Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଲୀଳା ଆଜି ସମ୍ପାଦିତ ହୁଏ। “ହରି ଉତଥାପନ ନୀତି “। ଏହି ନୀତି କଥା ଆଲୋଚନା କରିବା ପୂର୍ବରୁ ମନରେ ପ୍ରଶ୍ନ ଉଠେ ହରି କଣ ଶୋଇଥିଲେ କି? ତେବେ ଆସନ୍ତୁ ତିନୋଟି ଏକାଦଶୀ କଥା ବିଚାର କରିବା । ପ୍ରଥମେ ଆଷାଢ଼ ଶୁକ୍ଳ ଏକାଦଶୀ ବା “ହରି ଶୟନ ଏକାଦଶୀ”। ଏହି ଦିନଟି ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହିଦିନ ପ୍ରଭୁ ରଥ ଉପରେ ସୁନାବେଶ (ରାଜ ବେଶ )ଅନୁଷ୍ଠିତ ହୁଏ। କିନ୍ତୁ ତିନି ମୂର୍ତ୍ତି ଶୟନ ଠାକୁରଙ୍କ ତିନି ରଥକୁ ବିଜେ, ଶ୍ରୀଅଙ୍ଗ ଲାଗି ଓ ଅନ୍ୟାନ୍ୟ ରୀତିନୀତି ପରେ ପୁଣି ଶୟନ ଘରକୁ ଫେରି, ସଜ୍ଜିତ ହୋଇଥିବା ଖଟ ଶେଜରେ ଶୟନ କରାଇ, ସେହି ଶୟନ ଘରକୁ ବନ୍ଦ କରାଯାଏ ଓ ତଡାଉକରଣ ଦ୍ୱାର ମୁଦ ଦିଅନ୍ତି। ଏହାପରେ ଭାଦ୍ରବ ଶୁକ୍ଳ ଏକାଦଶୀ ବା “ପାର୍ଶ୍ଵ ପରିବର୍ତ୍ତନ ” ଏକାଦଶୀ। ନାମରୁ ଜାଣି ହେଉଛି ଏହିଦିନ ଶୟନଠାକୁରଙ୍କ କଡ଼ ଲେଉଟା ନୀତି ବା ପାର୍ଶ୍ଵ ପରିବର୍ତ୍ତନ ନୀତି ହୁଏ। ଶୋଇବା ସମୟରେ ଦକ୍ଷିଣ ଦିଗରେ ମୁଖ ଥାଏ। ଆଜି ଉତ୍ତର ଦିଗରେ ମୁଖ ହୁଏ । ଶୁକ୍ଳ ପୁଷ୍ପରେ ପୁଷ୍ପାଞ୍ଜଳି ଦେଇ ପୁନଶ୍ଚ ଶୟନ ଗୃହ ଦ୍ୱାର ମୁଦ ହୁଏ। ଶେଷରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ “ହରି ଉତ୍ଥାପନ “ନୀତି। ପୁନଶ୍ଚ ଶୟନ ଗୃହର ମୁଦ ଫିଟା ଯାଇ ତିନି ଶୟନ ଠାକୁରଙ୍କ ଯଥା : ବଡ଼ବାଡ଼ (ବଳଭଦ୍ର )-ବାସୁଦେବ, ମଝିବାଡ଼ (ସୁଭଦ୍ରା )-ଭୁବନେଶ୍ୱରୀ, ମହାପ୍ରଭୁ (ଜଗନ୍ନାଥ )-ନାରାୟଣଙ୍କୁ ନିଦ୍ରାରୁ ଉଠାଯାଏ। ଶୟନ କାଳରୁ ଥିବା ସମସ୍ତ ପ୍ରତିବନ୍ଧକ ସମାପ୍ତ ହୁଏ। ପୁଣି ସମସ୍ତ ଶୁଭକର୍ମ ପାଇଁ ଅବସର ଆସେ।

ଯୋଗୀ ଋଷିମାନେ ପାଳୁଥିବା ଚlତୃମାସ ବ୍ରତ ଉଦଯାପନ ହୁଏ। ସେତ ପରଂବ୍ରହ୍ମ ତଥାପି ଠିକ ମାନବଙ୍କ ପରି ନିଦ୍ରାଯିବା, କଡ଼ଲେଉଟାଇବା ଓ ପୁଣି ନିଦ୍ରାରୁ ଉଠିବା ଭଳି ସମସ୍ତ ନିୟମରେ ବନ୍ଧା ଥାଆନ୍ତି। ଆଉ ତାଙ୍କର ଏପରି ଲୀଳା ଭକ୍ତଙ୍କୁ ଭାବ ଡୋରିରେ ବାନ୍ଧି ରଖେ। କାଳେ ଭକ୍ତମାନେ ବର୍ଷା ଦିନରେ ବିବାହ, ବ୍ରତ ଇତ୍ୟାଦି ଶୁଭକର୍ମ କଲେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସମସ୍ତ କର୍ମକୁ ଶୟନ ଦିନଠାରୁ ଉତ୍ଥାନ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ। ସତରେ ଭକ୍ତ ବତ୍ସଳ ଆମ ଶ୍ରୀଜଗନ୍ନାଥ, ଭକ୍ତ ପାଇଁ ଅପୂର୍ବ ଲୀଳା ତାଙ୍କର। ନିଜେ ଆଜ୍ଞା ଦେଇଥିବା ଦ୍ୱାଦଶ ଲୀଳାର ଏହା ଅଂଶ “ମଞ୍ଚସ୍ନାନ ରଥବର ଗତିଃ ଶlୟନଂ ଚାୟନେ ଦ୍ଵେ, ପାର୍ଶ୍ଵବୃତ୍ତି ଶୟନ ନିବୃତ୍ତି ପାବୃତୈ ପୁଷ୍ୟ ପୂଜା ଦୋଳଯାତ୍ରା ଦମନକହୋତାକ୍ଷପୂଜା ତୃତୀୟା, ଚୈକଂ ଯାତ୍ରା ବିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର । ” ଅର୍ଥାତ ହେ ନରେନ୍ଦ୍ର ମୋର ଏହି ଦ୍ୱାଦଶ ଯାତ୍ରା ମୁଖ୍ୟ ଅଟେ ଯଥା, ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣlୟନ, ପାର୍ଶ୍ଵପରିବର୍ତ୍ତନ, ଉତଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟପୂଜା, ଉତରାୟଣ, ଦୋଳ, ଦମନକ ଚତୃଦର୍ଶୀ, ଅକ୍ଷୟତୃତୀୟା।

ଆସନ୍ତୁ ସେହି ଲୀଳାମୟ ଠାକୁରଙ୍କୁ ଆରାଧନା କରିବା “ଦୀନବନ୍ଧୁ ବୋଲି ଯାହାଙ୍କୁ କହନ୍ତି, ସେହିତ ପରମ ଯୋଗୀ, ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ, ସୁଖୀ ଲୋକଙ୍କର ଭୋଗୀ। (ଭକ୍ତ ଅଚ୍ୟୁତାନନ୍ଦ ) ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.