ରାତିର ସାଥୀ
ହିରଣ୍ମୟୀ ମିଶ୍ର
ସାରା ପୁଳାଏ ଫାଇଲ ଜାକିଥିଲା ତା କାଖତଳେ । ପିଠିରେ ପଡ଼ିଥିବା ବ୍ୟାକପ୍ୟାକ ବେଶ ଖୁନ୍ଦାଖୁନ୍ଦି ହେଇ ଭର୍ତ୍ତି ହେଇଥିଲା । ତଥାପି ଆଉରି ଗୋଟେ ଫାଇଲ ଓ ବ୍ୟାଗ ସେ ଧରିଥିଲା ତା’ହାତରେ । ସେଦିନ ସେ ଅଫିସ ବଦଳଉଥିଲା । ମିଝିରେ ମଝିରେ ଫୋନରେ କାହାସହ କଥା ବି ହେଉଥିଲା । ସେ ଚାକିରି କରୁଥିବା ମଲରୁ ବି ଫୋନ ଆସୁଥିଲା । ଡେରି ହୋଇଯାଉଥିବାରୁ କ୍ଷମା ମାଗୁଥିଲା ସେ । ଏମିତି ଗୋଟେ ବ୍ୟସ୍ତ ସମୟରେ ମୁଁ ତା’ ପାଖରେ ପହଂଚିଲି । ଡିସେମ୍ବର ମାସର ରାତି କେତେବେଳଠୁ ତା’ର ଅନ୍ଧାର ଖେଳେଇ ସାରିଥିଲା । ତେବେ ଇଂଲଣ୍ଡର ରାସ୍ତା, ଘାଟ ବେଶ ଆଲୋକିତ ଦିଶୁଥିଲା । ରାସ୍ତା ଦୁଇକଡ଼ର ଗଛସବୁ ଥରୁଥିଲେ ଶୀତୁଆ ପବନରେ । ମୋ ହାତରେ ଗ୍ଲୋଭସ ନ ଥିଲା, ତେଣୁ କୋଟ ପକେଟରେ ପୂରାଇ ରଖିଥିଲି ଦୁଇହାତ । ସେ ଥରେମାତ୍ର ମୋ ମୁହଁକୁ ଚାହିଁଲା, ଅଭ୍ୟାସବଶତଃ ମୁହଁରେ ଟିକିଏ କୃତଜ୍ଞତାର ଭାବ ସହ ‘ଥାଙ୍କ ୟୁ’ କହି ମୋ ହାତକୁ ଗୋଟେ ବ୍ୟାଗ ବଢେ଼ଇଦେଲା ।
ଏବେ ସାରା ଓ ମୁଁ ଚାଲୁଥିଲୁ ରାସ୍ତାରେ । ସେ କ୍ୟାମ୍ପସରୁ ବାହାରି ଗୋଟେ ବଙ୍କା ଆଉ ଅପାତତଃ ଅନ୍ଧାରୁଆ ପଡ଼ିଆ ମଝିରେ ରାସ୍ତାରେ ଚାଲୁଥିଲା, ଖୁବ ଜୋର ଜୋର । ପବନରେ ଉଡ଼ିଯିବା ଭଳି ଶୁଭୁଥିଲା ତା’ମୁହଁର କଥାସବୁ । ମୁଁ ଯେତେଚେଷ୍ଟା କଲେ ବି ତା’ ସହ ପାଦ ମିଶେଇ, ତାର ଗତିରେ ଚାଲିପାରୁ ନ ଥିଲି । ସେ ତେଣୁ ମଝିରେ ମଝିରେ ମୋ ପାଇଁ ଅଟକିଯାଉଥିଲା । ସାରାର ବ୍ୟସ୍ତତା ଦେଖି ମୁଁ ଭାବିଲି ଗୋଟେ ଭୁଲ ସମୟରେ ମୁଁ ଆସିଛି ବୋଧହୁଏ । ତେବେ ମୋର ବି ଉପାୟ ନ ଥିଲା । ସ୍କଲାରସିପ ସରିଯାଇଥିଲା ଦୁଇମାସ ତଳୁ । ତଥାପି ମୋର ଆହୁରି ବାକି ରହିଯାଇଥିଲା ଛ’ ମାସର କାମ । ସ୍କଲାରସିପର ଟଙ୍କା ବନ୍ଦ ହେବା ପରେ ଇଂଲଣ୍ଡ ଭଳି ମହର୍ଗିଆ ଦେଶରେ ଚଳିବା ଭାରି କଷ୍ଟ । ମୋ ଆକାଉଣ୍ଟରେ ଯାହା କିଛି ସଞ୍ଚୟ ଥିଲା, ସେଥିରେ ମୁଁ ସବୁଠୁ କମ ଦାମରେ ଭଡ଼ାଘରଟିଏ ଖୋଜୁଥିଲି । ଏମିତି ସମୟରେ ହିଁ ମୋ ଆଖିରେ ପଡ଼ିଥିଲା ସାରାର ବିଜ୍ଞାପନ । ସେମାନେ ରହୁଥିବା ଘରେ ଗୋଟେ ରୁମ ଅଛି, ସବୁ ଆନୁସଙ୍ଗିକ ବ୍ୟବସ୍ଥା ସହ, ଯାହାକୁ ସେ ଭଡ଼ା ଦେବାକୁ ଚାହୁଁଛି । ଭଡା ମାନେ ପାଉଣ୍ଡ ନୁହେଁ, ସପ୍ତାହରେ ଦୁଇଦିନ ତା’ସ୍ୱାମୀର ‘ବେଡ ଆଟେଣ୍ଡାଣ୍ଟ’ ଭାବେ ସାରାରାତି ଯେ କାମ କରିବ, ସେ ବିନା ଭଡାରେ ଦେବାକୁ ଚାହୁଁଛି । ଭଡା ମାନେ ପାଉଣ୍ଡ ନୁହେଁ, ସପ୍ତାହରେ ଦୁଇଦିନ ତା ସ୍ୱାମୀର ‘ବେଡ ଆଟେଣ୍ଟାଟ’ ଭାବେ ସାରାରାତି ଯେ କାମ କରିବ, ସେ ବିନା ଭଡାରେ ରହିପାରିବ ।
ଏ ଦେଶରେ ବିଭିନ୍ନ ପ୍ରକାରର ଚଳଣି, ଆଚରଣ, ସାଂସ୍କୃତିକ ପାର୍ଥକ୍ୟ ଏଭିତରେ ମୁଁ ଦେଖିସାରିଛି । ଅଥଚ ଏମିତି ସର୍ତ୍ତମୂଳକ ଘରଭଡ଼ା କଥା ଏଇ ପ୍ରଥମଥର ମୁଁ ଦେଖୁଥିଲି । ତେଣୁ ସାନିଆକୁ ପଚାରିବାକୁ ହେଲା । ସାନିଆ ମୋର ସବୁଠୁ ନିକଟତର ବାନ୍ଧବୀ,ଇଂଲଣ୍ଡର ଝିଅ । କିନ୍ତୁ ସେ ବେଶୀ କିଛି ସାହାଯ୍ୟ କରିପାରିଲାନି । ତେବେ ବିଶ୍ୱବିଦ୍ୟାଳୟ ଡାଟାବେସରୁ ବାହାରକରି ଏତିକି ସୂଚନା ଦେଲା ସେ ସାରା ଏଡମଣ୍ଡସ ଲିଙ୍ଗୁଇଷ୍ଟିକ ସେଣ୍ଟରରେ ପାଠ ପଢେ଼ । ମୋ ମନର ଆଶଙ୍କାକୁ ବୁଝିପାରି କହିଲା, “ତୁ ଏତେଦିନ ରହିବାପରେ ବି ଏମିତି ଛୋଟ ଛୋଟ କଥାରେ ଡରୁ କାହିଁକି? ଯେମିତି କାମ କରୁଥିବା ମା’ ମାନଙ୍କର ଛୁଆମାନଙ୍କୁ ଜଗାରଖା କରିବା ପାଇଁ ଆମ ସାଙ୍ଗସାଥୀମାନେ ବେବି ସିଟିଙ୍ଗ କରିବାକୁ ଯାଆନ୍ତି, ଯେମିତି ପୋଷାଜନ୍ତୁକୁ ଛାଡ଼ି ଦୂର ଜାଗାକୁ ବୁଲିବାକୁ ଗଲେ ‘ପେଟ ସିଟିଙ୍ଗ’ ପାଇଁ ଖୋଜା ପଡେ, ଏଇଟା ସେମିତି ‘ବେଡ ଆଟେଣ୍ଡାଟ’ । ବେଶୀ ସରିଅସ କଥା ନ ଭାବି ତା’ସହ ଦେଖାକର ।”
ମୁଁ ତା’ପରେ ହାତରେ ଗୁଗୁଲର ମ୍ୟାପ ଧରି ରାସ୍ତା ଚାଲି ଚାଲି ଯାଇ ଥରେ ଦେଖିଆସିଲି ସାରାର ଘର କେତେ ଦୁର ହେବ କ୍ୟାମ୍ପସରୁ । ତା’ପରେ ଆଜିର ଏଇ ଦେଖା- ମୋ ମନର ପ୍ରଶ୍ନସବୁ ଉଠୁଥିଲେ, ପୁଣି ପରସ୍ତ ପରସ୍ତ ହେଇ ସାଙ୍କୁଡ଼ି ଯାଉଥିଲେ । କାଳେ ସେ କ’ଣ ଭାବିବ, ଏମିତି ଭାବି କିଛି ପଚାରି ହେଉ ନ ଥିଲା । ତେବେ ସେ ଖୁବ ଜୋର ଜୋର ଚାଲୁ ଚାଲୁ କହୁଥିଲା ଯେ ତା’ର ଅଳ୍ପ ସମୟ ଅଛି ହାତରେ । ଘଣ୍ଟାଏ ଭିତରେ ସେ ବାହାରିବାକୁ ପଡ଼ିବ ମଲରେ କରୁଥିବା ଚାକିରିର ରାତି ସିଫ୍ଟ କାମ ପାଇଁ । ଘରେ ତା’ ସ୍ୱାମୀ ଜନ ତାକୁ ଅପେକ୍ଷା କରୁଛି । ତା’କଥା ବୁଝିନେଇ ସେ ଯଥାଶୀଘ୍ର ମତେ ଘର ଦେଖେଇ ଚାଲିଯିବ ତା’ କାମକୁ । ତେଣୁ ମତେ ଶୀଘ୍ର ଚାଲିଯିବାକୁ ହେବ । ମୁଁ ଯେତେ ଜୋରରେ ଚାଲିଲେ ବି ଏ ଦେଶର ଲୋକଙ୍କ ସହ ତାଳ ଦେଇ ଚାଲିହୁଏନା । ଝୁରୁଝୁରୁ ହେଇ ବରଫ ପଡ଼ିବା ଆରମ୍ଭ ହେଇଯାଇଥିଲା । କୋଟ ବାହାରେ ଥିବା ମୋ ହାତ କାଲୁଆ ପଡ଼ିଯାଉଥିଲା ।
ସାରାର ଘର କୋଉଠି? ଆଉ କେତେବାଟ ଏମିତି ଚାଲିପାରିବି, ଦୌଡ଼ିବା ଭଳିଆ, ତା’ପଛରେ ଏତେ ଥଣ୍ଡାରେ? ଏମିତି ଭାବୁ ଭାବୁ ସେ ଗୋଟେ ଘର ପାଖରେ ରହିଲା ଓ ତା’ ପଛପାଖ ବ୍ୟାଗର ବାହାରପଟ ପକେଟରେ ଥିବା ଚାବି ବାହାର କରିବାକୁ ମୋତେ ଅନୁରୋଧ କଲା । ଆମେ କବାଟ ଖୋଲି ଘର ଭିତରେ ପଶିଲୁ । ସେ ତା’ର ସବୁ ବ୍ୟାଗ ଓ ଫାଇଲପତ୍ର ସାମ୍ନାଘର୍ ଟେବୁଲ ଉପରେ ରଖିଦେଲା । କେଟଲୀ ଅନ କରି ଚା’ ବସେଇଲା ଓ କଥାବାର୍ତ୍ତା ଆରମ୍ଭ କଲା । ଅଳ୍ପ ସମୟ ଭିତରେ ଆମେ ଚା’କପ ହାତରେ ଧରି ଉପରଘରକୁ ଗଲୁ । ସେ ଭଡ଼ା ଦେବାକୁ ଥିବା ରୁମର ଚାବି ଖୋଲିଲା, ବେଶ ବଡ଼ ପରିଚ୍ଛନ୍ନ ରୁମ । କାହାକୁ ଅପେକ୍ଷାକରି ରହିଥିବା ପରି ପରିଷ୍କାର ଓ ସଜଡ଼ା ହେଇ ରହିଛି । ପାଖକୁ ଲାଗି ଛୋଟ ଡ୍ରେସିଂ ରୁମ ଓ ୱାସ ରୁମ । ରୁମ ବିଷୟରେ ମୋର କିଛି ସଂଶୟ ନ ଥିଲା; କାଇଁକିନା ଏ ଦେଶର ସବୁ ଘର ସୁନ୍ଦର ଓ ଖୁବ ରୁଚିସଂପନ୍ନ ଭାବେ ସଜଡ଼ା ହେଇ ରହିଥାଏ । ସବୁଠି ରୋଷେଇଘରେ ମାଇକ୍ରୋୱେଭ, ଟୋଷ୍ଟର,ସ୍ୟାଣ୍ଡଉଇଚ ମେକର ଭଳି ଜାଣିହେଇଥିବା ଯନ୍ତ୍ରପାତି ସହ କେତେ ରକମର ମୋ ଅଚିହ୍ନା ରୋଷେଇ ସରଞ୍ଜାମ ରହିଥାଏ । ମୋର ଯୋଉ କଥାଟି ପଚାରିବାର କଥା, ସେଇ ପ୍ରଶ୍ନ ହିଁ ଏବେ ମୋ ମୁହଁ ପାଖକୁ ଆସି ଅଟକିଯାଉଥିଲା । ସେ ମତେ ଘରର ସବୁ ସାଧାରଣ ଜାଗା ଦେଖେଇ ସାରିବାପରେ ତା’ ବେଡ଼ରୁମର ପର୍ଦ୍ଧା ଟିକେ ଘୁଞ୍ଚେଇଦେଇ କହିଲା, “ସେ ମୋ ସ୍ୱାମୀ ଜନ ।” ମୁଁ ଦେଖିପାରିଲି, ଖଟ ଉପରେ ଆଉଜି ଜଣେ ଖୁବ ସୁଦର୍ଶନ ଭଦ୍ରବ୍ୟକ୍ତି କିଛି ଗୋଟେ ବହି ପଢ଼ିବାରେ ବ୍ୟସ୍ତ ଅଛନ୍ତି । ଟିକିଏ ପରେ ସେ ସେଇଠୁ କହିଲେ, ‘ହ୍ୟାଲୋ,’ ମୁଁ ‘ହାଏ’ କହୁ କହୁ ସାରା ପୁଣି ପର୍ଦ୍ଧାକୁ ସଜାଡ଼ିଦେଲା ।
ଆମେ ଦୁହେଁ ତା’ ଘରର ଲମ୍ବା କିଚେନରେ ଠିଆହେଇଥିଲୁ । ସେ ବିଭିନ୍ନ ପ୍ରକାର କାମ କରୁଥିଲା, ଦେହରେ ଆପ୍ରୋନ ଗଳେଇ । ହୁଏ ତ ସକାଳର କିଛି ବାସନ ଥିଲା ବେସିନରେ, ସେ ତରବରରେ ଓଭାନ ଭିତରେ କିଛିଗୋଟେ ଖାଦ୍ୟ ବସେଇ ସକାଳର ବାସନ ସବୁ ସଫା କଲା । କିଚେନ ଟାୱେଲରେ ଖୁବ ପରିଷ୍କାର ଭାବେ ପ୍ଲେଟ ସବୁ ପୋଛାପୋଛି କରି ବାସନ ଷ୍ଟାଣ୍ଡରେ ରଖିଲା ।ତା’ ନିଜପାଇଁ ବାକସ ଭିତରେ ବର୍ଗର ଓ ଫ୍ଲାସକରେ ଚା’ । ତା’ପରେ ଜନର ରାତିର ଖାଇବା ପାଇଁ ଆଉ ଗୋଟେ ଚିକେନ ବର୍ଗର ।
ମୁଁ ତା’ର ସେଇ କାମ ଭିତରେ କହିଲି, “ରୁମ ଠିକ ଅଛି ମୋ ପାଇଁ । ହୁଏ ତ ଛ’ମାସ ରହିବାକୁ ପଡ଼ିପାରେ ମତେ । କିଛି ଆଗୁଆ ଟଙ୍କା ଦେବାକୁ ପଡ଼ିବ କି?” ସେ ତା’ ମୁହଁରେ ଝୁଲିପଡୁଥିବା କେରାଏ ଚୁଟିକୁ ନିଜ ବାଁ ହାତରେ ପଛକୁ କରିଦେଇ କହିଲା, “ନା, ଟଙ୍କା ପାଇଁ ଆମେ ଘରଭଡ଼ା ଦେଉନୁ । ଜନ ପକ୍ଷାଘାତ ରୋଗୀ । ତେବେ ତା’ର ଗୋଟେ ପଟ ହାତ, ଗୋଡ଼ ଅଳ୍ପ କାମ କରେ । ବାଆଁ ପାଖଟି ପୂରା ଅକାମୀ । ସପ୍ତାହରେ ଦୁଇଦିନ ମତେ ରାତିରେ କାମ କରିବାକୁ ପଡ଼ିବ ଡିସେମ୍ବରରୁ ଏପି୍ର୍ରଲ । ଏତିକିଦିନ ମୁଁ ରାତିରେ ଦୁଇଦିନ ନ ରହୁଥିବାରୁ ଜଣେ କେହି ରହିବା ଦରକାର, ତା’ର କିଛି ବ୍ୟକ୍ତିଗତ କାମ ପାଇଁ । ସେଇକଥା ତ ଆମେ ଲେଖିଥିଲୁ ବିଜ୍ଞାପନରେ ।”
ସେ ପୁଣି ତା’ କାମରେ ମନ ଦେଲା । ଯେମିତି ସେ ଯାହା କହିବାର କଥା, ସେତକ କହିସାରିଛି ଓ ଏଣିକି ରହିବା, ନ ରହିବା କଥା ମୋ ସିଦ୍ଧାନ୍ତ ଉପରେ ନିର୍ଭର କରେ । ସାଙ୍ଗରେ ଆଣିଥିବା ବ୍ୟାଗ ଭିତରୁ ସେ ସସେଜ ପ୍ୟାକେଟ ଓ ପାଉଁରୁଟି ବାହାର କରି ଫି୍ରଜରେ ରଖିଲା । ମୋ ଆଡକୁ ମୁହଁ ବୁଲାଇ ମନେପକାଇବା ଭଳି ପଚାରିଲା, “ୟୁ ଓକେ?’ ମୁଁ ଚୁପଚାପ ଠିଆ ହେଇଥିଲି । ତା’ପ୍ରଶ୍ନ ଶୁଣି ପୁଣି ଫେରିଆସିଲି ମୋ ଚିନ୍ତା ଭିତରକୁ । କହିଲି, “ନା, ମାନେ ଏଇଟା ମୋ ପାଇଁ ପୂରା ନୂଆ ସିଚୁଏସନ, ସେଥିପାଇଁ ଟିକେ ଚିନ୍ତା କରୁଛି । ଜାଣିପାରୁନି, ପ୍ରକୃତିରେ କ’ଣ କରିବାକୁ ହେବ ମତେ ବେଡ ଆଟେଣ୍ଡାଟ ଭାବେ ।” ମୋ କଥା ପୂରା ନ ଶୁଣିଥିବା ଭଳି ସେ କହିଲା, “ଠିକ ଅଛି, ତୁ ଭାବି ଦେଖ । ପୂରା କୋଡ଼ିଏ ମିନିଟ ସମୟ ଅଛି ତୋ ପାଖରେ । ବଟ ଇଟସ ନଟ ଏ ବ୍ୟାଡ ବାରଗେନ । ରାଜି ଥିଲେ ଆଜିଠୁ ରହିପାରିବୁ । ନ ହେଲେ ଟେସକୋ ଗଲାବେଳେ ଡ୍ରପ କରିଦେବି ମୁଁ ଛକ ପାଖରେ ।”
– “ନା,’ ନା,’ ମାନେ ମୁଁ ଆଜି ତ କିଛି ଜିନିଷପତ୍ର ଆଣିନି ।” କିଛି କହିବାକୁ ଯାଇ ଆଉ କିଛି କହିପକାଇବା ପରି ସ୍ୱର ମୋର । ସାରା ସେକଥା ବୁଝିପାରିଲା, ଠିକରେ ।
-”ରାତିଟା ରହିବା ପାଇଁ ମୋର ଗୋଟେ ନୂଆ ନାଇଟ ଗାଉନ ମୁଁ ଦେଇପାରେ । ଆଜି ବାହାରେ ବହୁତ ବରଫ ପଡୁଛି । ଜନକୁ ଘରେ ଏକା ଛାଡ଼ି ମୁଁ ଯିବାକଥା ନୁହେଁ, ଖାଲି ଅଫିସ ବଦଳେଇବାର ଝିଞ୍ଜଟରେ ଦିନବେଳା କାମ କରିପାରିଲିନି ବୋଲି ରାତି ସିଫଟ କରିବାକୁ ଯାଉଛି । ଆଜି ରାତିରେ ଏଠି ତୁ ରହିଗଲେ ବି ମୋ ପାଇଁ ଗୋଟେ ଫେବର ହେବ ସେଇଟା ।” ତା’ସ୍ୱରରେ ଟିକିଏ ଅନୁରୋଧ ମିଶିଗଲା ।
– “କିନ୍ତୁ ଏବେ ବି ବୁଝିପାରୁନି ଯେ ତମର ଏଠି, ଏ ଦେଶରେ ଏମିତି କେହି ପକ୍ଷାଘାତଗ୍ରସ୍ତ ସ୍ୱାମୀ ପାଇଁ ଏତେ ଚିନ୍ତାକରିବା ସମ୍ଭବ କି ? ମାନେ ଏତେ ବ୍ୟକ୍ତିସର୍ବସ୍ୱ ସାମାଜିକ ବ୍ୟବସ୍ଥାରେ ମୁଁ ଏମିତି କଥା ଦେଖିନି ତ ଏଯାଏଁ- ଏଠି ସ୍ୱାମୀ ସ୍ତ୍ରୀର ସଂପର୍କ ଆମ ଦେଶ ଭଳିଆ ଚିରଦିନ ସ୍ଥାୟୀ ରହିବା ଜରୁରୀ ନୁହେଁ । ସେମିତି କିଛି ସାମାଜିକ ପ୍ରତିବନ୍ଧକତା ବି ନାହିଁ; ସେଇଥିପାଇଁ ତ ଏଠି ଏତେ ମାୟାଜାଲ ଭିତରେ ଛନ୍ଦି ହୋଇ ରହିଥାଏ ସ୍ତ୍ରୀ ଆଉ ପୁରୁଷର ସଂପର୍କ ।” ମୋ ସ୍ୱରରେ ନିଜ ଦେଶର ସଂସ୍କୃତିକୁ ନେଇ ଟିକିଏ ଗର୍ବ ଥିଲା, ଆଉ ସମ୍ଭବତଃ ସାରା ପାଇଁ କୋଉଠି କଣିକାଏ ଦୟା ବି ।
ସାରା ମୋ କଥା ସାରିବାକୁ ଦେଲାନି । ଟିକିଏ ରାଗିଗଲା ସେ । ପତଳା ପରଦା ଆରପଟେ ସେ ପୋଷାକ ବଦଳେଇବା ଆରମ୍ଭ କରିଥିଲା ବୋଧହୁଏ । ମୋ କଥା ଶୁଣି ସେ ଦେହରେ ଟାୱେଲ ଗୁଡ଼ାଇ ବାହାରିଆସିଲା – “ତୁ ତା’ ହେଲେ ଜାଣିବାକୁ ଚାହୁଁଛୁ ଜନ କଥା । ଆମଦେଶରେ ଏମିତି କେହି ପଚାରନ୍ତିନି ତ ସେଥିପାଇଁ ଟିକିଏ ଡେରିହେଲା, ମୋର ବୁଝିବାରେ । ଜନ ସୈନିକ ଥିଲା, ଆଫଗାନିସ୍ଥାନର ସ୍ୱତନ୍ତ୍ର ଟିମରେ ତା’ ଡୁ୍ୟଟି ଥିଲା । ସେଇଠି ହିଁ ଏ ଦୁର୍ଘଟନା ଓ ତା’ ପରଠୁ ସେ ଏମିତି ଘର ଭିତରେ ରହେ । ଜଣେ ସୈନିକର ସ୍ତ୍ରୀଭାବେ ମୁଁ ଦେଶଠୁ, ମୋ ଦେଶର ସରକାରଙ୍କଠୁ, ମୋ ସମାଜଠୁ ଖୁବ ବେଶୀ ସମ୍ମାନ ଓ ସୁବିଧା ପାଇଛି । ପବ୍ଲିକ ଲିଭିଙ୍ଗର ଘର, ଆଜୀବନ ଷ୍ଟାଇପେଣ୍ଡ, ପର୍ଯ୍ୟାପ୍ତ ସମ୍ମାନ- ଏସବୁ କ’ଣ ଗୋଟେ ଜୀବନ ପାଇଁ କିଛି କମ?”
– “ନା’ ମୁଁ ଭାବୁଥିଲି ତମର ଏଠି ଏମିତି କେହି ସ୍ତ୍ରୀଲୋକ ନିଜ ବୟଫ୍ରେଣ୍ଡ ପାଇଁ ବା ସ୍ୱାମୀ ପାଇଁ ବା ପୁଅମାନେ ସେମାନଙ୍କର ଗାର୍ଲଫ୍ରେଣ୍ଡ ବା ସ୍ତ୍ରୀମାନଙ୍କ ପାଇଁ ନିଜ ବ୍ୟକ୍ତିଗତ ଜୀବନର ସୁଖକୁ ତ୍ୟାଗ କରନ୍ତିନି ତ!” ମୁଁ ଜାଣିଥିଲି ଯେ ଏମିତି ମୋର କହିବାର ଉଚିତ ନୁହେଁ । ତଥାପି କେମିତି ମନ ଭିତରର ଚିନ୍ତାସବୁ କହିହେଇଯାଏ, ଏମିତି ବେଳେ ବେଳେ ।
ସାରା ଅଳ୍ପ ହସିଲା ବୋଧହୁଏ । ଖୁବ ସହଜଭାବରେ କାନ୍ଧକୁ ଝାଡ଼ିଦେଇ କହିଲା ସେ- “ନା,’ ନା,’ କିଛି ତ୍ୟାଗ କରିନି ମୁଁ । ଜନ ବହୁତ ଭଲ ମଣିଷ । ମତେ ସତରେ ବହୁତ ଭଲ ପାଆନ୍ତି ସେ । ତା’ଛଡ଼ା ସେ ମୋର କେବଳ ପ୍ରେମିକ ନୁହେଁ, ଆମେ ବାହାହେଇଛୁ ଖୁବ କମ ବୟସରେ । ମୋର ବୟସ ସେତେବେଳେ ବାଇଶ ଓ ଜନ ଠିକ କୋଡ଼ିଏ ବର୍ଷର ହେଇଥିଲା ।ସେ ଆର୍ମିରେ ଯୋଗଦେବା ବି ମୋର ଡିସିସନ ଥିଲା ଏକରକମ । ଆମେ ପ୍ରଥମେ ବାହାହେବାର ବେଶ କିଛି ବର୍ଷ ଏକାଠି ଉପଭୋଗ କରିଛୁ । ସେ ଏତେ ଭଲ ମଣିଷ ଯେ ମୁଁ କ’ଣ, କେହି ବି ତାକୁ ଭଲ ନ ପାଇ ରହିପାରିବନି ।” ସାରାର ସ୍ୱର ଓଦା ଓଦା ହେଇଆସୁଥିଲା । ଆଖିରେ ବି ପାଣି ଜମିଆସିଥିଲା ବୋଧହୁଏ । ସେ ଚଷମା ଖୋଲି ପୋଛିଲା । ଟିସୁ ପେପରରେ ନିଜ ଆଖି, ନାକ ସବୁ ଭଲ ଭାବେ ସଫାକଲା, ପତଳା ପରଦା ଆରପଟେ ପୋଷାକ ବଦଳେଇଲା ଆଉ ହାତରେ ବ୍ରସ ଧରି ମୁଣ୍ଡରେ ଚୁଟି ସଜାଡ଼ୁ ସଜାଡ଼ୁ ବାହାରକୁ ଚାହିଁ ବ୍ୟସ୍ତ ହେଇପଡ଼ି କହିଲା, “ଓ, ନୋ!”
ମୁଁ ବି ଏବେ ବାହାରକୁ ଚାହିଁଲି । ବାହାରେ ବରଫ ପଡ଼ିବା ଏତେ ବଢ଼ିଯାଇଥିଲା ଏ ଭିତରେ ଯେ ଗଛର ପତ୍ରସବୁ ବି ଆଉ ଦିଶୁ ନ ଥିଲା । ଝରକାର ତଳେ ଗଦା ଗଦା ବରଫ ଦିଶୁଥିଲା । କାଚଝର୍କା ଆରପଟେ ସାରା ପୃଥିବୀ କେବଳ ବରଫମୟ ହିଁ ଦିଶୁଥିଲା । ସେ ଜନ ପାଖକୁ ଗଲା, କିଛି ସମୟ ପରେ ମୋ ପାଖକୁ ପୁଣି ଫେରିଆସି ପଚାରିଲା, “କ’ଣ ଠିକ କଲୁ?”
ମୁଁ କହିଲି, “ମୁଁ ଜାଣିପାରେ କି ବେଡ ଆଟେଣ୍ଡ କଲାବେଳେ ମତେ କ’ଣ କରିବାକୁ ପଡ଼ିବ? ମୁଁ ଏମିତି କାମ କେବେ କରିନି ତ, ଜାଣିପାରୁନି ଠିକରେ କ’ଣ କାମ ମୋର ।”
ସେ ମୋ ମୁହଁକୁ ସିଧା ଚାହିଁ ମତେ କହିଲା, ଟିକିଏ କଠୋର ଗଳାରେ, “ମୁଁ ଜାଣିଛି, ତୁ କାହିଁକି ହେଜିଟେଟ କରୁଛୁ । ଜୀବନ ଅଛି ମାନେ ସମସ୍ୟା ରହିବ । ଆମେମାନେ ଏମିତି ସମସ୍ୟାର ସାମାଧାନ ଖୋଜୁ, ଆଉ ପୁଣି ଆଗକୁ ଚାହୁଁ । ତମେ ସବୁ ସେଇ ସମସ୍ୟାକୁ ଧରିବସି, ତା’ଚାରିପଟରେ ବାହୁନି ବାହୁନି ସମୟ କାଟିବାକୁ ବାଛିନିଅ । ସେଇଆ ହିଁ ଫରକ ପୂର୍ବ ଆଉ ପଶ୍ଚିମ ଦେଶର ସାମାଜିକ ବ୍ୟବସ୍ଥା ଭିତରେ ।” ମୋ ପଟୁ ମୁହଁ ବୁଲେଇନେଇ ସେ କାଉନସିଲ ଅଫିସକୁ ଫୋନ କରୁଥିଲା, ବରଫକଟା ଗାଡ଼ି ପଠେଇବା ପାଇଁ । ତା’ଡୁ୍ୟଟିର ସମୟ ହେଉଛି, ଆଉ ଦଶମିନିଟ ଭିତରେ ସାମ୍ନା ଲେନଟିକୁ ଦୟାକରି ଟିକେ ବରଫମୁକ୍ତ କରିବାପାଇଁ ସେ ଅନୁରୋଧ କଲା । ତା’ସ୍ୱରରେ, ମୁହଁରେ ଟିକିଏ ବି ଭାବାନ୍ତର ନ ଥିଲା । କେବଳ ପରବର୍ତ୍ତୀ ମୁହୁର୍ତ୍ତ, ପରବର୍ତ୍ତୀ ସମୟର କାମକଥା ହିଁ ସେ ଭାବୁଥିଲା ସମ୍ଭବତଃ । ମୁଁ ଜାଣିପାରୁଥିଲି ଯେ ସାରା ଠିକ କହୁଛି, ଏକରକମ ଶତ ପ୍ରତିଶତ ଠିକ, ଯଦିଓ ମତେ ଶୁଣିବାକୁ ଟିକିଏ କଷ୍ଟ ହେଉଛି । ଜୀବନ ଅଟକିଯାଏନି କୋଉ ସଂଘାତର ବିନ୍ଦୁରେ । ଆମେ କିନ୍ତୁ ତାକୁ ଅତିକ୍ରମ କରିଯିବାର ସାହସ ସଂଚୟ କରୁ କରୁ ଗୁଡ଼ାଏ ସମୟ ଚାଲିଯାଏ ।
ସାମନା ଟେବୁଲ ଉପରେ ଦି’ଟା ବଡ, ବଡ଼ ସୁପ ଜାଗାରେ ସୁପ ରଖିଲା ସେ । ମତେ କହିଲା, “ସୁପ ପିଇଦେ, ଆଜି ରାତିରେ ଅନ୍ତତଃ ଏଇଠି ରହିବାକୁ ହେବ ତତେ । ବାହାରେ ବରଫପାତ ଚାଲିଛି ଭୀଷଣ ଭାବେ ।”
ଗରମ ବାମ୍ଫଉଠା ସୁପରୁ ଚାମଚେ ପାଟିକୁ ନେବାପରେ ମୁଁ କହିିଲି, “ଠିକରେ କହିଲେ ଦେହଠୁ ହୃଦୟକୁ ଭିନ୍ନ କରି ଚିନ୍ତା କରିବାର ସାହସ ବା ମାନସିକ ପ୍ରସ୍ତୁତି ମୋ ପାଖରେ ହୁଏ ତ ନାହିଁ; ନ ଥିବାର ଯଥେଷ୍ଟ କାରଣ ବି ରହିଛି । ମୁଁ ସେମିତି ଗୋଟେ ବ୍ୟବସ୍ଥା ଭିତରେ ବଡ ହେଇଛି ତ!”
ସାରା କହିଲା, “ମୁଁ ଜାଣିଛି ସେସବୁ କଥା । ଆମର ଏଠି କିନ୍ତୁ ସେକସୁଆଲ ଫ୍ରିଡମ ବି ସ୍ୱାଧୀନ ଭାବେ ଜିଇବାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜନ କଷ୍ଟ ପାଏ ବେଳେ ବେଳେ ସେଇ ଅଭାବ ପାଇଁ । ଜନ କଷ୍ଟପାଇଲେ ମତେ କଷ୍ଟହୁଏ,ଖୁଉବ ବେଶୀ । ସେଥିପାଇଁ ତା’ ଖଟତଳ ଡ୍ରୟାରରେ କେତେ ପ୍ରକାର ସେକସ ଟୟ ମୁଁ ରଖିଛି । ମୁଁ ନ ଥିବାବେଳେ ତା’ର ସେସବୁ ଦରକାର ପଡ଼ିପାରେ । ତତେ ସେସବୁ ଦେବାକୁ ପଡ଼ିବ, ସେ ଚାହୁଁଥିବା ଅନୁସାରେ । ବା ହୁଏ ତ କେବେ ଏମିତି ହେଇପାରେ ସେ ନିଜେ ନିଜେ କିଛି କରିବାକୁ ଚାହିଁଲେ ତତେ ତା’ପରେ ତାକୁ ଟିକେ ସଫା କରିଦେବାକୁ ପଡ଼ିବ । ତେବେ ସେଥିପାଇଁ ସେ ବେଲ ଟିପି ଡାକିବ । ଏତିକି କାମ, ହଁ, ତେବେ ତତେ ଟିକେ ଭଲ ଡ୍ରେସ ଅପ ହେଇ ଠିଆ ହେବାକୁ ପଡ଼ିବ, ତା’ ଶେଯ ପାଖରେ । ମନେ ପକାଇବା ପରି ସେ କହିଲା । ମୁଁ ସମ୍ଭବତଃ ବହୁତ କିଛି ଭାବୁଥିଲି, ତେଣୁ ଏତିକି କଥା ମତେ କିଛି ବେଶୀ ଲାଗିଲାନି । ଆଶ୍ଚର୍ଯ୍ୟଜନକ ଭାବେ ମତେ ଟିକିଏ ବି ଖରାପ ଲାଗିଲାନି । ସମ୍ଭବତଃ ମୁଁ ଭାବୁଥିଲି ଯେ ଜନ ରାତିରେ ମୋର ସଖ୍ୟ ଚାହିଁପାରେ । କିନ୍ତୁ ସାରା ମୋର ସେ ସଂଶୟସବୁକୁ ଦୂର କରିଦେବା ପରେ ମତେ ଟିକିଏ ଶାନ୍ତ, ଆଉ ଟିକିଏ ହାଲିଆ ବି ଲାଗିଲା । ଆମେ ଦୁହେଁ ଏକାସାଙ୍ଗରେ ଉଠିଲୁ ।
ସୁପ ପିଇସାରିବା ବେଳକୁ କାଉନସିଲର ବରଫକଟା ଗାଡ଼ିର ଶବ୍ଦ ଶୁଭିଲା । ସାରାର ସାମନା କବାଟ ଉପରକୁ ଉଠିଯାଇଥିବା ବରଫଗଦାକୁ ସେ କାଟିବାର ଶବ୍ଦ ଶୁଭିଲା ଆମକୁ । ସାରା ମୋ ପାଖରେ ନୂଆ ଗାଉନଟେ ରଖିଦେଇ କହିଲା, “ଆଇ ମଷ୍ଟ ଲିଭ ନାଓ” । ମୁଁ ତରବର ହେଇ କହିପକେଇଲି- “ଠିକ ଅଛି, ମୁଁ ରହିବି ଏଠି ।” ସେ ମତେ ଥରେ ମାତ୍ର ଚାହିଁଲା ଓ କାନ୍ଧରେ ତା’ ବ୍ୟାଗ ନେଇ ବାହାରିଗଲା । କବାଟ ବନ୍ଦ ହେବାର ଶବ୍ଦ ଶୁଭିଲା ଓ ବାହାରେ ଡ୍ରାଇଭର ସହ ସାରା କଥା ହେବାର କୋଳାହଳ । ସେ ଗ୍ୟାରେଜରୁ ତା’ କାର ବାହାର କଲା ସମ୍ଭବତଃ । ହଠାତ ପୁଣିଥରେ କବାଟର ଚାବି ଖଡ଼ଖଡ଼ ହେଲା । ଚାବିଖୋଲି କବାଟକୁ ହାତରେ ଧରି ମୁହଁଗଳେଇ ମତେ ସେ କହିଲା ତା’ର ଶେଷ କହିବାର ଧାଡ଼ି, “ଗୋଟେ ମିିନିଟ ପାଇଁ ବି ତୁ ଭୁଲିଯିବୁନି ଯେ ଜନ ମୋ ସ୍ୱାମୀ ଆଉ ଆମେ ପରସ୍ପରକୁ ଖୁବ ଭଲପାଉ, ବାଏ ।” ଧଡ଼କିନା କବାଟ ବନ୍ଦ ହେବାର ଶବ୍ଦ ହେଲା ପୁଣିଥରେ ।
Comments are closed.