଥିଲା ବେଳେ ଆଜି ଗିରଫ କରିଥିଲା । ଅପରାଧ ଷଡଯନ୍ତ୍ର, ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ବିବାଦକୁ ପ୍ରୋତ୍ସାହିତ କରିବା ଏବଂ ଶାନ୍ତି ଉଲ୍ଲଂଘନ କରିବା ପରି ରିପୋର୍ଟିଂ କରିବା ଅଭିଯୋଗରେ ଉଭୟଙ୍କୁ ପ୍ରଥମେ ଅଟକ ଓ ପରେ ଗିରଫ କରାଯାଇଥିଲା । ଶେଷରେ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

Comments are closed.