ଖରା ଓ ନାରୀ
ଗାୟତ୍ରୀ ଦାସ
ହୁଏତ ଏ ଧୂ ଧୂ ଖରାରେ ସେ ନ ଥାଏ
ଦେହଟାକୁ କଂକାଳରୁ ଓହ୍ଲାଇ ଦେଇ
ସେ ଧରିଥାଏ ଛାଇ ଲେଉଟାଣି ବାଟ
ହୁଏତ ସେ ଲେଉଟାଣି ବାଟ
ସପାଟ ସମତଳ ଆଡକୁ ଯାଇ ନ ଥାଏ
କେବେ କେବେ ପାହାଡ, ମରୁ ପ୍ରାନ୍ତର
ଅବା ଧୂସର ଉପତ୍ୟକାଟେ ବାଟ ଓଗାଳେ
ହୁଏତ ସେ ଉପତ୍ୟକାରେ
କେହିଜଣେ ବୁଣିଦେଇଥାଏ
ଶ୍ୟାମଳ ସ୍ଵପ୍ନରୁ ମାଣେ କି ଆକାଶି ଖୁସିରୁ ମୁଠେ
ତୁତ୍ ଗଛର ମୁଲାୟମ ପତ୍ରରେ
ରେଶମ ପୋକର କୋକନ୍ ପରି
ଘରଟିଏ ଲୋଡା ଯେ….
ଜୀବନ ବାସୁଥାଏ ମହ ମହ
ଛାତିମ୍ ଫୁଲର ବାସ୍ନା ପରି
ହୁଏତ ସେ ବାସ୍ନାରେ ପଲ୍ଲବୀତ ହୋଇପାରେ
କେଉଁ ଏକ ଅଭିଶପ୍ତ ମରୁଭୂମି
ଚିକ୍ ମିକ୍ ଖରା, ଶୁନ୍ ଶାନ୍ ରାସ୍ତା
ନିଆଁର ବର୍ଷାରେ ପାଦ ଥାପେ ନାରୀ
ସବୁ ଅକ୍ଷମତାକୁ ଆଡେଇ ଦେଇ
ଅଗ୍ରସର ହୁଏ ସୂର୍ଯ୍ୟ ପଥ ଆଡକୁ
ଝର୍କାର ରେଲିଂରୁ
ପୁରୁଷାର୍ଥର ପରାକାଷ୍ଠାରେ
କେହିଜଣେ ବଢେଇ ଦିଏ ଛତା
ନେ ନାରୀ – ତରଳିଯିବୁ ବହିଯିବୁ
ବରଫ ପରି… ଲହୁଣୀ ପରି
ସେ କି ଜାଣେ
ନାରୀ ପାଣି ନୁହେଁ, ପାରଦ ବୋଲି
ନିଆଁ, ନାରୀ, ସୂର୍ଯ୍ୟ
ସମସ୍ତେ ଜଳନ୍ତି
ଚୁଲି ପାଇଁ, ଦେହ ପାଇଁ, ସୃଷ୍ଟି ପାଇଁ
………………………
ଗୀତାଗ୍ରାମ, ଅନୁଗୋଳ
8249586443