ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାକାର ବିଗ୍ରହ ଉପାସନା କରିବା ବେଳେ ଆମେ ଲକ୍ଷ୍ୟ କରୁ ଜଣେ ସାଧାରଣ ମଣିଷ ପରି ସମସ୍ତ କ୍ରିୟାରେ ପ୍ରଭୁ ଲିପ୍ତ ରହନ୍ତି। ଯାହାକୁ ଶାସ୍ତ୍ର କହେ “ଲୋକବତ ତୁ ଲୀଳା କୈବଲ୍ୟମ୍ ।” ଅର୍ଥାତ ସାଧାରଣ ଲୋକଟିଏ ଯେଉଁ ସବୁ ନିତ୍ୟକ୍ରମ କରେ, ଯେଉଁ ସବୁ କ୍ରିୟା ସମ୍ପାଦନ କରେ, ପ୍ରଭୁଙ୍କର ଦୈନିକ ରୀତି ନୀତିରେ ସେସବୁ ଦୃଷ୍ଟି ଗୋଚର ହୁଏ। କେବଳ ସେତିକି ନୁହେଁ ଶ୍ରୀଜଗନ୍ନାଥ ମଧ୍ୟ ଶରୀର ତ୍ୟାଗ କରି ନୂଆ ଶରୀର ଧାରଣ କରନ୍ତି। ଆମେ ଜାଣିଛେ ଜନ୍ମ ସହ ମୃତ୍ୟୁ ଜଡିତ ଓ ଏହା ଏକ ଧ୍ରୁବ ସତ୍ୟ। ଏଣୁ ଜଗନ୍ନାଥ ଦାସ ଲେଖିଛନ୍ତି :
“ମର୍ତ୍ୟମଣ୍ଡଳେ ଦେହ ବହି,
ଦେବତା ହୋଇଲେ ମରଇ “
ଜାତ ଯେ ହୁଅଇ ସଂସାର,
ମରଣ ଧ୍ରୁବ ଟି ତାହାର,
ପୁନଶ୍ଚ ଲେଖିଲେ
ମାୟା ସଂସାରେ ଏହି ମତେ
ଜନ୍ମ ମରଣ ବେନି ପଥେ
ଏ ଜୀବ ମରଣ ନିକଟେ,
ବେଗେ ଚିନ୍ତଇ ଅନ୍ୟ ଘଟେ ।”
ଏହା କେବଳ ସଂସାରର ଜୀବମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ; ସଂସାରରେ ଲୀଳା ଖେଳା କରୁଥିବା ଭଗବାନଙ୍କ ପାଇଁ ବି ପ୍ରଯୁଜ୍ୟ । ଏହା ଶ୍ରୀଜଗନ୍ନାଥ ପ୍ରମାଣିତ କରିଛନ୍ତି। ଏହାର ପ୍ରକୃତ କାରଣ ଦର୍ଶାଇ କୃଷ୍ଣଦାସ କବିରାଜ ଗୋସ୍ୱାମୀ “ଚୈତନ୍ୟ ଚରିତାମୃତ “ରେ ଲେଖିଛନ୍ତି :
“ସୃଷ୍ଟି ହେତୁ ଯେଇ ମୂର୍ତ୍ତି ପ୍ରପଞ୍ଚ ଅବତାରେ,
ସେହି ଈଶ୍ୱରମୂର୍ତ୍ତିଅବତାରେ ନାମ ଧରେ,
ମାୟାତିତ ପରବ୍ୟୋମେ ସବାର ଆବସ୍ଥାନ
ବିଶ୍ୱେ ଅବତରି ଧରି ଅବତାର ନାମ । “
ଏହା ସତ୍ୟ ଯେ ସୃଷ୍ଟି ପ୍ରକ୍ରିୟା ପାଇଁ ଭଗବାନ (ପରଂବ୍ରହ୍ମ ଶ୍ରୀଜଗନ୍ନାଥ ) ମାୟାକୁ ଆଧାର କରନ୍ତି। ଏହି ମାୟାର ପ୍ରଭାବ ହିଁ ଜନ୍ମ ମୃତ୍ୟୁ ର କାରଣ ହୋଇଥାଏ। ଗୀତାରେ ଶ୍ରୀକୃଷ୍ଣ କହିଲେ “ଦୈଵୀ ହେ ଷl ଗୁଣମୟୀ ମମ ମାୟା ଦୂରତ୍ୟୟା ।” ଅର୍ଥାତ ମାୟା ଅତ୍ୟନ୍ତ ଦୁସ୍ତର, ଏହି ମାୟାରୁ ରକ୍ଷା ପାଇବା ଅସମ୍ଭବ। କିନ୍ତୁ ଏହି ମାୟାରୁ ରକ୍ଷା ପାଇବାର ଉପାୟ ମଧ୍ୟ ସେହି ଗୀତାରେ କହିଲେ : “ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ “ଅର୍ଥାତ ଯେଉଁମାନେ ମୋର (ପରଂବ୍ରହ୍ମ ଶ୍ରୀଜଗନ୍ନାଥ )ଙ୍କ ଶରଣରେ ଥାନ୍ତି ବା ପ୍ରଭୁଙ୍କୁ ସର୍ବୋତ୍ତ ଭାବେ ଆପଣାର କରିଥାନ୍ତି ସେମାନେ ମାୟାରୁ ତରିଯାନ୍ତି।
ଏଠାରେ ପ୍ରଶ୍ନ ଉଠେ ସେମାନଙ୍କର ମୃତ୍ୟୁ କଣ ହୁଏ ନାହିଁ ?
ଉତ୍ତରରେ ଏତିକି କୁହାଯିବ “ମୃତ୍ୟୁ ହୁଏ। କିନ୍ତୁ କେବଳ ଘଟ ବଦଳେ ବା ଶରୀର ବଦଳେ, ଯାହା ନବକଳେବର ସମୟରେ ଶ୍ରୀଜଗନ୍ନାଥଙ୍କର ମଧ୍ୟ ହୁଏ। ଏଠାରେ କେବଳ ଦାରୁ ଶରୀରର ନବୀକରଣ ହୁଏ। କିନ୍ତୁ ବ୍ରହ୍ମ ପୁରୁଣା ଶରୀରରୁ ନୂଆ ଶରୀର (ବିଗ୍ରହ)ରେ ସ୍ଥାନ ପାଏ। ଏଥିପାଇଁ କୁହାଯାଏ ଆତ୍ମା ଅବିନାଶୀ। କେହି କେହି ପରମ ଯୋଗୀ ମଧ୍ୟ ବିନାଶଶୀଳ ଶରୀରକୁ ଅନନ୍ତ କାଳ ପର୍ଯ୍ୟନ୍ତ ରକ୍ଷା କରି ପାରନ୍ତି। କିନ୍ତୁ ପ୍ରାୟତଃ ଏହା ଅସମ୍ଭବ । କାରଣ ସଂସାରର ମାୟା ପୂର୍ଣ୍ଣ ସୁଖ ଭୋଗକୁ ଅସାର, ଅଳିକ, ବିପଦମୟ ଜାଣି ମଧ୍ୟ ଆମେ ଏହାକୁ ତ୍ୟାଗ କରି ପାରୁନାହେଁ।
ଶଙ୍କରାଚାର୍ଯ୍ୟ ତେଣୁ “ମୋହ ମୁଦଗର ” ରେ ଲେଖିଲେ :
“ଅଙ୍ଗ ଗଳିତଂ ପଳିତଂ ମୁଣ୍ଡଂ ଦନ୍ତବିହୀନଂ ଜାତଂ ତୁଣ୍ଡମ, କରଧୃତ କମ୍ପିତ ଶୋଭିତ ଦଣ୍ଡଂ ତଦପି ନ ମୁଞ୍ଚତ୍ୟାଶା ଭାଣ୍ଡମ ।”
ଅର୍ଥାତ ସମ୍ପୂର୍ଣ୍ଣ ବାର୍ଦ୍ଧକ୍ୟ ଶରୀରର ଲକ୍ଷଣ ଯୁକ୍ତ ମଣିଷ ମଧ୍ୟ ସଂସାର ମୋହରେ ବନ୍ଧା ପଡୁଛି। କାରଣ ସେ ମାୟା ଗ୍ରସ୍ତ. ସେହିପରି ମୋ ପ୍ରଭୁ ଶ୍ରୀଜଗନ୍ନାଥ, ଯେହେତୁ ସାକାର ଶରୀର ଧାରଣ କରିଛନ୍ତି । ତେଣୁ ବିଚିତ୍ର ଲୀଳାରେ ମାତିଛନ୍ତି। ଆସନ୍ତୁ ସେହି ଲୀଳାଧାରୀଙ୍କୁ ଆରାଧନା କରିବା :
“ହରି ନାମ ଅଟଇ ରତି,
ରାମ ନାମ ହୋଏ ପୀରତି,
କୃଷ୍ଣ ନାମ ସ୍ମୃତି ଅଟଇ ନାମରେ ତିନି ପ୍ରେମ କହି ସ୍ମୃତି ଅଟନ୍ତି ଜଗନ୍ନାଥ ରତି ପ୍ରୀତିଟି ସଖା ତତ୍ତ୍ୱ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.