Latest Odisha News

BREAKING NEWS

ରୋହିତଙ୍କ ଧୁଆଁଧାର ଶତକ, ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ୱକପ ଅଭିଯାନ…

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଆକର୍ଷଣୀୟ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ଏବଂ ଚହଲଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିପାରିଛି ।

ସାଉଥମ୍ପଟନର ଭରପୁର ଭାରତୀୟ ଦଶର୍କଙ୍କ ସାମ୍ନାରେ ଟସ ଜିତି ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଡ୍ୟୁ ପ୍ଲେସିସ ପ୍ରଥମେ ବ୍ୟାଟିଂ ନେବାକୁ ସ୍ଥିର କରିଥିଲେ । ଯଶପ୍ରୀତ ବୁମରାଙ୍କ ଶାଣିତ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପ୍ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିଲା । ଓପନର୍ ହାସିମ ଆମଲା ଓ ଡ଼ି କକଙ୍କୁ ସହଳ ଆଉଟ କରି ବୁମରା ଭାରତୀୟ ଶିବିରରେ ହର୍ଷୋଲ୍ଲାସ ଆଣିଦେଇଥିଲେ । ଭାରତୀୟ ବୋଲରଙ୍କ ମାପଚୁପ ଓ ତୀକ୍ଷ୍ମ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଦଳ ବିଶାଳ ସ୍କୋର କରିବାକୁ ଅକ୍ଷମ ହୋଇପଡ଼ିଥିଲା । ମୋରିସଙ୍କ ୪୨ ରନ ଓ କପ୍ତାନ ଡ୍ୟୁ ପ୍ଲେସିସଙ୍କ ୩୮ ରନ ବ୍ୟତୀତ ରାବଡ଼ାଙ୍କ ୩୧ ରନ ତଥା ମିଲରଙ୍କ ୩୧ ରନ ବଳରେ ଆଫ୍ରିକୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ମାତ୍ର ୨୨୭ ରନ କରିପାରିଥିଲା ।

ଏହି ମ୍ୟାଚରେ ହିରୋ ପାଲଟିଥିଲେ ଭାରତୀୟ ସ୍ପିନ ଯାଦୁକର ୟୁଜବେନ୍ଦ୍ର ଚହଲ୍ । ସେ ୧୦ ଓଭର୍ ବୋଲିଂ କରି ୫୧ ରନରେ ମୂଲ୍ୟବାନ ୪ଟି ୱିକେଟ ଅକ୍ତିଆର କରିଥିଲେ । ଫାଷ୍ଟ ବୋଲର୍ ବୁମରା ଓ ଭୁବନେଶ୍ୱର କୁମାର ୨ଟି କରି ୱିକେଟ ହାସଲ କରିପାରିଛନ୍ତି । ସେହିପରି କୁଲଦୀପ ଯାଦବ ଗୋଟିଏ ୱିକେଟ ହାସଲ କରିପାରିଛନ୍ତି ।

ଏହାର ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ସହଳ ଧାୱନଙ୍କ ୱିକେଟ ହରାଇଥିଲା । ମାତ୍ର ରୋହିତ ଶର୍ମା ଓ ବିରାଟ କୋହଲୀ ପିଚରେ ଜମିରହି ଦଳକୁ ଅଗ୍ରସର କରିବାକୁ ଚେଷ୍ଟା କରିଥିଲେ । କୋହଲୀ ୧୮ ରନରେ ଆଉଟ ହେବାପରେ କେ ଏଲ ରାହୁଲ ରୋହିତଙ୍କୁ ସାଥ୍ ଦେଇଥିଲେ । ରାହୁଲ ୨୬ ଓ ଧୋନୀ ଉପଯୋଗୀ ୩୪ ରନ ସ୍କୋର କରିଥିଲେ । ଅଲରାଉଣ୍ଡର୍ ହାର୍ଦ୍ଧିକ ପାଣ୍ଡ୍ୟା ପ୍ରଶଂସନୀୟ ୧୫ ରନ ସ୍କୋର କରି ଦଳ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ । ଭାରତୀୟ ଦଳ ୪୭.୩ ଓଭରରେ ମାତ୍ର ୪ଟି ୱିକେଟ ହରାଇ ୨୩୦ ରନ ସ୍କୋର କରି ବିଜୟ ହାସଲ କରିଥିଲା ।

ଟିମ୍ ଇଣ୍ଡିଆ ଉପ-ଅଧିନାୟକ ରୋହିତ ଶର୍ମା ୧୪୪ଟି ବଲରେ ୧୨୨ ଉପଯୋଗୀ କରିଥିଲେ । ସେଥିରେ ରହିଥିଲା ୨ଟି ବିଶାଳ ଛକା ଏବଂ ୧୩ଟି ଆକର୍ଷଣୀୟ ଚୌକା । ତାଙ୍କର ପ୍ରଶଂସନୀୟ ବ୍ୟାଟିଂ ପ୍ରଦର୍ଶନ ଲାଗି ‘ପ୍ଲେୟାର୍ ଅଫ ଦି ମ୍ୟାଚ୍’ ଘୋଷିତ କରାଯାଇଥିଲା ।

ଆସନ୍ତା ଜୁନ ୯ ତାରିଖରେ ଭାରତ ତା’ର ଆଗାମୀ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡ଼େଜା, ଜଶପ୍ରିତ୍ ବୁମରା, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମ, କେ ଏଲ ରାହୁଲ ଓ ବିଜୟ ଶଙ୍କର ।

କେଉଁଦିନ କେଉଁ ଦଳକୁ ଭେଟିବ ବିରାଟଙ୍କ ଟିମ୍ ଇଣ୍ଡିଆ:
ବିପକ୍ଷ ଦଳ                           ଷ୍ଟାଡ଼ିୟମ / ସ୍ଥାନ                    ତାରିଖ / ସମୟ
ଭାରତ ବନାମ ଦକ୍ଷିଣ ଆଫ୍ରିକା –   ସାଉଥମ୍ପଟନ୍                        ଜୁନ ୫ (ଦିନ ୩ଟା)
ଭାରତ ବନାମ ଅଷ୍ଟ୍ରେଲିଆ –         ଓଭାଲ୍, ଲଣ୍ଡନ                     ଜୁନ ୯ (ଦିନ ୩ଟା)
ଭାରତ ବନାମ ନ୍ୟୁଜିଲାଣ୍ଡ –          ଟ୍ରେଣ୍ଟବ୍ରିଜ, ନଟିଂହାମ              ଜୁନ ୧୩ (ଦିନ ୩ଟା)
ଭାରତ ବନାମ ପାକିସ୍ତାନ –           ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୧୬ (ଦିନ ୩ଟା)
ଭାରତ ବନାମ ଆଫଗାନିସ୍ତାନ –      ହାମ୍ପସାୟାର, ସାଉଥମ୍ପଟନ       ଜୁନ ୨୨ (ଦିନ ୩ଟା)
ଭାରତ ବନାମ ୱେଷ୍ଟଇଣ୍ଡିଜ –         ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍        ଜୁନ ୨୭ (ଦିନ ୩ଟା)
ଭାରତ ବନାମ ଇଂଲଣ୍ଡ –              ଏଜବାଷ୍ଟନ, ବର୍ମିଂହାମ            ଜୁନ ୩୦ (ଦିନ ୩ଟା)
ଭାରତ ବନାମ ବାଂଲାଦେଶ –         ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୨ (ଦିନ ୩ଟା)
ଭାରତ ବନାମ ଶ୍ରୀଲଙ୍କା –              ହେଡ଼ିଂଲେ, ଲିଡ୍ସ୍                  ଜୁଲାଇ ୬ (ଦିନ ୩ଟା)
ପ୍ରଥମ ସେମିଫାଇନାଲ୍ –               ଓଲ୍ଡ ଟ୍ରାଫୋର୍ଡ଼, ମାଞ୍ଚେଷ୍ଟର୍       ଜୁଲାଇ ୯ (ଦିନ ୩ଟା)
ଦ୍ୱିତୀୟ ସେମିଫାଇନାଲ୍ –              ଏଜବାଷ୍ଟନ, ବର୍ମିଂହାମ            ଜୁଲାଇ ୧୧ (ଦିନ ୩ଟା)
ଫାଇନାଲ୍ –                              ଲର୍ଡସ୍, ଲଣ୍ଡନ                    ଜୁଲାଇ ୧୪ (ଦିନ ୩ଟା)

Facebook
Leave A Reply

Your email address will not be published.