Latest Odisha News

BREAKING NEWS

ପ୍ରସଙ୍ଗ ଅପ୍ରସଙ୍ଗ ହୋଇ ରହିଗଲା…

ଲେଖକ – ଜ୍ୟୋତି ପ୍ରକାଶ ମହାପାତ୍ର

ନିର୍ବାଚନ ଶେଷ ପର୍ଯାୟ ଏମିତିରେ ସରିଯିବ । ଆଉ ଦିନ କେତୁଟା । ତା’ପରେ ମତଗଣନା । ନୂଆ ସରକାର । ହୁଏତ ନୂଆ ସରକାର ଆସିବେ କିମ୍ବା ପୁରୁଣା ସରକାର ନୂଆ ହୋଇ ଆସିବେ । ଯେଉଁ ୨୦୨୦କୁ ନେଇ ବେଶ ଉତ୍ସାହୀ ଥିଲେ ଏ ଦେଶର ଲୋକେ, ସେହି ସମୟ ଓ ତା’ ପରବର୍ତ୍ତୀ ସମୟରେ ସେ ସରକାର ଆସନ୍ତା ୫ ବର୍ଷ ପାଇଁ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ କଥା ବୁଝିବେ ।

ଏଡ଼େବଡ଼ ନିର୍ବାଚନ ସରିବାକୁ ବସିଲାଣି । ୧୦ ଲକ୍ଷରୁ ଅଧିକ ବୁଥ୍ ଓ କୋଟିଏ ପାଖାପାଖି କର୍ମଚାରୀ ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଥିଲେ । କିଏ ପାହାଡ଼ଚଢି ଅଗମ୍ୟ ଇଲାକାରେ ଭୋଟ କରିଥିଲା, କିଏ ଇଭିଏମକୁ କାନେ୍ଧଇ, କାଖେଇ ୧୫-୨୦ କିଲୋମିଟର ଚାଲି ମାଓବାଦୀ ରାସ୍ତା ପାର ହୋଇଥିଲା । କିଏ ପୁଣି ଜୀବନରେ ପ୍ରଥମ ଥର ନିର୍ବାଚନ ଡ୍ୟୁଟି କରିଥିବାରୁ ବେଶଉତ୍ସାହୀ ଓ ନିଜ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ମିଲେନିୟମ ଭୋଟର ଏଥର ପ୍ରଥମ ଥର ଭୋଟ ଦେଇଥିଲେ । କେତେ ସେଲଫି, ଆଗ୍ରହ ଓ ଉଦ୍ଦୀପନାରେ ଭରି ଯାଇଥିଲା ଦେଶ ।

କିନ୍ତୁ ସବୁ ଭିତରେ ଯେଉଁଟି ଆଢୁଆଳରେ ରହିଗଲା, ତାହାହେଉଛି- ଏ ଦେଶର ମୁଖ୍ୟ ସମସ୍ୟା । ସ୍ୱାଧୀନତାର ୭୨ ବର୍ଷ ପରେ ଆମ ଦେଶ ସାମ୍ନା କରୁଥିବା ସମସ୍ୟା କଥା କେହି ଉଠେଇଲେ ନାହିଁ । ବେରୋଜଗାରୀ ଚରମରେ ପହଁଚିଲାଣି । କୋଟିକୋଟି ଯୁବକ ଚାକିରି ନ ପାଇ କୋଉଠି ବେଠି ଖଟିଲା ପରି କାମକରୁଛନ୍ତି । କିଏ ଦି’ ହଜାରଟଙ୍କା ପାଉଛି ତ କିଏ ପାଉନି । ନିଜ ଗାଁ ଛାଡ଼ି, ନିଜ ମାଟିଛାଡ଼ି, ନିଜରାଜ୍ୟ ଛାଡ଼ି ସେମାନେ କୁଆଡ଼େ କୁଆଡ଼େ ଯାଇ ମୂଲ ଲାଗୁଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନେକଙ୍କର ଢେର ଅଛି । କିନ୍ତୁ ସୁଯୋଗ କାହିଁ? ଏଇ ମିଲେନିୟମ ଭୋଟରମାନଙ୍କ ଭବିଷ୍ୟତ କଣ ଓ ସେମାନଙ୍କ ପାଇଁ ତାଙ୍କ ଦେଶ ନିଯୁକ୍ତି କ୍ଷେତ୍ରରେ କି ସୁଯୋଗ ସୃଷ୍ଟି କରିଛି, ସେକଥା କେହି କହୁ ନାହାନ୍ତି । କହିଲେ ବି ନାହିଁ । ବେରୋଜଗାରୀ ଦେଶର ପ୍ରସଙ୍ଗ ହୋଇପାରିଲା ନାହିଁ ।

ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର କୃଷକ ଆତ୍ମହତ୍ୟା କରିଛନ୍ତି । କିଏ ତ ନିଜ ଧାନ ବିଲରେ ନିଆଁ ବି ଲଗେଇ ଦେଇଛି । ଦେଶ ସବୁଠାରୁ ବଡ଼ କୃଷି ଭିତ୍ତିକ ସମସ୍ୟାର ସାମ୍ନା କରୁଛି । ଲୋକେ ଅଭାବରେ ପଡ଼ି ଚାଷ ଛାଡ଼ୁଛନ୍ତି । ବିଷ ପିଇ ଦେଉଛନ୍ତି । ସେମାନଙ୍କ କଥା କେହି ଉଠେଇଲେ ନାହିଁ । ସେମାନଙ୍କ ପାଇଁ ଆଗାମୀ ଦିନରେ କଣ କରାଯିବ, ସେ ପ୍ରସଙ୍ଗ ଉଠିଲା ନାହିଁ । ଖାଲି ଋଣ ଛାଡ଼ କରିଦେଲେ ତ ହେବନି, ଦୀର୍ଘ ମିଆଦୀ ପଦକ୍ଷେପ ଦରକାର । କାହିଁ କେହି କହିଲେନି ତ ? ନିର୍ବାଚନ ସରିବାକୁ ବସିଲାଣ ଯେ ।

ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଗଲା ବର୍ଷ ରାଜନୀତି ଜୋର ଧରିଥିଲା । ମହାନଦୀ କଳସ ଯାତ୍ରା, ମହାନଦୀରେ ଆଳତି, ପାଣି ଭିତରେ ପଶି ସଂଗ୍ରାମ ଆଦି ଅନେକ କିଛି ଦେଖିବାକୁ ମିଳିଥିଲା । ମହାନଦୀ ଶୁଖିଗଲେ ଓଡ଼ିଶାର ଅବସ୍ଥା କଣ ହେବ, ସମସ୍ତେ ଜାଣନ୍ତି । କିନ୍ତୁ ଓଡ଼ିଶାରେ ବିଧାନସଭା ନିର୍ବାଚନ ସରିଗଲାଣି । କେହି ତ ମହାନଦୀ ବିଷୟରେ ପଦୁଟିଏ ଉଚ୍ଚାରଣ କଲେ ନାହିଁ । କଣ ପାଇଁ? କଣ ଏହା ଏକ ଅପ୍ରସଙ୍ଗ ହୋଇଗଲାକି?

ସୋସିଆଲ ମିଡ଼ିଆରେ ଯାହା ଟ୍ରେଣ୍ଡକଲା, ତାହାହିଁ ନିର୍ବାଚନର ବିଷୟ ପାଲଟିଗଲା । ଡିଜିଟାଲ କ୍ୟାମେରା କେବେ ବାହାରି ଥିଲା, ପ୍ରଥମ ଇ-ମେଲ କେବେ ପଠା ହୋଇଥିଲା, ଯୁଦ୍ଧ ଜାହାଜରେ କିଏ ପରିବାର ନେଇ ପିକନିକ କରିବାକୁ ଯାଇଥିଲା, କୋଉଠି ଜବରଦସ୍ତ ଭୋଟ ଦେଉଥିବା ଦଳ ଗଣତନ୍ତ୍ରର ସୁରକ୍ଷା କଥା କହୁଥିଲେ- ଏମିତି ଅନେକ । ଏସବୁ ସହିତ ଏ ଦେଶର ଲୋକଙ୍କର କୌଣସି ସଂପର୍କ ଅଛିକି? ଦେଶର କେତୁଟା ଲୋକ ଟ୍ୱିଟର ବ୍ୟବହାର କରୁଛନ୍ତି?

ଏବେ ପୁଣି କମଲହାସନ କଣ କହିଲେ ନା – ହିନ୍ଦୁ ଆତଙ୍କବାଦୀ । କେତେଦିନ ଏମିତି ଧର୍ମର ନିଶା ଖୁଆଇ ମଣିଷଙ୍କୁ ଲୁଟୁଥିବ? ଲୋକ ଆଗ ବଞ୍ଚିବ । ଖାଇବାକୁ ଖୋଜିବ । ଜୀବନରେ କିଛିଟା ପ୍ରଗତି ଚାହିଁବ । ତା’ପରେ ବାକି ବାର କଥା ।

ଆଉକେଇ ଦିନ ପରେ ନୂଆ ସରକାର ଆସିଯିବେ । ଥରେ ଭୋଟ ସରିଗଲେ ତ ଲୋକଙ୍କ ପାଖକୁ ଯିବା ବେଶ କମିଯାଏ । ଲୋକ ପ୍ରତିନିଧି ମାନେ ହଜାର ଅପ୍ରସଙ୍ଗ ନେଇ ବ୍ୟସ୍ତ ରହନ୍ତି । ତେଣୁ ଲୋକଙ୍କ ମୂଳ ସମସ୍ୟା ସେଇଠି ରହିଗଲା । କଳାହାଣ୍ଡିର ଲାଞ୍ଜି ଗଡ଼ର ଗୋଟେ ଗାଁରେ ଡାଇରିଆ ନେଇ ଖବର ଆସୁଛି । ଏହା ତ ପାଣି ଦ୍ୱାରା ବ୍ୟାପୁ ଥିବା ରୋଗ । ତା’ମାନେ ସେଠାରେ ସଫା ପିଇବା ପାଣି ନାହିଁ । କେତେ ଦିନ ପରେ ଲୋକଙ୍କୁ ମୁନ୍ଦାଏ ସଫା ପାଣି ମିଳିବ ଯେ?

ଭୋଟ ସରିଗଲେ ସବୁ ପ୍ରସଙ୍ଗ ସମାଧି ନେଇଯିବ । ପୁଣି ୫ ବର୍ଷ ଅପେକ୍ଷା । ଆଜିକାଲି ଯେଉଁହାରରେ ବୈଷୟିକବିଦ୍ୟା ବଦଳୁଛି, କେହି ଜାଣନ୍ତିନି ୫ ବର୍ଷ ପରେ କଣ ହୋଇଥିବ । ତେଣୁ ସେତେବେଳେ ବି ହୁଏତ ସେମିତି ଲୋକେ ପଛକୁ ଠେଲି ହୋଇଯିବେ । ତାଙ୍କ ସମସ୍ୟା କଣ କୁ ରହିଯିବ । ଅପ୍ରସଙ୍ଗ ପୁଣି ପ୍ରସଙ୍ଗ ହୋଇ ଉଭାହେବ ।

(ଲେଖକଙ୍କର ଉଭୟ ସାମ୍ବାଦିକତା ଶିକ୍ଷା ଓ ସକ୍ରିୟ ସାମ୍ବାଦିକତାରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି)

Leave A Reply

Your email address will not be published.