Latest Odisha News

BREAKING NEWS

ମହାସାଗରରେ ଦୀର୍ଘ ୧୧ ଦିନ ଧରି ଘୂର୍ଣ୍ଣୟମାନ ଅବସ୍ଥାରେ ଥିଲା ବାତ୍ୟା ‘ଫନି’

ଭୁବନେଶ୍ୱର : ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ‘ଫନି’ ଗତ ମେ’ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ।

ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫନି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ପ୍ରଳୟଙ୍କରୀ ବାତ୍ୟା ଫନି ଉଭୟ ସମୁଦ୍ର ଓ ସ୍ଥଳଭାଗରେ ଦୀର୍ଘ ୧୧ ଦିନ ଧରି ତିଷ୍ଠି ରହିଥିଲା । ଏହି ଭୟଙ୍କର ବାତ୍ୟାର ତୀବ୍ରତା ସମୁଦ୍ରରେ ସମାନ ରହିଥିଲା ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟରେ ଲ୍ୟାଣ୍ଡଫଲ୍ ହେବା ପରେ ମଧ୍ୟ ଏହାର ତୀବ୍ରତା କମିନଥିଲା । ତେବେ ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇନଥିଲା ବୋଲି ଡ. ସାହୁ କହିଛନ୍ତି ।

ଏହି ସମୟରେ ସାତପଡ଼ାରେ ସମୁଦ୍ର ଢ଼େଉର ଉଚ୍ଚତା ୧୦ ଫୁଟ ରହିଥିଲା ଏବଂ ପବନର ଗତି ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ଥିଲା ।

ଏହି ଘୂର୍ଣ୍ଣିବାତ୍ୟା ଏପ୍ରିଲ ୨୪ ତାରିଖରୁ ଲଘୁଚାପର ରୂପ ନେଇଥିବା ବେଳେ ଲ୍ୟାଣ୍ଡଫଲ୍ ପରେ ଉପକୂଳ ଲଂଘିବା ପାଇଁ ଦୁଇଘଂଟା ସମୟ ନେଇଥିଲା ଏବଂ ତା’ପରେ ଭୁବନେଶ୍ୱର ଓ ତାର ନିକଟବର୍ତୀ ଅଞ୍ଚଳକୁ ମୁହାଁଇଥିଲା । ବାତ୍ୟାର ଆଖିର ପରିସର ମଧ୍ୟରେ ଓଡ଼ିଶାର ରାଜଧାନୀ ରହିଥିଲା । ଏହି ଆଖିର ପରିଧି ୨୮ କିମି ଥିଲା ଏବଂ ଏହା ୨୨ କିମି ବେଗରେ ଗତି କରୁଥିଲା।

ବାତ୍ୟା ପ୍ରାୟ ୩୦ ମିନିଟ୍ ପାଇଁ ଥମି ଯାଇଥିଲେ ମଧ୍ୟ ଏହା ପରେ ପବନର ଗତି ଏବଂ ଦିଗ ବଦଳିଯାଇଥିଲା । ବାତ୍ୟାର ଆଖି ଉପକୂଳ ଲଂଘିବା ପରେ ପବନର ବେଗ ବୃଦ୍ଧି ପାଇଥିଲା ।
ବାତ୍ୟାର ତୀବ୍ରତା ଭୁବନେଶ୍ୱର ପହଞ୍ଚିବା ପର୍ଯ୍ୟନ୍ତ ସମାନ ରହିଥିଲା ଏବଂ ଏହା ପରେ ଏହାର ଦିଗ ପରିବର୍ତ୍ତନ ହୋଇ ଉତ୍ତର ପୂର୍ବ ଦିଗଆଡକୁ ମୟୂରଭଞ୍ଜ ମୁହାଁ ହୋଇଥିଲା ବୋଲି ଡ. ସାହୁ କହିଛନ୍ତି ।

ଦ୍ରୁତ ବେଗରେ ପବନ ଏବଂ ଏହାର ଗତି ଯୋଗୁଁ ସ୍ଥଳଭାଗରେ ଫନି ପ୍ରଳୟ ରଚିଥିଲା । ତେବେ ଏହି ବିପର୍ଯ୍ୟୟ ଆହୁରି ଅଧିକ ହୋଇଥାନ୍ତା ଯଦି ଏହା ଅଧିକ ସମୟ ସ୍ଥଳଭାଗରେ ସ୍ଥିର ହୋଇ ରହିଥାନ୍ତା ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ସାହୁ କହିଛନ୍ତି ।

ବାତ୍ୟା ଦୁର୍ବଳ ହେବା ପରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ଏବଂ ମେ ୧୭ ତାରିଖ ବେଳକୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ସେଂଟିଗ୍ରେଡ ହୋଇପାରେ । ଏଭଳି ପରିସ୍ଥିତି ଏକ ସପ୍ତାହ ଧରି ଜାରି ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.