ଓ୍ବାସିଙ୍ଗଟନ୍ : ମଝି ଆକାଶରେ ଚିହ୍ନଟ ହେଲେ କୋଭିଡ ପଜିଟିଭ । ବାଥରୁମରେ ରହିଲେ କ୍ବାରେଣ୍ଟାଇନରେ । ଏଭଳି ଏକ ଘଟଣା ଘଟିଛି ଆମେରିକାର ଏକ ବିମାନରେ । ଚିକାଗୋରୁ ଆଇସଲ୍ୟାଣ୍ଡ ଯିବା ବାଟରେ ଏହି ଘଟଣା ସାମ୍ନାକୁ ଆସିଛି । ମାରିସା ଫୋଟିଓ ନାମକ ଜଣେ ଶିକ୍ଷୟିତ୍ରୀ ଚିକାଗୋରୁ ଆଇସଲ୍ୟାଣ୍ଡ ଯାଉଥିଲେ । ବିମାନଟି ଆଟଲାଣ୍ଟିକ ମହାସାଗର ଉପରେ ଉଡୁଥିବା ବେଳେ ମାରିସାଙ୍କ ଗଳା ଦରଜ ହେବାରେ ଲାଗିଥିଲା । ସେ ତୁରନ୍ତ ବାଥରୁମକୁ ଯାଇ ସେଠାରେ ରାପିଡ କୋଭିଡ ଟେଷ୍ଟ କରିଥିଲେ । ସେହି ଟେଷ୍ଟରେ ସେ କୋଭିଡ ପଜିଟିଭ ଥିବା ଜାଣିବାକୁ ପାଇଥିଲେ । ଆଉ ସଚେତନତା କାରଣରୁ ବାଥରୁମରୁ ବାହାରି ନଥିଲେ ।
ଏହା ଜଣାପଡିବା ପରେ ବିମାନ କର୍ମଚାରୀ ନାଚାର ଥିଲେ । କାରଣ ବିମାନର ସମସ୍ତ ସିଟରେ ଯାତ୍ରୀ ବସିଥିଲେ । ବାଧ୍ୟ ହୋଇ ଏହି ମହିଳା ୫ ଘଣ୍ଟା ଧରି ବାଥରୁମରେ କ୍ବାରେଣ୍ଟାଇନରେ ରହିଥିଲେ । ବିମାନ କର୍ତ୍ତୃପକ୍ଷ ବି ମାରିସାଙ୍କୁ ବାଥରୁମର କବାଟରେ ଝୁଲାଇ ଦେଇଥିଲେ ଆଉଟ ଅଫ ସର୍ଭିସ ନୋଟିସ । ବିମାନ ଯାତ୍ରା ପୂର୍ବରୁ ମାରିସା ଦୁଇଟି ଟେଷ୍ଟ ଓ ୫ଟି ରାପିଡ ଟେଷ୍ଟ କରିଥିଲେ । ମାତ୍ର ସବୁ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାସହ ଟିକାର ସମ୍ପୂର୍ଣ୍ଣ ଡୋଜ ସହ ବୁଷ୍ଟର ଡୋଜ ବି ନେଇଥିଲେ । ମାରିସାଙ୍କୁ ୧୦ ଦିନ ଲାଗି ଏକ ହୋଟେଲରେ କ୍ବାରେଣ୍ଟାଇନରେ ରଖାଯାଇଛି ।
Comments are closed.